ଜନତାଙ୍କ ସମସ୍ୟା ସହ ଜଡ଼ିତ ହୋଇ ରାଜ୍ୟବାସୀଙ୍କ ସ୍ୱର ହୁଅ: ନବୀନ

ଜନତାଙ୍କ ସମସ୍ୟା ସହ ଜଡ଼ିତ ହୋଇ ରାଜ୍ୟବାସୀଙ୍କ ସ୍ୱର ହୁଅ। ରାଜ୍ୟର ସାମ୍ପ୍ରତିକ ସ୍ଥିତି ଓ ସରକାରଙ୍କ ଜନବିରୋଧୀ କାର୍ଯ୍ୟକୁ ନେଇ ଦଳୀୟ ନେତାଙ୍କ ସହ ଆଲୋଚନା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ରାଜ୍ୟବାସୀଙ୍କ ସ୍ୱର ହିସାବରେ ଲୋକଙ୍କ ସମସ୍ୟାକୁ ନେଇ ତୀବ୍ର ଲଢ଼େଇ କରିବ ବିଜେଡି। ଅରୁଣ ସାହୁଙ୍କ ସହିତ ଦଳର ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ୱାଳ, ଭୃଗୁ ବକ୍ସିପାତ୍ର, ଲେନିନ ମହାନ୍ତି, ପ୍ରଫୁଲ୍ଲ ସିଂ, ରଘୁନାଥ ସାହୁ, ମହମ୍ମଦ ସକିଲ, ଲୋରା ମହାପାତ୍ର ନବୀନ ନିବାସରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ସହ ପ୍ରତ୍ୟେକ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବିଫଳତା ଓ ଜନବିରୋଧୀ କାର୍ଯ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ନିଜକୁ ଲୋକଙ୍କ ସରକାର କହୁଥିବା ବିଜେପି କ୍ଷମତାକୁ ଆସିବା ପରଠାରୁ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି । ଚାଷୀ ସାର ପାଉ ନଥିବା ବେଳେ ବ୍ୟାପକ କଳାବଜାରୀକୁ ପ୍ରୋତ୍ସାହନ ଦେଉଛନ୍ତି ସରକାର ।ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଲୋକେ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି । ମହିଳା ସୁରକ୍ଷାକୁ ନେଇ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ନିନ୍ଦିତ ହେଉଥିବା ବେଳେ, ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି । ପ୍ରତ୍ୟେକ କ୍ଷେତ୍ରରେ ବିକାଶମୂଳକ କାର୍ଯ୍ୟ ଠପ୍ ହୋଇଯାଇଛି । ଓଡିଆ ଅସ୍ମିତାର ନାରାଦେଇ ସରକାରକୁ ଆସିଥିବା ବିଜେପି, ପ୍ରତ୍ୟେକ ଦିନ ଓଡ଼ିଆ ଅସ୍ମିତାକୁ କୁଠାରଘାତ କରୁଛି । ଆଗାମୀ ଦିନରେ ରାଜ୍ୟବାସୀଙ୍କ ସ୍ୱର ହିସାବରେ ବିଜୁଜନତା ଦଳ ବିଜେପି ସରକାରର ପ୍ରତ୍ୟେକ ଜନବିରୋଧୀ କାର୍ଯ୍ୟକୁ ବିରୋଧ କରିବ। ତେବେ ନବୀନଙ୍କ ନେତୃତ୍ୱରେ ୨୦୨୭ ପଞ୍ଚାୟତ ଓ ୨୦୨୯ ସାଧାରଣ ନିର୍ବାଚନରେ ବିଜେଡିର ବିଜୟ ସୁନିଶ୍ଚିତ ବୋଲି କହିଛନ୍ତି ଦଳୀୟ ନେତା।