ସାପ କାମୁଡ଼ାରୁ ବର୍ତ୍ତିବା ପାଇଁ କିପରି ରହିବେ ସଚେତନ, ଛାତ୍ରଛାତ୍ରୀଙ୍କୁ କୌଶଳ ଶିକ୍ଷାଦେଲେ ସ୍ନେକ ହେଲ୍ପଲାଇନ ସଦସ୍ୟ

ଭୁବନେଶ୍ୱର: ସାପ କାମୁଡ଼ା ନେଇ ସଚେତନତା । ସ୍କୁଲରେ ମକଡ୍ରିଲ କଲା ସ୍ନେକ ହେଲ୍ପ ଲାଇନ । କ୍ଲାସରୁମରେ ନୁହେଁ ଖେଳ ପଡ଼ିଆରେ କୌଶଳ ଶିଖିଲେ ପିଲା । ଖେଳ ପଡ଼ିଆରେ କିଏ ବୁଲୁଛି ତ, ଆଉ କିଏ ବସିଛି । ଆଉ କିଏ ପିଲା ଖେଳୁଛନ୍ତି । ସାପ କାମୁଡ଼ି ଦେଲା । ସ୍କୁଲରେ ପଡିଲା ହୁରି । ଯିଏ ଯେଉଁଠି ଥିଲେ ଦୌଡ଼ି ଆସିଲେ । ହେଲେ ସତରେ ସାପ କାମୁଡି ନଥିଲା । ସାପ କାମୁଡ଼ିଲେ କେମିତି ରକ୍ଷା ପାଇବେ ସେନେଇ ପିଲାଙ୍କୁ କରାଯାଇଛି ସଚେତନ । ଲକ୍ଷ୍ମୀସାଗର ଉଚ୍ଚ ବିଦ୍ୟାଳୟର ସ୍ନେକ ହେଲ୍ପ ଲାଇନ ପକ୍ଷରୁ କରା ଯାଇଥିଲା ମକଡ୍ରିଲ । ସ୍ନେକ ହେଲ୍ପ ଲାଇନର ସଦସ୍ୟମାନେ ଅଭିନୟ ମାଧ୍ୟମରେ ସାପ କାମୁଡ଼ିବା ପରେ କିପରି ରୋଗୀକୁ ଚଲାବୁଲା କମ୍ କରିବ, ସାପ କାମୁଡ଼ିଥିବା ଅଙ୍ଗରେ ଥିବା ଚୁଡି, ମୁଦି ଆଦି ଖୋଲିବ, କ୍ରେପ ବ୍ୟାଣ୍ଡେଜ୍ କିମ୍ବା ଗାମୁଛା ଦ୍ଵାରା କିପରି ହାତ ବା ଗୋଡକୁ କ୍ଷତ ସ୍ଥାନର ଉପରକୁ ଗୁଡ଼େଇ ଗୁଡ଼େଇ ବାନ୍ଧିବାକୁ ହୁଏ, ସେଇ ପଦ୍ଧତି ଗୁଡିକ ଦେଖାଇଥିଲେ । ତା’ ପରେ ୪ରୁ ୫ ଜଣ ପିଲାଙ୍କୁ ନେଇ ଗୋଟିଏ ଗୋଟିଏ ଗ୍ରୁପ କରାଯାଇ ଛୋଟ ଛୋଟ ପିଲାମାନେ ମକଡ୍ରିଲ ମାଧ୍ୟମରେ ଅଭ୍ୟାସ କରିଥିଲେ ।

ସେପଟେ ବିଦ୍ୟାଳୟରେ ପିଲାମାନେ କ୍ରୀଡା ଓ ଅଭିନୟ ଛଳରେ ସାପ କାମୁଡାର ପ୍ରାଥମିକ ଚିକିତ୍ସା ଭଳି ଏକ ଜୀବନ ରକ୍ଷାକାରୀ ତଥା ଗୁରୁତ୍ବପୂର୍ଣ୍ଣ ବିଷୟରେ ଶିକ୍ଷା ଗ୍ରହଣ କରିଛନ୍ତି । ଏହା ଦ୍ବାରା ଛାତ୍ରଛାତ୍ରୀମାନେ ନିଜ ଘରେ ଓ ସାହିରେ ସାପ କାମୁଡା ଉପରେ ସଚେତନ କରିବେ ବୋଲି ପ୍ରଧାନ ଶିକ୍ଷୟତ୍ରୀ କହିଛନ୍ତି । ସ୍କୁଲରେ ମକଡ୍ରିଲରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହି ନିଜେ ମଧ୍ୟ କୌଶଳ ଶିଖିବା ସହିତ ସଚେତନ ହୋଇଥିଲେ । ସ୍ନେକ ହେଲ୍ପ ଲାଇନ ତରଫରୁ ଲଳିତ ମୋହନ ପଣ୍ଡା, ସଞ୍ଜୟ ଦାସ, ଅମିତ ସାହୁ, ଆଶିଷ ବେହେରା, ଓ ରାଜେଶ ସୁତାର ମକଡ୍ରିଲରେ ସହଯୋଗ କରିଥିଲେ ।