ବେଆଇନ ଭାବେ ବିଏମସି ଅଞ୍ଚଳରେ ବିଡ଼ିଏ ଦେଉଛି ଘର ପ୍ଲାନ ଅନୁମୋଦନ

1 min read

ଭୁବନେଶ୍ବର: ନଗର ଉନ୍ନୟନ ବିଭାଗର ନିର୍ଦ୍ଦେଶକୁ ବିଡ଼ିଏର ବେଖାତିର । ଘରର ପ୍ଲାନ ଅନୁମୋଦନ ୨୦୧୫ରୁ ବିଏମସି ପାଖକୁ ଯାଇଥିଲେ ମଧ୍ୟ ବିଡ଼ିଏ ଚଲାଇଛି ମନମାନି । ମନଇଚ୍ଛା ବେଆଇନ ଭାବେ ବିଏମସି ଅଞ୍ଚଳରେ ବିଡ଼ିଏ ଦେଉଛି ଘର ପ୍ଲାନ ଅନୁମୋଦନ । ବିଏମସିକୁ କ୍ଷମତା ଯିବା ପରଠାରୁ ବିଡ଼ିଏ ପ୍ରାୟ ୨୮୫୮ ପ୍ରକଳ୍ପକୁ ଅନୁମୋଦନ ଦେଇଛି । ବିଡ଼ିଏ ଓ ବିଏମସି କଳିରେ ଫସୁଛନ୍ତି ସାଧାରଣ କ୍ରେତା । ଏହି ୨୮୫୮ ପ୍ରକଳ୍ପର ଭାଗ୍ୟକୁ ନେଇ ଦେଖାଦେଇଛି ଅନିଶ୍ଚିତତା ।

ବିଡିଏ-ବିଏମସି କଳିରେ ଫସୁଛନ୍ତି ଘର କ୍ରେତା । ନଗର ଉନ୍ନୟନ ବିଭାଗର ଦୁଇ ଏଜେନ୍ସି ମଧ୍ୟରେ ନାହିଁ ତାଳମେଳ । ଘର ପ୍ଲାନ ଅନୁମୋଦନ ବିବାଦ ଘେରରେ ୨୮୫୮ ପ୍ରକଳ୍ପ । ୨୦୧୫ ମସିହାରୁ ରାଜ୍ୟ ସରକାର ସ୍ବାୟତ୍ତ ଶାସନ ବ୍ୟବସ୍ଥାକୁ ମଜବୁତ କରିବାକୁ ଘର ପ୍ଲାନ ଅନୁମୋଦନ କ୍ଷମତା ବିଏମସିକୁ ଦେଇଥିଲେ । ସରକାରଙ୍କ ବିଜ୍ଞପ୍ତି ସତ୍ତ୍ବେ ଘର ପ୍ଲାନ ଦେଇ କ୍ରୀମ ଖାଉଥିବା ବିଡ଼ିଏ ଏହାକୁ ଛାଡ଼ିଲା ନାହିଁ । ମନଇଚ୍ଛା ଜୋରଜବରଦସ୍ତ ବିଏମସି ଏରିଆରେ ବିଡ଼ିଏ ପ୍ଲାନ ଅନୁମୋଦନ କରିଚାଲିଲା । ବିଏମସି ଅଧୀନରେ ଥିବା ବିଡ଼ିଏର ନିଜ ପ୍ରୋଜେକ୍ଟ ଦୟା ଏନକ୍ଲେଭର କେଳେଙ୍କାରୀକୁ ରେରା ଧରିବା ପରେ କଥା ସାମ୍ନାକୁ ଆସିଲା ସତ, ହେଲେ ସୁଧୁରିଲା ନାହିଁ ବିଡ଼ିଏ । ଏବେ ବିଡ଼ିଏରୁ ମିଳିଥିବା ତଥ୍ୟ ଅନୁସାରେ ବିଏମସିକୁ କ୍ଷମତା ଗଲା ପରେ ବି ବିଡ଼ିଏ ୨୮୫୮ଟି ପ୍ରକଳ୍ପକୁ ଅନୁମୋଦନ ଦେଇଛି, ଯାହା ସମ୍ପୂର୍ଣ୍ଣ ବେଆଇନ । ଏହା ବାବଦକୁ ବିଡ଼ିଏ ୪୮ କୋଟି ୧୪ ଲକ୍ଷ ଟଙ୍କା ଆଦାୟ କରିଛି । ଯାହା ବିଏମସିକୁ ହରାଇବାକୁ ପଡ଼ିଛି । ଏହି ସବୁ ପ୍ରକଳ୍ପର ଭବିଷ୍ୟତ ଓ ଆଇନଗତ ଦିଗ ନେଇ ପ୍ରଶ୍ନ ଉଠାଇଛନ୍ତି ଆକ୍ଟିଭିଷ୍ଟ ।

ବଢି ଚାଲିଛି ରାଜଧାନୀ ଭୁବନେଶ୍ବରର କଳେବର । ଭୁବନେଶ୍ବରରେ ଘର ଖଣ୍ଡିଏ କିଣିବାକୁ ଲୋକେ ଜୀବନ ଯାକର ରୋଜଗାର ଲଗାଉଛନ୍ତି । ହେଲେ ପ୍ରଶାସନିକ ଉଦାସୀନତା ଏବଂ ଦ୍ବନ୍ଦ୍ବ ଯୋଗୁଁ ଘର କରିବା ପରେ ବି ଆଇନର ଜାଲରୁ ମୁକୁଳି ପାରୁନାହାନ୍ତି । ବିଏମସି ଏରିଆରେ ଘର କଲେ କିଏ ଦେବ ପ୍ଲାନ ଅନୁମୋଦନ ? ବିଡ଼ିଏ ନା ବିଏମସି ? ଏହା ସାଧାରଣ କ୍ରେତାଟିଏ ଜାଣିବ କିପରି ? ପ୍ଲାନ ଅନୁମୋଦନ ବାବଦକୁ ନଗର ଉନ୍ନୟନ ବିଭାଗର ବିଜ୍ଞପ୍ତିକୁ ବିଡ଼ିଏ ମାନୁ ନଥିବା ବେଳେ ବିଏମସି ବି ଚୁପ୍ ବସିଛି । ଜାଗା କିଣିବା ଠାରୁ ଆରମ୍ଭ କରି ଘରର ପ୍ଲାନ ଅନୁମୋଦନ, ବିଭାଗୀୟ କ୍ଲିୟରାନ୍ସ, ଡ୍ରେନେଜ ଓ ସ୍ବେରେଜ ବ୍ୟବସ୍ଥା ଯାଏଁ ସବୁଠି ଫସୁଛନ୍ତି ଘର କ୍ରେତା । ଯଦିଓ ରେରା କୋର୍ଟର କଡ଼ା ଆଭିମୁଖ୍ୟ ପରେ ସ୍ଥିତିରେ କିଛିଟା ସୁଧାର ଆସିଛି, ହେଲେ ବିଏମସି ବଦଳରେ ବିଡ଼ିଏ ଦେଇଥିବା ପ୍ରକଳ୍ପର ଭାଗ୍ୟ ଅନିଶ୍ଚିତତା ଘେରକୁ ଚାଲିଯାଇଛି ।

୨୦୧୫ରୁ ବିଡ଼ିଏ ଦେଇଥିବା ୨୮୫୮ଟି ପ୍ରକଳ୍ପ ମଧ୍ୟରୁ ଅଧିକାଂଶ ସାଧାରଣ ଲୋକଙ୍କର ହୋଇଥିବା ବେଳେ ବଡ଼ ବଡ଼ ଆପାର୍ଟମେଣ୍ଟ ବି ଏଥିରେ ରହିଛି । ଏସବୁ ପ୍ରକଳ୍ପ ଆଇନର ଜାଲରେ ଛନ୍ଦି ହେବାକୁ ଯାଉଥିବା ବେଳେ ବେଫିକର ହୋଇ ବସି ରହିଛି ନଗର ଉନ୍ନୟନ ବିଭାଗ । ୨୦୧୭ ପୂର୍ବର ଆପାର୍ଟମେଣ୍ଟ ପଞ୍ଜୀକରଣ ପାଇଁ କୌଣସି ସମସ୍ୟା ନାହିଁ ବୋଲି ବିଭାଗୀୟ ବିଜ୍ଞପ୍ତି ଉପରେ ଏବେ ହାଇକୋର୍ଟରେ ରହିତାଦେଶ ହୋଇଛି । ଏଭଳି ଏହିସବୁ ବେଆଇନ ପ୍ରକଳ୍ପ ଉପରେ ଆଗକୁ କ’ଣ ପଦକ୍ଷେପ ନିଆଯିବ, ତାକୁ ନେଇ ସଂଶୟରେ ରହିଛନ୍ତି ହଜାର ହଜାର କ୍ରେତା ।