ବାଂଲାଦେଶୀ କ୍ରିକେଟର ମସ୍ତାଫିଜୁର ରହମାନଙ୍କୁ କେକେଆର ଟିମରୁ ବାଦ ଦେବାକୁ ବିସିସିଆଇର ନିର୍ଦ୍ଦେଶ
ନନ୍ଦିଘୋଷ ବ୍ୟୁରୋ: ବାଂଲାଦେଶ ହିଂସା, ସଂଖ୍ୟାଲଘୁ ବିଶେଷ କରି ହିନ୍ଦୁଙ୍କୁ ଆକ୍ରମଣ ନେଇ ସବୁଠି ଅସନ୍ତୋଷ । ଯାହାର ପ୍ରଭାବ କ୍ରିକେଟ ଉପରେ ପଡିଛି । ବଲିଉଡ଼ ଷ୍ଟାର ଶାହରୁଖ ଖାନଙ୍କ ସହ ମାଲିକାନାରେ ଥିବା କୋଲକାତା ନାଇଟ ରାଇଡର୍ସ ବାଂଲାଦେଶୀ ଖେଳାଳିଙ୍କୁ ନିଲାମରେ କିଣି ବିବାଦରେ । ଦିନକୁ ଦିନ ବିବାଦ ତୀବ୍ର ହେଉଥିବା ବେଳେ ବାଂଲାଦେଶୀ କ୍ରିକେଟର ମୁସ୍ତାଫିଜୁର ରହମାନଙ୍କୁ କେକେଆର ଟିମରୁ ବାଦ ଦେବାକୁ ବିସିସିବିଆଇ ନିର୍ଦ୍ଦେଶ ଦେଇଛି ।
କେକେଆର ଲାଗି ମୁସ୍ତାଫିଜୁରଙ୍କୁ କ୍ରୟ କରି ବିବାଦରେ ଫସିଥିଲେ କିଙ୍ଗ ଖାନ ଶାହରୁଖ । ଆଇପିଏଲର ଅନ୍ୟତମ ଫ୍ରାଞ୍ଚାଇଜ କେକେଆର ବାଂଲାଦେଶୀ କ୍ରିକେଟର ମୁସ୍ତାଫିଜୁର ରହମାନଙ୍କୁ କିଣିଥିବାରୁ ସାରା ଦେଶରେ ପ୍ରତିକ୍ରିୟାପ୍ରକାଶ ପାଇବାରେ ଲାଗିଛି । ଦେଶର ବିଭିନ୍ନ ରାଜନୈତିକ ଦଳ ଓ ସଂଗଠନ ଶାହରୁଖଙ୍କୁ ଏଥିରୁ ଓହରିଯିବାକୁ ପରାମର୍ଶ ଦେଇଥିଲେ । ଶାହରୁଖ ଭାରତୀୟଙ୍କ ମନୋଭାବକୁ ସମ୍ମାନ ଦେବା ଉଚିତ । ଶାହରୁଖଙ୍କୁ ଯାହା ସମ୍ମାନ, ପ୍ରସିଦ୍ଧି ମିଳିଛି ତାହା ଭାରତୀୟଙ୍କ ଲାଗି ମିଳିଛି । ତେଣୁ ଶାହରୁଖ ବାଂଲାଦେଶୀ କ୍ରିକେଟରଙ୍କୁ କିଣିବା ଉଚିତ ନଥିଲା ବୋଲି ସେମାନେ ପ୍ରତିକ୍ରିୟା ରଖିଛନ୍ତି ।
ଏପରିକି ଏହି ଘଟଣାରେ ଶାହରୁଖଙ୍କୁ ଦେଶଦ୍ରୋହୀ, ଗଦ୍ଦାର ଓ ଆତଙ୍କବାଦୀ ବୋଲି ମଧ୍ୟ କହି ଆକ୍ଷେପ କରାଯାଇଛି । ତଥାକଥିତ ଧର୍ମଗୁରୁ ଦେବକୀନନ୍ଦନ ଠାକୁର ଓ ଜଗତଗୁରୁ ରାମଭଦ୍ରାଚାର୍ଯ୍ୟ ଶାହରୁଖଙ୍କୁ କଡ଼ା ସମାଲୋଚନା କରିଛନ୍ତି । ଶାହରୁଖ ଯାହା କରିଛନ୍ତି ତାହା ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି । ତେବେ ପ୍ରଥମେ ଏହାକୁ ନେଇ ଅଙ୍ଗୁଳି ଉଠାଇଥିଲେ ବିଜେପି ନେତା ସଙ୍ଗୀତ ସୋମ । ଶାହରୁଖଙ୍କ ପରି ବ୍ୟକ୍ତି ଭାରତରେ ରହିବା ଉଚିତ ନୁହେଁ । ବାଂଲାଦେଶରେ ହିନ୍ଦୁମାନଙ୍କୁ ହତ୍ୟା କରାଯାଉଥିବାବେଳେ ତାଙ୍କ ଖେଳାଳି କିଣିବା ଗଦ୍ଦାର କାମ ବୋଲି ସେ କହିଥିଲେ । ଏଥିରେ ସ୍ବର ମିଳାଇଥିଲେ କଥାବାଚକ ଧୀରେନ୍ଦ୍ରନାଥ ଶାସ୍ତ୍ରୀ ।
ଅନ୍ୟପଟେ ଅଲ ଇଣ୍ଡିଆ ମୁସଲିମ ଜମାତର ଅଧ୍ୟକ୍ଷ ଶାହବୁଦ୍ଦିନ ରଜଭି ବରେଲିଭ ଶାହରୁଖଙ୍କୁ ସମର୍ଥନମରେ ବାହାରିଛନ୍ତି । ସେ କହିଛନ୍ତି, ଶାହରୁଖ କେବେ କେଉଁଠି ବାଂଲାଦେଶ ହିନ୍ଦୁ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଆକ୍ରମଣକୁ ସଠିକ କହିନାହାଁନ୍ତି । ତେଣୁ ତାଙ୍କୁ ଗଦ୍ଦାର, ଆତଙ୍କବାଦୀ କହିବା ଠିକ ନୁହେଁ । ସେହିପରି ସପା ନେତା ଜିଆ ଚୌଧୁରୀ ସଂଗୀତ ସୋମଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି । ସେ କହିଛନ୍ତି, ସଂଗୀତ ଡିପ୍ରେସନକୁ ଚାଲିଯାଇଛନ୍ତି । ତୃଣମୂଳ କଂଗ୍ରେସର ଜଣେ ନେତା ଫିରହାଦ ହାକିମ ଏହା ଉପରେ ପ୍ରତିକ୍ରିୟ। ଦେଇ ବିଜେପିକୁ ପ୍ରଶ୍ନ କରିଛି ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ବେଗମ ଖାଲିଦା ଜିଆଙ୍କ ଅନ୍ତିମ ସଂସ୍କାରରେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଯୋଗଦେବା କ’ଣ ଦେଶଦ୍ରୋହୀ କାର୍ଯ୍ୟ ନୁହେଁ ?

