ପୁଣି ଥରେ ଏୟାରଲିଫ୍ଟ ହୋଇପାରନ୍ତି ପନ୍ତ, ଲିଗାମେଣ୍ଟ ହୋଇପାରୁନି ଠିକ୍‌

1 min read

ନୂଆଦିଲ୍ଲୀ: ଅସହ୍ୟ ହେଉଛି ପନ୍ତଙ୍କ ଯନ୍ତ୍ରଣା  । ପୁଣି ଥରେ ପନ୍ତଙ୍କୁ କରାଯାଇଛି ଏୟାରଲିଫ୍ଟ  । ଦିଲ୍ଲୀ ପରେ ମୁମ୍ବାଇ ଏୟାରଲିଫ୍ଟ ହୋଇଛନ୍ତି କ୍ରିକେଟର ଋଷଭ ପନ୍ତ ।  ଡାହାଣ କଚଟି, ଗୋଇଠି, ପାଦ ଆଉ ପିଠିରେ ଲାଗିଛି ଆଘାତ  । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଡାହାଣ ଆଣ୍ଠୁର  ଲିଗାମେଣ୍ଟ ବି ଛିଣ୍ଡିଯାଇଛି  । ଆବଶ୍ୟକସ୍ଥଳେ ପନ୍ତଙ୍କୁ ଲଣ୍ଡନ ବି ପଠାଇପାରେ ବିସିସିଆଇ  । କାର ଦୁର୍ଘଟଣାରେ ଗୁରୁତର ପନ୍ତଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଛି ସତ  । କିନ୍ତୁ ଏବେବି ଶରୀରରେ ଯନ୍ତ୍ରଣା ରହିଛି  । ଯେଉଁଥିପାଇଁ ସେ ପେନ୍‌ ମ୍ୟାନେଜମେଣ୍ଟ ଥେରାପୀ ନେଉଛନ୍ତି ।

ଗୁରୁତର ପନ୍ତଙ୍କୁ ପ୍ରଥମେ ଡେରାଡୁନର ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ତାଙ୍କୁ ଦିଲ୍ଲୀ ସ୍ତାନାନ୍ତରଣ କରାଯାଇଥିଲା  । କିନ୍ତୁ ଲିଗାମେଣ୍ଟ ଅସ୍ତ୍ରୋପଚାର ପାଇଁ ପୁଣିଥରେ ପନ୍ତଙ୍କୁ ମୁମ୍ବାଇ ଏୟାରଲିଫ୍ଟ କରାଯାଇଛି  ।

ନିଜ ଘର ଉତ୍ତରାଖଣ୍ଡରୁ ଦିଲ୍ଲୀ ଫେରୁଥିବା ବେଳେ ତାଙ୍କ ମର୍ସଡିଜ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ନାରସନ ବର୍ଡର ନିକଟରେ ଋଷଭଙ୍କ ଗାଡ଼ି ଡିଭାଇଡରରେ ପିଟି ହୋଇଥିଲା । ଘନ କୁହୁଡ଼ି ଯୋଗୁଁ ଦୁର୍ଘଟଣା ହୋଇଥିବା କୁହାଯାଉଥିଲା ବେଳେ ଡିଭାଇଡରରେ ପିଟି ହେବା ପରେ ତାଙ୍କ କାରଟି ସମ୍ପୂର୍ଣ୍ଣ ଜଳିଯାଇଥିଲା ।

ଦୁର୍ଘଟଣା ବେଳେ ପନ୍ତ ନିଜେ ଗାଡ଼ି ଚଳାଉଥିଲେ । ପନ୍ତଙ୍କ ମୁଣ୍ଡ ଓ ଗୋଡ଼ରେ ଗୁରୁତର ଆଘାତ ଲାଗିଥଲା  ।