ବିଶ୍ୱକପରେ ପରାଜୟ ପରେ ଆକ୍ସନ ମୋଡରେ BCCI, ମନୋନୟନ କମିଟି ବରଖାସ୍ତ
1 min readମୁମ୍ବାଇ: ଟି-୨୦ ବିଶ୍ୱକପରେ ପରାଜୟ ପରେ ଆକ୍ସନ ମୋଡରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) । ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମାଙ୍କ ସହ ସମ୍ପୂର୍ଣ୍ଣ ବରିଷ୍ଠ ମନୋନୟନ କମିଟିକୁ ବହିସ୍କାର କରିଛି ବିସିସିଆଇ । ଟି-୨୦ ବିଶ୍ୱକପ ଟାଇଟଲ ଦୌଡ଼ରେ ଭାରତ ସବୁଠୁ ଆଗରେ ଥିଲା ହେଲେ ସେମିଫାଇନାଲରେ ଇଂଲଣ୍ଡଠାରୁ ଶୋଚନୀୟ ପରାଜୟ ପରେ ଟିମ ଇଣ୍ଡିଆର ୧୫ ବର୍ଷ ପରେ ଟାଇଟଲ ଜିତିବାର ସ୍ୱପ୍ନ ଅଧାରେ ରହିଯାଇଛି । ପରାଜୟ ପରେ ଖେଳାଳି ଚୟନକୁ ନେଇ ପ୍ରଶ୍ନ ଉଠିଥିଲା ।
ଏହି କମିଟିର ନେତୃତ୍ବ ଚେତନ ଶର୍ମା ନେଉଥିବା ବେଳେ କମିଟିରେ ସେଣ୍ଟ୍ରାଲ ଜୋନରୁ ହରବିନ୍ଦର ସିଂହ, ଦକ୍ଷିଣ ଜୋନରୁ ସୁନୀଲ ଯୋଶୀ ଓ ଇଷ୍ଟ ଜୋନରୁ ଓଡ଼ିଶାର ଦେବାଶିଷ ମହାନ୍ତି ରହିଥିଲେ । ଏବେ ସମସ୍ତଙ୍କୁ ବିସିସିଆଇ ବହିଷ୍କାର କରିଛି । ଏମାନଙ୍କୁ ୨୦୨୦ ଓ ୨୦୨୧ରେ କମିଟି ସଦସ୍ୟ ଭାବେ ନିଯୁକ୍ତି ଦିଆଯାଇଥିଲା । ସାଧାରଣତଃ ଜାତୀୟ ଚୟନ କମିଟିର କାର୍ଯ୍ୟକାଳ ୪ ବର୍ଷ ରହିଥାଏ । ପରିବର୍ତ୍ତୀ ଅବସ୍ଥାରେ ଏହାକୁ ବୃଦ୍ଧି କରିବାର ପ୍ରାବଧାନ ରହିଛି । ହେଲେ କାର୍ଯ୍ୟକାଳ ପୂରିବା ଆଗରୁ ଚେତନ ଶର୍ମା ଆଣ୍ଡ କୋଙ୍କୁ ବିସିସିଆଇ ବିଦା କରିଛି ।
ଚେତନ ଶର୍ମାଙ୍କ କାର୍ଯ୍ୟକାଳ ସମୟରେ ଭାରତ ଟି-୨୦ ବିଶ୍ୱକପର ୨୦୨୧ ସଂସ୍କରଣରେ ନକଆଉଟ୍ ପର୍ଯ୍ୟାୟରେ ପହଞ୍ଚିବାରେ ମଧ୍ୟ ବିଫଳ ରହିଥିଲା । ସେହିପରି ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ୍ ଫାଇନାଲରେ ମଧ୍ୟ ପରାଜିତ ହୋଇଥିଲା । ଟିମ ଇଣ୍ଡିଆର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଚେତନଙ୍କ ନେତୃତ୍ୱାଧୀନ ଏହି କମିଟିକୁ ଭାଙ୍ଗି ଦେଇଛି ବିସିସିଆଇ । ବିସିସିଆଇ ଶୁକ୍ରବାର ବରିଷ୍ଠ ଜାତୀୟ ମନୋନୟନ କମିଟିର ୫ ପଦ ପାଇଁ ନୂଆ ଆବେଦନ କରିବାକୁ ନିମନ୍ତ୍ରଣ କରିଛି । ଏହି ଆବେଦନ ସହ ବିସିସିଆଇ କିଛି ମାନଦଣ୍ଡକୁ ମଧ୍ୟ ନିର୍ଦ୍ଧାରିତ କରିଛି ଯାହାକୁ ପୂରଣ କରୁଥିବା ଖେଳାଳି ଏହି ପଦ ପାଇଁ ଆବେଦନ କରିପାରିବେ ।
ଆବେଦନ କରୁଥିବା ଖେଳାଳି ଅତିକମରେ ୭ଟି ଟେଷ୍ଟ ବା ୩୦ ଫାର୍ସଟ କ୍ଲାସ ମ୍ୟାଚ ବା ୧୦ଟି ଦିନିକିଆ ଏବଂ ୨୦ ଫାର୍ସଟ କ୍ଲାସ ମ୍ୟାଚ ଖେଳିଥିବା ଆବଶ୍ୟକ । ଏଥିସହିତ ଆବେଦନ କରିଥିବା ଖେଳାଳିଙ୍କୁ ଅତିକମରେ ସନ୍ୟାସ ନେବାର ୫ ବର୍ଷ ସମୟ ହୋଇଥିବା ଆବଶ୍ୟକ । କୌଣସି ବି ବ୍ୟକ୍ତି ୫ ବର୍ଷ ପର୍ଯ୍ୟନ୍ତ କୌଣସି ବି କ୍ରିକେଟ ସମିତିର ସଦସ୍ୟ ରହିଥିଲେ, ପୁରୁଷ ଚୟନକର୍ତ୍ତା ସମିତିର ସଦସ୍ୟ ହେବାର ଯୋଗ୍ୟ ହେବେନି । ଆବେଦନ ପାଇଁ ଶେଷ ତାରିଖ ୨୮ ନଭେମ୍ବର ଧାର୍ଯ୍ୟ କରାଯାଇଛି ।