କ୍ରିକେଟ ପ୍ରେମୀଙ୍କ ଲାଗି ଖୁସି ଖବର, ଭାରତ-ପାକିସ୍ତାନ ମ୍ୟାଚ ପୂର୍ବରୁ ଅନୁଷ୍ଠିତ ହେବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ଭାରତରେ ଚାଲିଛି କ୍ରିକେଟ ମହାକୁମ୍ଭ । ବିଶ୍ବକପର ଉଦଘାଟନୀ ସମାରୋହରେ କୌଣସି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ନଥିବାରୁ କ୍ରିକେଟ ପ୍ରେମୀଙ୍କ ମନ ଉଣା ହୋଇଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଅନେକ ଟ୍ବିଟ କରିଥିବା ମଧ୍ୟ ନଜରକୁ ଆସିଥିଲା । ତେବେ ବିସିସିଆଇ ପକ୍ଷରୁ ଏକ ଖୁସି ଖବର ସାମନାକୁ ଆସିପାରେ । ବିଶ୍ବକପର ଉଦଘାଟନୀ ମ୍ୟାଚରେ ଯେଉଁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ହୋଇ ନଥିଲା । ଏବେ ପୁଣି ଥରେ ହେବାକୁ ଯାଉଛି ।

ପାକିସ୍ତାନ ବିପକ୍ଷ ମ୍ୟାଚ ପୂର୍ବରୁ ଏଭଳି ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ବଲିଉଡର ଜଣାଶୁଣା ଗାୟକ ଅରଜିତ ସିଂ ସୋ ଅନୁଷ୍ଠିତ ହେବାକୁ ଯାଉଛି । ଆସନ୍ତା ୧୪ ତାରିଖରେ ଭାରତ ପାକିସ୍ତାନ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି । ଏହି ମ୍ୟାଚ ଅପରାହ୍ନ ୨ଟାରେ ଆରମ୍ଭ ହେବାକୁ ଥିବାବେଳେ ଏହା ପୂର୍ବରୁ ଅରଜିତ ସିଂହଙ୍କ ଲାଇଭ ସୋ ହେବ ବୋଲି କୁହାଯାଉଛି । ତେବେ ବିସିସିଆଇ ପକ୍ଷରୁ ଏଯାବତ କୌଣସି ତଥ୍ୟ ମିଳିପାରିନାହିଁ । କିନ୍ତୁ ଏହା ଏକ ପ୍ରକାର ସ୍ଥିର ହୋଇଥିବା ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ତଥା ଭାରତ ପାକିସ୍ତାନ ମ୍ୟାଚ ସମୟରେ ବିସିସିଆଇ ଅଧ୍ୟକ୍ଷ ଜୟ ଶାହାଙ୍କ ପିତା ତଥା ଗୃହମନ୍ତ୍ରୀ ଅମିତ ଶାହା ଉପସ୍ଥିତ ରହିବେ । ଅନ୍ୟପଟେ ଅରିଜିତଙ୍କ ସହ ସଚିନ ତେନ୍ଦୁଲକର, ରଜନୀକାନ୍ତ ଏବଂ ଅମିତାଭ ବଚ୍ଚନଙ୍କ ଭଳି ଭେଟେରାନ ଅଭିନେତା ମଧ୍ୟ ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଉପସ୍ଥିତ ରହିପାରନ୍ତି । ଏହାକୁ ନେଇ ବିସିସିଆଇ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଥିବା ସୂଚନା ରହିଛି ।

ପାକିସ୍ତାନ ବିଶ୍ବକପରେ ଏଯାବତ ଦୁଇଟି ମ୍ୟାଚ ଖେଳିଛି । ନେଦରଲ୍ୟାଣ୍ଡ ଏବଂ ଶ୍ରୀଲଙ୍କାକୁ ପରାସ୍ତା କରିଛି । ଭାରତ ନିଜର ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆକୁ ସାମନା କରିଥିବାବେଳେ ବିଜୟୀ ହୋଇଥିଲା । ବୁଧବାର ଆଫଗାନିସ୍ତାନ ବିପକ୍ଷରେ ମ୍ୟାଚ ଖେଳୁଛି ଭାରତ । ଭାରତ ଏବଂ ପାକିସ୍ତାନ ଦମଦାର ଫର୍ମରେ ନଜର ଆସୁଥିବାବେଳେ ମ୍ୟାଚ କିଏ ଜିତିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସେପଟେ ଆଇସିସିର ବଡ଼ ଇଭେଣ୍ଟରେ ସବୁବେଳେ ପାକିସ୍ତାନକୁ ହରାଇଥାଏ ଭାରତ । ପାକିସ୍ତାନ ଅପେକ୍ଷା ଭାରତର ରେକର୍ଡ ଭଲ ରହିଛି ।