ଟୁର୍ଣ୍ଣାମେଣ୍ଟରେ ଖେଳାଳିଙ୍କ ସହ ରହି ପାରିବେନି ପତ୍ନୀ: ଅଷ୍ଟ୍ରେଲିଆ ବିପକ୍ଷରେ ଶୋଚନୀୟ ପରାଜୟ ପରେ BCCIର କଠୋର ନିଷ୍ପତ୍ତି

1 min read

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ସିରିଜ ହାରିବା ଟିମ୍ ଇଣ୍ଡିଆର ଖେଳାଳିଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଏହା ମଧ୍ୟରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ନେବାକୁ ଯାଉଛି ଏକାଧିକ ବଡ଼ ନିଷ୍ପତ୍ତି । ନୂଆ ନିୟମ ଅନୁସାରେ, ପୂରା ଟୁର୍ଣ୍ଣାମେଣ୍ଟରେ ଖେଳାଳିମାନେ ପତ୍ନୀଙ୍କ ସହ ରହି ପାରିବେ ନାହିଁ । ସେହିପରି ଖେଳାଳିମାନେ ପରିବାର ସହ କେବଳ ୨ ସପ୍ତାହ ରହିପାରିବେ । ଯଦି କୌଣସି ଟୁର୍ଣ୍ଣାମେଣ୍ଟ ୪୫ ବା ତା’ଠାରୁ ଅଧିକ ଦିନ ପର୍ଯ୍ୟନ୍ତ ଚାଲେ, ତେବେ ଖେଳାଳିଙ୍କୁ କେବଳ ୧୪ ଦିନ ପାଇଁ ପରିବାର ସହ ରହିବାକୁ ଅନୁମତି ଦିଆଯିବ । ଯଦି ଟୁର୍ଣ୍ଣାମେଣ୍ଟ ଏହାଠାରୁ କମ୍ ଦିନ ପାଇଁ ଚାଲେ, ତେବେ ପରିବାର ସହ ରହିବାର ସମୟ ୭ ଦିନକୁ କମିପାରେ । ସମସ୍ତ ଖେଳାଳିଙ୍କୁ ଟିମର ବସରେ ଯାତ୍ରା କରିବାକୁ ପଡ଼ିବ ।

ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ବ୍ୟକ୍ତିଗତ ମ୍ୟାନେଜରଙ୍କୁ ମଧ୍ୟ VIP ବକ୍ସ ବା ଟିମ ବସରେ ବସିବାର ଅନୁମତି ମିଳିବନି । ତାଙ୍କୁ ଅନ୍ୟ କୌଣସି ହୋଟେଲରେ ରହିବାକୁ ପଡ଼ିବ । ଖେଳାଳିଙ୍କ ସାମଗ୍ରୀ ୧୫୦ କେଜିରୁ ଅଧିକ ହେଲେ ଅତିରିକ୍ତ ସାମଗ୍ରୀର ଶୁଳ୍କ ବିସିସିଆଇ ବହନ କରିବ ନାହିଁ । ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଖରାପ ପ୍ରଦର୍ଶନ ପରେ ଭାରତୀୟ ଟିମ୍ ଇଂଲଣ୍ଡ ବିପକ୍ଷରେ ଟି-୨୦ ଓ ତା’ପରେ ଦିନିକିଆ ସିରିଜ୍ ଖେଳିବ । ତା’ପରେ ଫେବୃଆରୀରେ ଟିମ୍ ଇଣ୍ଡିଆ ଚାମ୍ପିୟନ୍ସ ଟ୍ରଫିରେ ଅଂଶଗ୍ରହଣ କରିବ । ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ  ଭାରତୀୟ ଦଳକୁ ୧-୩ରେ ଲଜ୍ଜାଜନକ ଭାବେ ପରାଜୟ ବରଣ କରିବାକୁ ପଡ଼ିଥିଲା ।