କିଏ ହେବ ମହିଳା ଆଇପିଏଲ ଟିମ୍‌ ମାଲିକ, ବିସିସିଆଇ ପକ୍ଷରୁ ଟେଣ୍ଡର ଆହ୍ବାନ

1 min read

ମୁମ୍ବାଇ: ବିସିସିଆଇ ପକ୍ଷରୁ ମହିଳା ଇଣ୍ଡିଆନ୍ ପ୍ରିମିୟର ଲିଗ୍ ବା ମହିଳା ଆଇପିଏଲର ଶୁଭାରମ୍ଭ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି  । ମହିଳା ଆଇପିଏଲ ଦଳ କିଣିବା ଏବଂ ଚଳାଇବା ଅଧିକାର ପାଇଁ ବିସିସିଆଇ ଟେଣ୍ଡର ଘୋଷଣା କରିଛି । ଆଇପିଏଲର ପରିଚାଳନା ପରିଷଦ ଏକ ମିଡିଆ ରିଲିଜ୍ ମାଧ୍ୟମରେ ଘୋଷଣା କରିଛି ଯେ ଦଳ କିଣିବାକୁ ଥିବା ଆଗ୍ରହୀ ସଂସ୍ଥାଗୁଡ଼ିକ ଦଳ କିଣିବା ଏବଂ ପରିଚାଳନା କରିବାର ଅଧିକାର ହାସଲ କରିବା ପାଇଁ ଆବଶ୍ୟକ ବିଡିଂ ପ୍ରକ୍ରିୟାରେ ଅଂଶଗ୍ରହଣ କରନ୍ତୁ । ଏହି ନିମନ୍ତ୍ରଣ ଜରିଆରେ ଏହି ଟେଣ୍ଡର ପ୍ରକ୍ରିୟାରେ ଅଂଶଗ୍ରହଣ କରିବା ପାଇଁ ଭାରତୀୟ ବୋର୍ଡ ମଧ୍ୟ ଆବଶ୍ୟକ ସର୍ତ୍ତ ରଖିଛି । ମହିଳା ଆଇପିଏଲ୍ ଦଳ କିଣିବା ପାଇଁ ଆବଶ୍ୟକ ଯୋଗ୍ୟତା, ବିଡ୍ ସହିତ ଅଗ୍ରଗତି କରିବାକୁ ଆବଶ୍ୟକ ପ୍ରକ୍ରିୟା, ପ୍ରସ୍ତାବିତ ଦଳର ଦାୟିତ୍ବ ଏବଂ ଅଧିକାର ବିସିସିଆଇ ପକ୍ଷରୁ କୁହାଯାଇଛି ।

ଭାରତୀୟ ବୋର୍ଡ ଇନଭିଟେସନ ଟୁ ଟେଣ୍ଡରର ମୂଲ୍ୟ ୫ ଲକ୍ଷ ଟଙ୍କା ରଖିଛି । ଏହି ରାଶିର ଜିଏସଟି ପୃଥକ ଭାବରେ ପ୍ରଦାନ କରାଯିବ । ଏହି ରାଶି ଫେରସ୍ତ ହେବ ନାହିଁ । ଜିଏସଟି ସମେତ ମୋଟ ୫ ଲକ୍ଷ ୯୦ ହଜାର ଟଙ୍କା ସହ ମହିଳା ଆଇପିଏଲ୍ ଦଳ କିଣିବାକୁ ଟେଣ୍ଡର ପକାଇପାରିବେ । ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଆଇଟିଟି କ୍ରୟ ପାଇଁ ଉପଲବ୍ଧ ହେବ । ଦଳ କିଣିବାକୁ ଆଗ୍ରହୀମାନଙ୍କୁ ଦେୟଗୁଡିକର ବିବରଣୀ ଇମେଲ କରିବାକୁ ଅନୁରୋଧ କରିଛି IPL ପରିଚାଳନା ପରିଷଦ । ବିସିସିଆଇ ସ୍ପଷ୍ଟ କରିଛି ଯେ କେବଳ ITT କ୍ରୟ କରିଥିବା କୌଣସି ବ୍ୟକ୍ତିଙ୍କୁ ବିଡ୍ କରିବାକୁ ଅଧିକାର ଦେବ ନାହିଁ । ବିସିସିଆଇ ନିଜ ଇଚ୍ଛାନୁସାରେ ଯେ କୌଣସି ପର୍ଯ୍ୟାୟରେ ବିଡିଂ ପ୍ରକ୍ରିୟାକୁ ବାତିଲ କରିପାରିବ ।