ଦିନିକିଆ ବିଶ୍ୱକପ୍ ଉପରେ ଟିମ୍ ଇଣ୍ଡିଆର ନଜର, ଦ୍ୱିପାକ୍ଷିକ ଦିନିକିଆ ମ୍ୟାଚକୁ ନେଇ ଅଚାନକ୍ ପ୍ଲାନ୍ ବଦଳାଇଲା ବିସିସିଆଇ

1 min read

ନୂଆଦିଲ୍ଲୀ: ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଭାରତରେ ଦିନିକିଆ ବିଶ୍ୱକପ୍ ଖେଳାଯିବ । ଯେହେତୁ ଘରୋଇ ମାଟିରେ ଖେଳ ହେଉଛି ଭାରତୀୟ ଟିମ୍ ନିଜ ନାଁରେ ଏହି କପ୍ କରିବା ପାଇଁ ଜୋରଦାର ପ୍ରସ୍ତୁତି କରୁଛି । ଭାରତ ଗତଥର ୨୦୧୧ରେ ହିଁ ଘରୋଇ ମାଟିରେ ୨୮ ବର୍ଷର ଅପେକ୍ଷା ପରେ ବିଶ୍ୱକପ୍ ଜିତିଥିଲା । ଏପରି ସ୍ଥିତିରେ ଟିମ୍ ଇଣ୍ଡିଆ ଚଳିତଥର ମଧ୍ୟ ଏହି ଇତିହାସ ଦୋହରାଇବାକୁ ଚାହିଁବ । ଏଥିପାଇଁ ବିସିସିଆଇ ନିଜ ସ୍ତରରେ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଆଇପିଏଲ ୨୦୨୩ ପରଠୁ ହିଁ ଭାରତୀୟ କ୍ରିକେଟ-ର ସିଡ୍ୟୁଲ ବହୁତ ବ୍ୟସ୍ତ ରହିବ ।

ଭାରତକୁ ଜୁନରେ ବିଶ୍ୱ ଟେଷ୍ଟ ଚମ୍ପିଆନସିପର ଫାଇନାଲ ଖେଳିବାର ଅଛି । ଏହାପରେ ଅଗଷ୍ଟ-ସେପ୍ଟେମ୍ବରରେ ଏସିଆ କପ୍ ଏବଂ ଏହାପରେ ଦିନିକିଆ ବିଶ୍ୱକପରେ ଖେଳାବାକୁ ଅଛି । କିନ୍ତୁ ବିସିସିଆଇ ଆଇପିଏଲ ପରଠୁ ହିଁ ଟିମ ଇଣ୍ଡିଆର ସିଡ୍ୟୁଲରେ ବଡ଼ ପରିବର୍ତ୍ତନ କରିଛି । ଆଇପିଏଲ ୨୦୨୩ ପରେ ଟିମ୍ ଇଣ୍ଡିଆକୁ ଜୁଲାଇ-ଅଗଷ୍ଟରେ ୱେଷ୍ଟଇଣ୍ଡିଜ ଗସ୍ତରେ ଯିବାର ଅଛି । ପ୍ରଥମେ ଏହି ଟୁରରେ ୨ଟି ଟେଷ୍ଟ, ୩ଟି ଦିନିକିଆ ଏବଂ ୩ଟି ଟି-୨୦ ମ୍ୟାଚ୍ ଖେଳାଯିବା ନେଇ ଯୋଜନା ଥିଲା । କିନ୍ତୁ ଏବେ ଏଥିରେ ପରିବର୍ତ୍ତନ କରାଯାଇଛି । କ୍ରିକବଜର ରିପୋର୍ଟ ଅନୁଯାୟୀ ଏବେ ୱେଷ୍ଟଇଣ୍ଡିଜ ଗସ୍ତରେ ଭାରତୀୟ କ୍ରିକେଟ ଟିମ୍ ୧୦ ଟି ମ୍ୟାଚ୍ ଖେଳିବ ।

ଏହି ଗସ୍ତ ସମୟରେ ଉଭୟ ଦେଶ ମଧ୍ୟରେ ଏବେ ୩ଟି ବଦଳରେ ୫ ଟି ଟି-୨୦ ମ୍ୟାଚ୍ ଖେଳାଯିବ । ବିସିସିଆଇ ଏନେଇ ବର୍ତ୍ତମାନ ସୁଦ୍ଧା ଅଧିକାରିକ ଘୋଷଣା କରିନାହିଁ । କ୍ରିକବଜର ରିପୋର୍ଟ ଅନୁଯାୟୀ, ଆଇପିଏଲ ୨୦୨୩ ଏବଂ ବିଶ୍ୱ ଟେଷ୍ଟ ଚମ୍ପିଆନସିପର ଫାଇନାଲ୍ ପରେ ବିସିସିଆଇ ଆଫଗାନୀସ୍ତାନ ବା ଶ୍ରୀଲଙ୍କା ସହ ୩ଟି ଦିନିକିଆ ଘରୋଇ ସିରିଜର ଆୟୋଜନ କରିବା ନେଇ ଯୋଜନା କରୁଛି । ଅବଶ୍ୟ ଏବେ ବି କିଛି ପକ୍କା ହୋଇନାହିଁ । ଯଦି କ୍ରିକେଟ ବୋର୍ଡ ମଧ୍ୟରେ ଏହାକୁ ନେଇ ସହମତି ହୁଏ ତେବେ ଜୁନ ମଧ୍ୟ ଭାଗରେ ଏହି ସିରିଜ୍ ଖେଳାଯିବ ।

ପ୍ରକାଶ ଥାଉକି ଭାରତକୁ ୭ରୁ ୧୧ ଜୁନ ମଧ୍ୟରେ ଓଭାଲରେ ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲ୍ ଖେଳିବାର ଅଛି । ଫାଇନାଲରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ଭେଟିବ ଭାରତ । ଏହାପରେ ଜୁଲାଇ-ଅଗଷ୍ଟରେ ଭାରତକୁ ୱେଷ୍ଟଇଣ୍ଡିଜ ଏବଂ ଏହାପରେ ୩ଟି ଟି-୨୦ ସିରିଜ ପାଇଁ ଆୟରଲ୍ୟାଣ୍ଡ ଯିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ସେପ୍ଟେମ୍ବରରେ ଏସିଆ କପ୍ ଏବଂ ପରେ ଘରେ ହିଁ ଭାରତୀୟ ଟିମ୍ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ଅଷ୍ଟ୍ରେଲିଆକୁ ଭେଟିବ । ଏହାପରେ ଅକ୍ଟୋବର-ନଭେମ୍ବରରେ ଦିନିକିଆ ବିଶ୍ୱକପ୍ ଖେଳାଯିବ ।

ଏସିଆ କପ୍‌କୁ ଛାଡ଼ିଦେଲେ, ଭାରତ ପାଖରେ ଦ୍ୱିପାକ୍ଷିକ ଦିନିକିଆ ସିରିଜ୍‌ର ୬ ଟି ମ୍ୟାଚ୍ ଖେଳିବା ପାଇଁ ରହୁଥିଲା । ହେଲେ ଯଦି ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଦୁଇଟି ମ୍ୟାଚ୍ ଏବଂ ଶ୍ରୀଲଙ୍କା କିମ୍ବା ଆଫଗାନୀସ୍ତନ ବିପକ୍ଷରେ ତିନୋଟି ମ୍ୟାଚ୍ ବିସିସିଆଇ ଆୟୋଜନ କରୁଛି ତେବେ ମୋଟ୍ ମ୍ୟାଚ୍ ସଂଖ୍ୟା ୧୧କୁ ବୃଦ୍ଧି ପାଇବ । ଦିନିକିଆ ବିଶ୍ୱକପ୍ ପୂର୍ବରୁ ଏହି ୧୧ଟି ମ୍ୟାଚ୍ ଭାରତୀୟ ଦଳକୁ ଆହୁରି ମଜଭୁତ କରିବା ସହ ଅଭିଜ୍ଞତା ଦେବ । ପ୍ରତିଭାଶାଳୀ ଯୁବ ଖେଳାଳିଙ୍କୁ ନେଇ ପରୀକ୍ଷାନିରୀକ୍ଷା କରାଯିବା ବି ଜରୁରୀ । ଯାହାଫଳରେ ଭାରତ ଚଳିତ ବର୍ଷ ବିଶ୍ୱକପ୍ ବିଜୟୀ ହୋଇପାରିବ ।