ଫିଟ୍ ରହିବା ପାଇଁ ଇଞ୍ଜେକ୍ସନ ନିଅନ୍ତି ଭାରତୀୟ ଖେଳାଳି, ଷ୍ଟିଙ୍ଗ ଅପରେସନରେ ମୁଖ୍ୟ ଚୟନକର୍ତ୍ତାଙ୍କ ଖୁଲାସା

1 min read

ମୁମ୍ବାଇ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସବୁଠୁ ଧନୀ କ୍ରିକେଟ ବୋର୍ଡ ଅଟେ । ଏଠାରେ ଖେଳାଳି ନିଜର ନାଁ ଚମକାଇବା ପାଇଁ ନା କେବଳ ପ୍ରଦର୍ଶନ କରିଥାନ୍ତି ବରଂ ବୋର୍ଡ ସହ ଜଡ଼ିତ ବଡ଼ ସଦସ୍ୟଙ୍କୁ ଖୁସି କରିବା ପାଇଁ ଘଣ୍ଟା ଘଣ୍ଟା ଧରି କଥା ମଧ୍ୟ ହୋଇଥାନ୍ତି । ରୋହିତ ଶର୍ମା ସେହି ସବୁ ଖେଳାଳିମାନଙ୍କ ମଧ୍ୟରୁ ଜଣେ । ଏହା ବ୍ୟତୀତ ମଧ୍ୟ ଅନେକ ଖୁଲାସା ହୋଇଛି ଯାହା କ୍ରିକେଟ ଫ୍ୟାନ୍ସଙ୍କୁ ଆଜି ପର୍ଯ୍ୟନ୍ତ ଜଣାନଥିବ । ବିସିସିଆଇ ଭିତରେ କଣ ଚାଲେ ତା ସମ୍ପର୍କରେ ଜାଣିବା ସହଜ ନୁହେଁ । କିନ୍ତୁ ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା ଯେଉଁ ଖୁଲାସା କରିଛନ୍ତି ତାହା ଜାଣି ଆପଣ ସ୍ତବ୍ଧ ହୋଇଯିବେ ।

ଏକ ଜାତୀୟ ଗଣମାଧ୍ୟମ ନିଜ ଷ୍ଟିଙ୍ଗ ଅପରେସନ ଜରିଆରେ ଏସବୁ ଖୁଲାସା କରିଛି । ଏକ ସିକ୍ରେଟ କ୍ୟାମେରାରେ ଚେତନଙ୍କ ସମସ୍ତ କଥା କଏଦ ହୋଇଛି । ଏକ ଷ୍ଟିଙ୍ଗ ଅପରେସନ ଜରିଆରେ ଚେତନ ଶର୍ମା ଏହା ସ୍ପଷ୍ଟ କହୁଥିବାର ନଜର ଆସିଛନ୍ତି ଯେ ଭାରତୀୟ କ୍ରିକେଟର୍ସ ଫିଟ୍ ରହିବା ପାଇଁ ଇଞ୍ଜେକ୍ସନ ନେଇଥାନ୍ତି । ଆପଣ ଜାଣିଛନ୍ତି ଯେ ଆପଣଙ୍କ ପସନ୍ଦ କ୍ରିକେଟର୍ସ ଜିମରେ ଝାଳ ବୁହାଇ ବା ପୁଷ୍ଟିକର ଖାଦ୍ୟ ଖାଇ ନିଜକୁ ଫିଟ୍ ରଖିଥାନ୍ତି । ୟୋ ୟୋ ଟେଷ୍ଟକୁ ପାସ୍ କରିବା ମଧ୍ୟ ସହଜ ହୋଇନଥାଏ । କିନ୍ତୁ ଅନେକ ଖେଳାଳି ଏହାକୁ ଅତି ସହଜରେ ପାସ୍ କରିଥାନ୍ତି । ସେହିପରି କିଛି ଏପରି ଖେଳାଳି ଅଛନ୍ତି ଯିଏ କି ବ୍ଯାଟରେ ବହୁତ ରନ୍ କରିଥାନ୍ତି କିନ୍ତୁ ଫିଟନେସ୍ ଟେଷ୍ଟ ପାସ୍ କରିପାରିନଥାନ୍ତି ।

ଚେତନ ଶର୍ମା କ୍ୟାମେରା ସମ୍ମୁଖରେ ଖୁଲାସା କରିଛନ୍ତି ଯେ ଖେଳାଳି ନିଜକୁ ଫିଟ୍ ରଖିବା ପାଇଁ ଇଞ୍ଜେକ୍ସନର ସାହାରା ନିଅନ୍ତି । ଚେତନ କହିଛନ୍ତି ଯେ, ଖେଳାଳି ଇଞ୍ଜେକ୍ସନ ନିଅନ୍ତି ଏବଂ ଏହାଦ୍ୱାରା ସେ ୮୦ ପ୍ରତିଶତ ଫିଟ୍ ହୋଇଥିଲେ ମଧ୍ୟ ୧୦୦ ପ୍ରତିଶତ ଫିଟ୍ ହୋଇଯାଇଥାନ୍ତି । ଏହା ପେନ କିଲର ନୁହେଁ । ଏହି ଇଞ୍ଜେକ୍ସନରେ ଏପରି ଔଷଦ ଅଛି ଯାହା ଡୋପ ଟେଷ୍ଟରେ ମଧ୍ୟ ଧରା ପଡ଼ିନଥାଏ । ଏଥିସହିତ ଚେତନ ଶର୍ମା ଖୁଲାସା କରିଛନ୍ତି ଯେ, ନକଲି ଫିଟନେସ୍ ପାଇଁ ଇଞ୍ଜେକ୍ସନ ନେଇଥିବା ଏହି ସମସ୍ତ ଖେଳାଳିଙ୍କ ପାଖରେ କ୍ରିକେଟ ବାହାରେ ମଧ୍ୟ ନିଜର ଡାକ୍ତର ଅଛନ୍ତି ।

ଯିଏ କି ଏମାନଙ୍କୁ ସଟ୍ସ ଯୋଗାଇ ଦେଇଥାନ୍ତି ଯାହାଫଳରେ ସେମାନଙ୍କୁ ମହତ୍ତ୍ୱପୂର୍ଣ୍ମ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ସମ୍ପୂର୍ଣ୍ଣ ଭାବେ ଫିଟ୍ ଘୋଷିତ କରାଯାଇ ପାରିବ ।କିଛି ଷ୍ଟାର ଖେଳାଳି ସମ୍ପୂର୍ଣ୍ଣ ଭାବେ ଫିଟ୍ ନହୋଇଥିଲେ ମଧ୍ୟ ନ୍ୟାସନାଲ କ୍ରିକେଟ ଏକାଡେମୀରୁ ସବୁଜ ପତାକା ଦେଖାଯାଇଥାଏ ଏବଂ ଏହାପରେ ଚୟନକର୍ତ୍ତାଙ୍କ ସିଲେକ୍ସନ ଆଧାରରେ ଫାଇନାଲ୍ କଲ୍ କରିବା ପାଇଁ କୁହାଯାଇଥାଏ । ଚେତନ ଆଗକୁ କହିଛନ୍ତି, ବୁମରାହଙ୍କ ଆଘାତ ଏତେ ଗମ୍ଭୀର ଯେ ଯଦି ସେ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପର ଗୋଟିଏ ବି ମ୍ୟାଚ୍ ଖେଳିଥାନ୍ତେ ତେବେ ସେ ଅତିକମ୍ ରେ ଏକ ବର୍ଷ ପାଇଁ ଦଳରୁ ବାଦ୍ ହୋଇଯାଇଥାନ୍ତେ । ଟି-୨୦ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ମୋ ଘରକୁ ପ୍ରାୟ ସମୟରେ ଆସିଥାନ୍ତି ।

ରୋହିତ ଶର୍ମା ମୋ ସହିତ ଘଣ୍ଟା ଘଣ୍ଟା ଧରି କଥା ହୋଇଥାନ୍ତି । ବଡ଼ ବଡ଼ ଖେଳାଳିଙ୍କୁ ବ୍ରେକ୍ ବାହାନାରେ ବାହାର କାରଯାଉଛି । ଯେମିତି ହିଁ କୌଣସି ବଡ଼ ଖେଳାଳିଙ୍କ ସ୍ଥାନରେ ନୂଆ ଖେଳାଳିଙ୍କୁ ସୁଯୋଗ ଦେବା ସମୟ ଆସେ ତେବେ ବଡ଼ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଥାଏ । ଚେତନ କହିଛନ୍ତି,” ଉମେଶ ଯାଦବ ମଧ୍ୟ ଆସିଥାନ୍ତି କାରଣ ଅନେକ କ୍ରିକେଟରଙ୍କୁ ନିଜ କ୍ୟାରିଅରକୁ ନେଇ ବିପଦ ରହିଥାଏ । ସେମାନେ ଚାହିଁଥାନ୍ତି ଯେ କିପରି ସେମାନଙ୍କୁ ଏକ ସୁଯୋଗ ମିଳିଯାଉ । ଇଶାନ କିଶନଙ୍କ ପାଇଁ ୩ ଖେଳାଳି ଦଳରୁ ବାଦ୍ ପଡ଼ିଛନ୍ତି ।

ଶିଖର ଧୱନ, ସଞ୍ଜୁ ସାମସନ ଏବଂ କେଏଲ ରାହୁଲ ।” କୋହିଲଙ୍କ ଅଧିନାୟକତ୍ୱ ବିବାଦ ଉପରେ ଖୁଲାସା କରି ଚେତନ କହିଛନ୍ତି, କୋହଲିଙ୍କୁ ଲାଗୁଛି ଯେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ କାରଣରୁ ତାଙ୍କ ଅଧିନାୟକ ପଦ ଗଲା, କିନ୍ତୁ ଏପରି ନୁହେଁ ସିଲେକ୍ସନ କମିଟିର ଭିଡିଓ କନଫରେନ୍ସରେ ୯ଜଣ ଥିଲେ, ଗାଙ୍ଗୁଲି କୋହଲିଙ୍କୁ କହିଥିଲେ ଯେ ଅଧିନାୟକ ପଦ ଛାଡିବା ସମ୍ପର୍କରେ ଗୋଟେଥର ନିଶ୍ଚୟ ଭାବନ୍ତୁ । ମୋତେ ଲାଗୁଛି ଯେ କୋହଲି ଏହି କଥା ବୋଧହୁଏ ଶୁଣିନାହାନ୍ତି । ଏହାପରେ କୋହଲି ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପୂର୍ବରୁ ପ୍ରେସ କନଫରେନ୍ସରେ ବିନା କାରଣରେ ଏହି ପ୍ରସଙ୍ଗ ଉଠାଇଥିଲେ । କୋହଲି କହିଥିଲେ ଯେ, ମୋତେ ଦେଢ଼ ଘଣ୍ଟା ପୂର୍ବରୁ କୁହାଗଲା ଯେ ମୋତେ ଅଧିନାୟକ ପଦ ଛାଡ଼ିବାକୁ ହେବ । ବିରାଟ ସୌରଭ ଗାଙ୍ଗୁଲିଙ୍କ ଉପରେ ପାଲଟା ଆକ୍ରମଣ କରିବାକୁ ଚାହୁଁଥିଲେ ବୋଲି କହିଛନ୍ତି ଚେତନ ।

ଏହି ଖବର ମିଳିବା ପରେ ଟ୍ୱିଟରରେ ଚେତନ ଶର୍ମା ନାଁରେ ଟ୍ରେଣ୍ଡ ଚାଲିଛି । ଏପରି ଏକ ମନ୍ତବ୍ୟ ପାଇଁ ସବୁଆଡ଼ୁ ନିନ୍ଦା କରାଯାଉଛି । ଅନେକ କହିଛନ୍ତି ଯଦି ଏହା ସତ ହୋଇଥାଏ ତେବେ ନୂଆ ପ୍ରତିଭାଙ୍କ ଭବିଷ୍ୟତ ପାଇଁ ଏହା ବିପଦ ଅଟେ । ସୂଚନାଥାଉକି ଏକ ମାସ ପୂର୍ବେ ଦ୍ୱିତୀୟ ଥର ପାଇଁ ଭାରତୀୟ କ୍ରିକେଟ ଟିମର ମୁଖ୍ୟ ଚୟନକର୍ତ୍ତା ଭାବେ ଚେତନ ଶର୍ମା ନିଯୁକ୍ତ ହୋଇଥିଲେ । ବିସିସିଆଇର ନୂଆ ସିଲେକ୍ସନ କମିଟିରେ ଚେତନ ଶର୍ମାଙ୍କ ବ୍ୟତୀତ ଶିବସୁନ୍ଦର ଦାସ, ସଲିଳ ଅଙ୍କୋଲା, ସୁବ୍ରତୋ ବନାର୍ଜୀ ଏବଂ ଶ୍ରୀଧରନ ଶରତ କମିଟିର ଅନ୍ୟ ଚାରି ସଦସ୍ୟ ନିଯୁକ୍ତ ହୋଇଥିଲେ ।