ମହିଳା ପ୍ରିମିୟର ଲିଗରେ ରେକର୍ଡ, ୪୬୭୦ କୋଟିରେ ବିକ୍ରି ହେଲା ୫ ଟିମର ମାଲିକାନା

1 min read

ନୂଆଦିଲ୍ଲୀ: ମହିଳା ପ୍ରିମିୟର ଲିଗ୍ ପାଇଁ ବିକ୍ରି ହେଲା ଟିମ୍ । ୫ଟି ଟିମ୍ ବିକ୍ରି କଲା ବିସିସିଆଇ । ମହିଳା ପ୍ରିମିୟର ଲିଗ୍ ମାଲିକାନା ହାସଲ ପାଇଁ ଚାଲିଥିବା ବିଡରେ ନୂଆ ରେକର୍ଡ କରିଛି ବିସିସିଆଇ । ଏହି ୫ଟି ଟିମକୁ ୪ ହଜାର ୬୭୦ କୋଟିରେ ବିକ୍ରି କରିଛି ବିସିସିଆଇ । ତେବେ ଏହି ବିଡିଂ ପୁରୁଷ ଆଇପିଏଲ ୨୦୦୮ର ରେକର୍ଡକୁ ଭାଙ୍ଗି ଦେଇଛି । ୨୦୦୮ ପୁରୁଷ ଆଇପିଏଲର ପ୍ରଥମ ସଂସ୍କରଣ ବେଳେ ବିଡିଂରୁ ଯେତିକି ଟଙ୍କା ମିଳିଥିଲା,ତା’ଠାରୁ ଅଧିକ ଟଙ୍କା ମହିଳା ପ୍ରିମିୟର ଲିଗ୍‌ରୁ ମିଳିଛି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ବିସିସିଆଇ ସମ୍ପାଦକ ଜୟ ଶାହା । ଜୟ ଶାହା ଟ୍ୱିଟ୍ କରି କହିଛନ୍ତି କି ଆଜି କ୍ରିକେଟ ପାଇଁ ଆଜି ଏକ ଐତିହାସିକ ଦିନ । ଆମେ ପାଞ୍ଚଟି ଟିମ୍ ନିଲାମୀରୁ ୪୬୬୯.୯୯ କୋଟି ଟଙ୍କା ପାଇଛୁ । ଏହା ମହିଳା କ୍ରିକେଟରେ ବୈପ୍ଳବିକ ପରିବର୍ତ୍ତନ । ଏହା କେବଳ ମହିଳା କ୍ରିକେଟ ନୁହେଁ ପୂରା କ୍ରୀଡା ଜଗତକୁ ନୂଆ ଦିଗଦର୍ଶନ ଦେବ ବୋଲି ଜୟ ଶାହା କହିଛନ୍ତି ।

ଏହି ମହିଳା ଟି-୨୦ ଟୁର୍ଣ୍ଣାମେଣ୍ଟର ନାଁ WPL ରଖାଯାଇଛି । ଏହି ବିଡିଂରେ ଅହମଦାବାଦ ଫ୍ରାଞ୍ଚାଇଜକୁ ଅଦାନୀ ସ୍ପୋର୍ଟସ ଲାଇନ ପ୍ରାଇଭେଟ୍‌ ଲିମିଟେଡ ୧୨୮୯ କୋଟି ଟଙ୍କାରେ କିଣିଛି । ସେହିପରି ମୁମ୍ବାଇ ଟିମକୁ ଇଣ୍ଡିଆ ଓ୍ୱିନ୍ ସ୍ପୋର୍ଟସ ପ୍ରାଇଭେଟ୍ ଲିମିଟେଡ୍ ୯୧୨.୯୯ କୋଟି, ବେଙ୍ଗାଲୁରୁ ଫ୍ରାଞ୍ଚାଇଜକୁ ରୟାଲ ଚ୍ୟାଲେଞ୍ଜର୍ସ ସ୍ପୋର୍ଟସ ପ୍ରାଇଭେଟ୍ ଲିମିଟେଡ୍ ୯୦୧ କୋଟି, ଦିଲ୍ଲୀ ଫ୍ରାଞ୍ଚାଇଜକୁ ଜେଏସଡବ୍ଲ୍ୟୁ ଜିଏମଆର କ୍ରିକେଟ ପ୍ରାଇଭେଟ୍ ଲିମିଟେଡ୍ ୮୧୦ କୋଟି ଓ ଲକ୍ଷ୍ନୌ ଫ୍ରାଞ୍ଚାଇଜକୁ କାପ୍ରୀ ଗ୍ଲୋବାଲ ହୋଲଡିଂ ପ୍ରାଇଭେଟ୍ ଲିମିଟେଡ ୭୫୭ କୋଟିରେ କିଣିଛି ।