ଦୁଇଦିନ ଫୁଟିଲା ବାଣ, ଧୂଆଁ ଧୂଆଁ ରାଜଧାନୀ

1 min read

ନନ୍ଦିଘୋଷ ବ୍ୟୁରୋ: ଧୂଆଁଧୂଆଁ ଭୁବନେଶ୍ବର । ଦୀପାବଳିରେ ବେପରୁଆ ଫୁଟିଲା ବାଣ, ଅଣାୟତ ହେଲା ରାଜଧାନୀର ପ୍ରଦୂଷଣ । ବାଣ ଧୂଆଁରେ ଅଣନିଃଶ୍ବାସୀ ରାଜଧାନୀ ବାସିନ୍ଦା । ଏଥର ଦୁଇଦିନ ଦୀପାବଳି ପାଳନ ହୋଇଥିବାବେଳେ ଭୁବନେଶ୍ବରରେ ଲଗାତାର ଦୁଇଦିନ ଲୋକେ ମାତ୍ରାଧିକ ବାଣ ଫୁଟାଇଛନ୍ତି । ଅତ୍ଯଧିକ ବାଣ ଫୁଟା ଯୋଗୁ ଭୁବନେଶ୍ବରରେ ଏୟାର କ୍ବାଲିଟି ଖରାପ ହୋଇଛି । ଗତକାଲି ସନ୍ଧ୍ୟାରୁ ଚାରିଆଡ଼ ଧୂଆଁମୟ ହୋଇଯାଇଥିଲା । ୧୦ ମିଟର ଆଗକୁ ଦେଖିବା ବି ସହଜ ହେଉନଥିଲା । ଦୀପାବଳି ବାଣଫୁଟା ଯୋଗୁ ଗତକାଲି ଭୁବନେଶ୍ବରର ଏୟାର କ୍ୱାଲିଟି ଇଣ୍ଡେକ୍ସ ବା AQI ୧୪୨ ଛୁଇଁଛି । ଏହି ସମୟରେ ତାଳଚେରର ହାରାହାରି ପ୍ରଦୂଷଣ ମାତ୍ରା ୨୩୫ ଥିବାବେଳେ ବାଲେଶ୍ୱରର ଏକ୍ଯୁଆଇ ୧୧୧, ରାଉରକେଲାରେ ୧୭୦ ଓ କଟକର ଏକ୍ଯୁଆଇ ୧୧୦ ରହିଛି । ଗୋଟିଏ ସମୟରେ ମାତ୍ରାଧିକ ବାଣ ଫୁଟା ଯୋଗୁ ପ୍ରଦୂଷଣ ମାତ୍ରା ବଢିଯାଇଛି । ବାଣରୁ ନିର୍ଗତ ଧୂଆଁ ଓ ଶିଳ୍ପ ବର୍ଯ୍ୟବସ୍ତୁ ବାୟୁମଣ୍ଡଳକୁ ପ୍ରବେଶ କରୁଛି । ଯେଉଁଥିରେ ଅଙ୍ଗାରକାମ୍ଳ, ଗନ୍ଧକ, ଯବକ୍ଷାରଜାନ ଓ ମିଥେନ ପରି ବିଷାକ୍ତ ଗ୍ୟାସ୍ ରହିଛି । ଯାହା ସବୁଜ ଗୃହ ବାଷ୍ପକୁ ପ୍ରୋତ୍ସାହିତ କରିଚାଲିଛି । ଏଥିରେ ବାଣ ଫୁଟା ପରେ ବାୟୁମଣ୍ଡଳରେ ସବୁଜ ଗୃହ ବାଷ୍ପ ଆହୁରି ବଢିଯାଏ । ଏଭଳି ବାୟୁ ପ୍ରଦୂଷଣକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ପରିବେଶବିତ ।