ବିବିସି ଅଫିସରେ ସାରା ରାତି ରେଡ୍, ମୁମ୍ବାଇ ଓ ଦିଲ୍ଲୀ ଅଫିସରେ ଜାରି ରହିଛି ଚଢାଉ

ନୂଆଦିଲ୍ଲୀ: ସାରା ରାତି ଚାଲିଲା ରେଡ୍ । ଲମ୍ବା ସମୟ ଧରି ଚାଲିଛି ବିଦେଶୀ ଗଣମାଧ୍ୟମ ବିବିସି ଅଫିସରେ ରେଡ୍ । ମୁମ୍ବାଇ ଓ ଦିଲ୍ଲୀ ଅଫିସରେ ଛାନଭିନ୍ କରିଛି ଆୟକର ବିଭାଗ । ଗତକାଲିଠୁ ଆରମ୍ଭ ହୋଇଥିବା ଚଢାଉ ଏପର୍ଯ୍ୟନ୍ତ ଚାଲିଛି ବୋଲି ଜଣାପଡିଛି  । ଗୁଜରାଟ ଦଙ୍ଗା ଉପରେ ଡକ୍ୟୁମେଣ୍ଟାରି କରି ଅଡୁଆରେ ବିବିସି । ଆୟକର ବିଭାଗର ୧୫ ଜଣିଆ ଟିମ୍ ଦିଲ୍ଲୀ ଓ ମୁମ୍ବାଇ ସ୍ଥିତ ଅଫିସରେ ଛାନଭିନ କରିଥିଲେ । କର୍ମଚାରୀମାନେ କିଛି ଜାଣିବା ଆଗରୁ ସେମାନଙ୍କ ମୋବାଇଲ ଫୋନ୍ ନେଇଯାଇଥିଲେ ଆୟକର ବିଭାଗର ଟିମ୍ । ଗତ ରାତିରେ କର୍ମଚାରୀଙ୍କ ଲାପଟପ ସ୍କାନ କରାଯାଇଥିଲା  । କର୍ମଚାରୀଙ୍କୁ ବାହାରେ ଅପେକ୍ଷା କରିବାକୁ କୁହାଯାଇଥିଲା  । ଚ୍ୟାନେଲର କର୍ତ୍ତୁପକ୍ଷଙ୍କୁ ଏ ବିଷୟରେ ପଚାରିଲେ ଏହାକୁ ଚଢାଉ ନୁହେଁ ଏହାକୁ ଏକ ସର୍ଭେ ବୋଲି କୁହାଯାଇଥିଲା  ।

କର୍ମଚାରୀମାନେ କାହାକୁ ଫୋନ୍ କରିପାରିବେ ନାହିଁ ବୋଲି ଆୟକର ବିଭାଗ ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯାଇଥିଲା । ଟ୍ୟାକ୍ସ ଅନିୟମିତତା ଏବଂ ଟଙ୍କା ହେରଫେର ମାମଲାରେ ଏହି ଛାନଭିନ ହେଉଥିବା ଜଣାପଡ଼ିଛି । ବିବିସି ଅଫିସ ସହ ଜଡ଼ିତ ସମସ୍ତ କାଗଜପତ୍ର ଛାନଭିନ କରାଯାଉଛି । ବିବିସି ଅଫିସ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ କରାଯାଇଥିବା ବେଳେ କର୍ମଚାରୀମାନେ ଭୟଭିତ ନହେବାକୁ ପରାମର୍ଶ ଦିଆଯାଇଛି । ବେଆଇନ୍ ଭାବେ କର ନ ଦେବା ଏବଂ ଅର୍ଥ ହେରଫେର ମାମଲାରେ ବିବିସିକୁ ପୂର୍ବରୁ ମଧ୍ୟ ନୋଟିସ କରାଯାଇଥିଲା । ହେଲେ ନୋଟିସର କୌଣସି ଉତ୍ତର ବିବିସି ଦେଇନଥିଲା ବୋଲି ଚର୍ଚ୍ଚା ହେଉଛି ।