ପାଖରେ ନଥିଲା ଅର୍ଥ, କିନ୍ତୁ ତିଆରି କଲେ ଏମିତି କିଛି

ଖୋର୍ଦ୍ଧା: ଗାଡ଼ି ଚଲାଇବାକୁ ଇଚ୍ଛା ଥିଲା । କିନ୍ତୁ ପାଖରେ ଉପଯୁକ୍ତ ପରିମାଣର ଅର୍ଥ ନଥିଲା । ଗାଡ଼ି କିଣିବେ ବା କେମିତି… । କିନ୍ତୁ ଇଚ୍ଛା ଶକ୍ତି ଆଗରେ ହାର ମାନିଲା ଅର୍ଥ । ଆଉ ତିଆରି କଲେ ବ୍ୟାଟେରି ଚାଳିତ ସାଇକେଲ । ଗାଡ଼ି କିଣି ପାରିଲେନି ହେଲେ ସାଇକେଲରେ ଗାଡ଼ିର ଆବଶ୍ୟକତାକୁ ପୂରଣ କରି ଦେଖାଇଲେ । ସାଧାରଣ ସାଇକେଲରୁ ତିଆରି କଲେ ବ୍ୟାଟେରି ସାଇକେଲ ।  ଯାହା ଥରୁଟିଏ ଚାର୍ଜ କଲେ ୨୫ରୁ ୩୦ କିଲୋମିଟର ଯାଏଁ ଚାଲିପାରିବ ।

ଏଭଳି କରାମତି କରି ଦେଖାଇଛନ୍ତି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ କଣ୍ଟାବାଡ଼ ଅଞ୍ଚଳର ରାଜେଶ ଦାସ । ରାଜେଶ ହଳଦିଆ କଲେଜରେ +୨ରେ ପାଠ ପଢ଼ନ୍ତି । ଛୋଟବେଳୁ ମାଆ ଛାଡି ଆରପାରିକୁ ଚାଲିଯାଇଛନ୍ତି ଏବଂ ବାପା ଭୁବନେଶ୍ୱରରେ ଫଳ ବ୍ୟବସାୟ କରୁଛନ୍ତି । ଗରିବ ପରିବାରରୁ ଆସିଥିବାରୁ ରାଜେଶଙ୍କର ଅନେକ ସ୍ୱପ୍ନ ଅଧାରେ ରହିଯାଇଛି । କିନ୍ତୁ ରାଜେଶ ତାଙ୍କର ଏହି ଗାଡ଼ି ଚଲାଇବାର ସ୍ୱପ୍ନକୁ ଅଧାରେ ରହିବାକୁ ଦେଇ ନଥିଲେ । ସାଙ୍ଗ ମାନଙ୍କ ଠାରୁ କିଛି ଅର୍ଥ ଧାର କରି ଗୋଟିଏ ସାଇକେଲ କିଣିଥିଲେ । ପରେ ୧୨ ଭୋଲ୍ଟର ଦୁଇଟି ଲିଥିୟମ ଆୟନର ବ୍ୟାଟେରି ଏବଂ କିଛି ଆବଶ୍ୟକୀୟ ସରଞ୍ଜାମ କିଣିଥିଲେ । ଆଉ ତାପରେ ତିଆରି କରିଥିଲେ ଗୋଟିଏ ବ୍ୟାଟେରି ଚାଳିତ ସାଇକେଲ ।

ଏଇ ସାଇକେଲକୁ ଥରେ ଚାର୍ଜ କଲେ ୨୫ରୁ ୩୦ କିଲୋମିଟର ଯାଇପାରିବ  । ବ୍ୟାଟେରି ସରିଗଲାପରେ ସାଇକେଲକୁ ପେଡାଲିଂ କରି ମଧ୍ୟ ଚଲାଇବାର ସୁବିଧା ରହିଛି । ବର୍ତ୍ତମାନ ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ବିଭିନ୍ନ ପ୍ରକାରର ବିନା ପ୍ରଦୂଷଣର ଗାଡି ବ୍ୟବହାର କରାଯାଉଥିବା ବେଳେ ରାଜେଶଙ୍କର ଏହି ଗାଡ଼ି ସମସ୍ତଙ୍କୁ ପ୍ରେରଣା ଯୋଗାଇବ ।

Leave a Reply