ବାଟ୍‌ଲା ହାଉସ୍‌ ଏନକାଉଣ୍ଟର ମାମଲାରେ ଆରିଜ ଖାନ୍‌କୁ ମୃତ୍ୟୁଦଣ୍ଡ

1 min read
Batla House

ନୂଆଦିଲ୍ଲୀ: ଦେଶରେ ବହୁ ଚର୍ଚ୍ଚିତ ବଟଲା ହାଉସ୍‌ ଏନକାଉଣ୍ଟର ମାମଲାରେ ଆରିଜ ଖାନଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି । ଦିଲ୍ଲୀର ସାକେତ କୋର୍ଟ ଏହାକୁ ବିରଳ ମାମଲା ବୋଲି ବିବେଚନା କରିଛନ୍ତି । ମାର୍ଚ୍ଚ ୮ ରେ ଆରିଜ ଖାନ୍‌ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଥିଲା । ଆତଙ୍କବାଦୀ ଆରିଜ୍‌ ଖାନ୍‌ ଉପରେ କୋର୍ଟ ୧୧ ଲକ୍ଷ ଟଙ୍କା ଜୋରିମାନା ମଧ୍ୟ ଲଗାଇଛନ୍ତି । ଯେଉଁଥିରୁ ୧୦ ଲକ୍ଷ ଟଙ୍କା ଇନ୍ସପେକ୍ଟର ମୋହନ ଚାନ୍ଦ ଶର୍ମାଙ୍କ ପରିବାରକୁ ଦିଆଯିବ ।

ଏହି ମାମଲାରେ ପୂର୍ବରୁ ଅନ୍ୟ ଏକ ଅଭିଯୁକ୍ତ ଶେହଜାଦ୍‌ ଅହମ୍ମଦକୁ ୨୦୧୩ ରେ ସଜ୍ଜା ଶୁଣାଯାଇଥିଲା । ତାର ଅନ୍ୟ ୨ ସାଥୀ ଆତିଫ୍‌ ଆମେନ ଏବଂ ମହମ୍ମଦ ସାଜିଦ୍‌ ଏନ୍‌କାଉଣ୍ଟରରେ ମୃତ୍ୟୁ ବରଣ କରିସାରିଛନ୍ତି ।

ସୂଚନାଥାଉକି, ୨୦୦୮ରେ ଦିଲ୍ଲୀର ବାଟଲା ହାଉସରେ ଏକ ବଡ଼ ଏନକାଉଣ୍ଟର ହୋଇଥିଲା । ଯେଉଁଥିରୁ ବର୍ତ୍ତିଯାଇ ଆରିଜ୍‌ ଖାନ୍‌ ପେରାର ଥିଲା ।୨୦୧୮ରେ ନେପାଳରୁ ତାକୁ ଗିରଫ କରାଯାଇଥିଲା । ଏହି ଏନ୍‌କାଉଣ୍ଟର ମାମଲାରେ ଇନ୍ସପେକ୍ଟର ମୋହନ ଚାନ୍ଦ ଶର୍ମା ପ୍ରାଣ ହରାଇଥିବା ବେଳେ ପୋଲିସ୍ କର୍ମୀ ବଲୱନ୍ତ ସିଂ-ରାଜଭୀରଙ୍କୁ ମଧ୍ୟ ହତ୍ୟା କରିବାକୁ ଚେଷ୍ଟା କରାଯାଇଥିଲା ।

ତେବେ ଏହି ଆତଙ୍କବାଦୀ ଆରିଜ ଖାନ କିଏ ? ଯଦି ଆମେ ଇଣ୍ଡିଆନ୍‌ ମୁଜାହିଦ୍ଦିନ ଆତଙ୍କବାଦୀ ସଂଗଠନର ସଦସ୍ୟ ଆରିଜ୍‌ ଖାନ ବିଷୟରେ କହିବା, ତେବେ ୨୦୦୮ ମସିହାରେ ଦିଲ୍ଲୀ-ଜୟପୁର-ଅହମ୍ମଦାବାଦ ଏବଂ ୟୁପି କୋର୍ଟରେ ଯେଉଁସବୁ ବିସ୍ଫୋରଣ ଘଟିଥିଲା ତାର ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କ ମଧ୍ୟରୁ ଆରିଜ୍‌ ଖାନ୍‌ ଅନ୍ୟତମ । ଏହି ସମସ୍ତ ବିସ୍ଫୋରଣରେ ସମୁଦାୟ ୧୬୫ ଲୋକଙ୍କର ଜୀବନ ଯାଇଥିଲା । ଅନ୍ୟପଟେ ୫୩୫ ଜଣ ଗୁରୁତର ହୋଇଛନ୍ତି ।

ଏହି ବିସ୍ଫୋରଣ ପରେ ଆରିଜ୍‌ ଖାନ୍‌ ମୁଣ୍ଡରେ ୧୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା । ଯିଏ ଆରିଜ୍‌ ଖାନ୍‌କୁ ଧରାଇବ ତାକୁ ୧୫ ଲକ୍ଷ ଟଙ୍କା ଦିଆଯିବ ବୋଲି ଘୋଷଣା ହୋଇଥିଲା । ଖାଲି ସେତିକି ନୁହେଁ ଆରିଜ୍‌ ଖାନ୍‌ ବିରୋଧରେ ଇଣ୍ଟରପୋଲ ଜରିଆରେ ରେଡ୍‌ କର୍ଣ୍ଣର ନୋଟିସ୍‌ ମଧ୍ୟ ଜାରି କରାଯାଇଥିଲା । ଆଜାମଗଡ଼ର ବାସିନ୍ଦା ଆରିଜ ଖାନ୍‌ ଓରଫ ଜୁନୈଦକୁ ଫେବୃଆରୀ ୨୦୧୮ରେ ସ୍ପେଶାଲ ସେଲ ସ୍କ୍ୱାର୍ଡ ଗିରଫ କରିଥିଲା ।

କେମିତି ହୋଇଥିଳା ବାଟଲା ହାଉସ୍‌ ଏନ୍‌କାଉଣ୍ଟର

୨୦୦୮ ମସିହା ସେପ୍ଟେମ୍ବର ୧୯ ତାରିଖ ସକାଳୁ ବାଟଲା ହାଉସ୍‌ଠାରେ ଏନକାଉଣ୍ଟର ହୋଇଥିଲା । ସେତେବେଳେ ସ୍ପେଶାଲ୍ ସେଲ୍‌କୁ ଏକ ଗୁଇନ୍ଦା ସୂଚନା ଆସିଥିଲା ଯେ, ଇଣ୍ଡିଆନ୍‌ ମୁଜାହିଦ୍ଦିନର କିଛି ଆତଙ୍କବାଦୀ ବାଟ୍‌ଲା ହାଉସ୍‌ଠାରେ ଏକ ଘରେ ଲୁଚି ରହିଛନ୍ତି । ଇନ୍ସପେକ୍ଟର ମୋହନ ଚାନ୍ଦ ଶର୍ମାଙ୍କ ସମେତ କିଛି ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହାପରେ ଆତଙ୍କବାଦୀଙ୍କୁ ଘେରି ରହିବାକୁ ସେମାନେ ଯୋଜନା କରିଥିଲେ । ସେତେବେଳେ ବାଟଲା ହାଉସର ଘର ନମ୍ବର L-18 ରେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲା ପୋଲିସ । ଉଭୟ ପକ୍ଷରୁ ଗୁଳି ଚାଳନା କରାଯାଇଥିଲା । ଏଥିରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଇନ୍ସପେକ୍ଟର ମୋହନ ଚାନ୍ଦ ଶର୍ମା ସହିଦ ହୋଇଥିଲେ । ସେବେଠାରୁ ଏହି ମାମଲା କୋର୍ଟରେ ଚାଲିଥିଲା ।

Leave a Reply