ରାତି ପାହିଲେ ସ୍ନାନଯାତ୍ରା: ଗଜାନନ ବେଶରେ ଦର୍ଶନ ଦେବେ ଚତୁର୍ଦ୍ଦାମୂର୍ତ୍ତୀ

ପୁରୀ: ରାତି ପାହିଲେ ଦେବସ୍ନାନ ପୂର୍ଣ୍ଣିମା । ରତ୍ନବେଦୀ ଛାଡ଼ି ସ୍ନାନବେଦୀରେ ସ୍ନାନ ନୀତି କରିବା ସହ ଗଜାନନ ବେଶରେ ଦେବେ ଦର୍ଶନ ଚତୁର୍ଦ୍ଦାମୂର୍ତ୍ତୀ | କୋଭିଡ କଟକଣା ଯୋଗୁଁ ଚଳିତ ବର୍ଷ ମଧ୍ୟ ବିନା ଭକ୍ତରେ ମହାବାହୁଙ୍କ ଏହି ସ୍ୱତନ୍ତ୍ର ଉତ୍ସବର ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ତେବେ ଚଳିତବର୍ଷ ସ୍ନାନ ଯାତ୍ରାରେ ଗଜପତି ଛେରାପହଁରା କରିବେ ନାହିଁ, ଗଜପତିଙ୍କ ସ୍ଥାନରେ ମୁଦିରସ୍ତ ଛେରାପହଁରା କରିବାକୁ ନିଷ୍ପତ୍ତି ହୋଇଛି  । ସେପଟେ ଗଜାନନ ବେଶ ଓ ପଟି ଦିଅଁଙ୍କ ନିର୍ମାଣରେ ଶେଷ ସ୍ପର୍ଶ କାରିଗରମାନଙ୍କ ଦ୍ୱାରା ଦିଆଯାଉଥିବା ବେଳେ ଆଜି ରଥ ଖଳାରେ ତିନି ରଥର ତୃତୀୟ ଭୂଇଁ ଉଠିଛି ।

ରତ୍ନବେଦୀ ଛାଡି ସ୍ନାନ ବେଦୀକୁ ଆସିବେ ମହାପ୍ରଭୁ । ଧାଡ଼ି ପହଣ୍ଡିରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଆଣିବେ ଦଇତାପତି ଓ ସେବାୟତ  । ରାତି ୧ଟାରୁ ଭୋର ୪ଟା ମଧ୍ୟରେ ସ୍ନାନମଣ୍ଡପ ବିଜେ । ଚଳିତ ବର୍ଷ କରୋନା କଟକଣା ଯୋଗୁଁ ବିନା ଭକ୍ତରେ ସ୍ନାନ ପୁର୍ଣିମା ନୀତି କରାଯିବାକୁ ଲକ୍ଷ ରଖାଯାଇଥିବା ବେଳେ, ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଲାଗୁ ହୋଇଛି ୧୪୪ଧାରା । ଶୃଙ୍ଖଳିତ ଯାତ୍ରା ସମାପନ ପାଇଁ ସାଧାରଣ ଭକ୍ତଙ୍କ ସହଯୋଗ ପ୍ରଶାସନ ଲୋଡ଼ିଥିବା ବେଳେ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ସେପଟେ ରଥ ଖଳାରେ ଆଜି ତିନି ରଥର ତୃତୀୟ ଭୂଇଁ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି  । ଦେବସ୍ନାନ ପୁର୍ଣିମାରେ ଶ୍ରୀବିଗ୍ରହଙ୍କୁ ଜଳଲାଗି ନୀତି ପରେ ସ୍ନାନବେଦୀରେ ବର୍ଷକୁ ଥରେ ଅନୁଷ୍ଠିତ ହୋଇଥାଏ ଗଜାନନ ବେଶ । ଏହି ବେଶ ଅତ୍ୟନ୍ତ ଆକର୍ଷଣୀୟ ହୋଇଥିବା ବେଳେ ଏହାର ନିର୍ମାଣ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଅନ୍ୟପଟେ ଅତ୍ୟଧିକ ସ୍ନାନ ଯୋଗୁଁ ମହାପ୍ରଭୁ ଜ୍ଜରରେ ପୀଡ଼ିତ ହୋଇ ଅଣସର ଘରେ ଅବସ୍ଥାନ କରିବେ  ।  ଅଣସର ଘରେ ଗୁପ୍ତ ସେବା ଉପଚାର ଆଗାମୀ ୧୫ଦିନ ଧରି ଜାରି ରହିବ । ଏହି ସମୟରେ ଶ୍ରୀମନ୍ଦିରରେ ପଟି ଦିଅଁ ପୂଜା ପାଇବାର ଵିଧି ଥିବା ବେଳେ, ପଟି ଦିଅଁ ନିର୍ମାଣରେ ଚିତ୍ରକାର ସେବାୟତ ମାନେ ଶେଷ ସ୍ପର୍ଶ ଦେଉଛନ୍ତି । କରୋନା ସଂକଟରେ ବିନା ଶ୍ରଦ୍ଧାଳୁରେ ସ୍ନାନଯାତ୍ରା ଅନୁଷ୍ଠିତ ହେବ  । ତେବେ ଶୃଙ୍ଖଳିତ ଭାବେ ଯାତ୍ରା ଶେଷ କରିବା ପ୍ରଶାସନ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ  ।

Leave a Reply