ମଧ୍ୟାହ୍ନ ଭୋଜନରେ ପୋକ ପଡିଥିବା ଅଭିଯୋଗ ଆଣି ଚାରିଦିନ ଉପାସରେ ଛାତ୍ରଛାତ୍ରୀ

ବାସୁଦେବପୁର : ସ୍କୁଲରେ ଶିଶୁଙ୍କୁ ମିଳୁନି ଭଲ ରନ୍ଧା ଖାଦ୍ୟ । ପୋକ ସାଲୁବାଲୁ ଖାଇବା ବର୍ଜନ କରିଛନ୍ତି ଛାତ୍ରଛାତ୍ରୀ । ଦୀର୍ଘ ଚାରିଦିନ ହେଲା ଉପାସରେ ଘରକୁ ଫରୁଛନ୍ତି । ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକର ଜଗନ୍ନାଥପୁର ନାରାୟଣ ଚନ୍ଦ୍ର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଆସିଛି ଏହି ଅଭିଯୋଗ । ଏହି ସ୍କୁଲରେ ଖାଦ୍ୟ ବଣ୍ଟନ ଦାୟିତ୍ବ ଭଦ୍ରକର ସେଣ୍ଟ୍ରାଲ କିଚେନକୁ ପ୍ରଦାନ କରାଯାଇଛି । ହେଲେ ଗତ ସୋମବାର ପ୍ରଦାନ କରାଯାଇ ଥିବା ମଧ୍ୟାନ୍ନ ଭୋଜନରେ ପୋକ ପଡିଥିବା ଦେଖିଥିଲେ କୁନି କୁନି ଶିଶୁ । ଫଳରେ ମଙ୍ଗଳବାର ଠାରୁ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟାନ୍ନ ଭୋଜନ ପ୍ରଦାନ ବନ୍ଦ ରହିଛି ।
ବାସୁଦେବପୁର ବ୍ଲକର ପିଏମ ପୋଷଣ ଯୋଜନାର ୨୯୯ ଗୋଟି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଦ୍ଯ ପ୍ରଦାନ କରାଯାଉଛି । ସେଥିମଧ୍ୟରୁ ୩୩ ସ୍କୁଲକୁ ସେଣ୍ଟ୍ରାଲ କିଚେନ ଖାଦ୍ୟ ବଣ୍ଟନ କରୁଛି । ଜଗନ୍ନାଥପୁର ନାରାୟଣ ଚନ୍ଦ୍ର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୨୦୧ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ତେବେ ଖାଦ୍ୟରେ ପୋକ ବାହାରିବା ଅଭିଯୋଗକୁ ଅସ୍ପିକାର କରିଛନ୍ତି କ୍ୟାଣ୍ଟିନ କର୍ତ୍ତୃପକ୍ଷ । ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ଜିଲ୍ଲା ଶିକ୍ଷିଧିକାରୀଙ୍କୁ ତଦନ୍ତ ରିପୋର୍ଟ ପ୍ରଦାନ କରିଥିବା ସୂଚନା ରହିଛି। ଖାଦ୍ୟ ମାନ ଯାଞ୍ଚ କରି ତୁରନ୍ତ ଛାତ୍ର ଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇ ଦେଲେ ଛାତ୍ର ଛାତ୍ରୀମାନେ ଉପକୃତ ହୁଅନ୍ତେ ।