ଅନ୍ଧବିଶ୍ବାସକୁ ଭରସା ! ଚୋର ଧରିବାକୁ ହେଲା କୁଲା ପୂଜା

ବାସୁଦେବପୁର : ପୋଲିସ ଉପରୁ ବିଶ୍ବାସ ତୁଟିଗଲା । ଚୋର ଧରିବାକୁ ହେଲା କୁଲା ପୂଜା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବାଣସାହି ଗାଁରେ । ଅଭିଯୋଗ ଅନୁସାରେ ତପନ କୁମାର ଧରଙ୍କ ଘରୁ ଚୋରି ହୋଇଥିଲା । ଏନେଇ ପୋଲିସରେ ଅଭିଯୋଗ ପରେ ବି ଚୋର ଧରାନପଡ଼ିବାରୁ ଅନ୍ଧବିଶ୍ବାସକୁ ଭରସା କରିଥିଲେ ତପନ । ଚୋରକୁ ଧରିବାକୁ ଗୁଣିଆ ସହାୟତାରେ କରାଯାଇଥିଲା ପୂଜାର୍ଚ୍ଚନା । ଏକ କୁଲାକୁ ଶୁଦ୍ଧ କରିବା ସହ ସେଥିରେ ସିନ୍ଦୂର ଲଗାଇ ପୂଜା କରାଯାଇଥିଲା । ଦୁଇ ଜଣ ବ୍ଯକ୍ତି ଉପାସ ରହି କୁଲା ଧିରିଥିଲେ । ଚୋରି କରିଥିବା ନେଇ ସନ୍ଦେହ ହେଉଥିବା ଲୋକଙ୍କ ନାଁ କହିଥିଲେ । ଯେଉଁ ଲୋକଙ୍କ ନାଁ କହିବା ବେଳେ କୁଲାଟି ଡାହାଣ ପାଖକୁ ବୁଲିଲା ସେହି ଲୋକଙ୍କୁ ଚୋର ବୋଲି ମାନିନେଇଥିଲେ ।  ମାତ୍ର ସଂପୃକ୍ତ ଚୋରି କରିନଥିବା ନେଇ କହିଲେ ମଧ୍ଯ ଗ୍ରାମବାସୀ ତାକୁ ହିଁ ଚୋର ବୋଲି ଭାବିନେଇଛନ୍ତି । ଆଇନ ଉପରୁ ଭରସା ତୁଟାଇ ଏଭଳି ଅନ୍ଧବିଶ୍ବାସ ମାଧ୍ଯମରେ ଚୋର ଧରିବାକୁ ନେଇ ବୁଦ୍ଧିଜୀବୀ ମହଲରେ କ୍ଷୋଭ ପ୍ରକାଶ ପାଇଛି ।