କେନ୍ଦ୍ରମନ୍ତ୍ରୀଙ୍କ ଉପରେ ବର୍ଷିଲେ ବିଧାୟିକା ବର୍ଷା ସିଂ ବରିହା, କହିଲେ ଏମିତି କରନ୍ତୁନି…

1 min read

ଭୁବନେଶ୍ବର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଧାୟିକା ବର୍ଷା ସିଂ ବରିହାଙ୍କ ଜୋରଦାର ଟାର୍ଗେଟ୍‌ । କେନ୍ଦ୍ରମନ୍ତ୍ରୀଙ୍କ ମନମାନିକୁ ନେଇ ବର୍ଷିଛନ୍ତି ବର୍ଷା । କହିଛନ୍ତି, ପୂର୍ବତନ ମନ୍ତ୍ରୀ ନବକିଶୋର ଦାସଙ୍କ ମୃତ୍ୟୁ ପରେ କିଛି ଦିନ ହେଲା ବିଜେପିର ବହୁ ନେତା ତାଙ୍କୁ ନିନ୍ଦିତ କରିବାକୁ ଉଦ୍ୟମ କରୁଛନ୍ତି । ଏହା ହିନ୍ଦୁ ପରମ୍ପରା ଏବଂ ଓଡ଼ିଆ ସଂସ୍କୃତିରେ ଆଦୌ ଗ୍ରହଣୀୟ ନୁହେଁ । ମୋ ବାପାଙ୍କର ଦେହାନ୍ତ ବେଳେ ମଧ୍ୟ ରାଜ୍ୟ ବିଜେପିର କିଛି ନେତା ତାଙ୍କୁ ଠିକ୍ ଏପରି ଆକ୍ଷେପ କରିଥିଲେ ।

ବର୍ଷା କହିଛନ୍ତି, ତାଙ୍କ ଚରିତ୍ର ଓ ବାହାଘରକୁ ନେଇ ବିଜେପିର ନେତାମାନେ କୁତ୍ସାରଟନା କରିଥିଲେ । ହାତଯୋଡ଼ି ଯେତେ ଅନୁରୋଧ କଲେ ବି ସେମାନେ ଆକ୍ରୋଶମୂଳକ ଭାବେ ବ୍ୟକ୍ତିଗତ ଆକ୍ରମଣ କରିଥିଲେ । ଏହି କାରଣରୁ ତାଙ୍କ ଓ ତାଙ୍କୁ ପରିବାରକୁ ଗଭୀର ମାନସିକ ଆଘାତ ଲାଗିଥିଲା । କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରି ବର୍ଷା ଆହୁରି କହିଛନ୍ତି, ଏପରି ଆକ୍ଷେପ ନ କରିବା ଲାଗି ଦଳର ନେତାଙ୍କୁ ବାରଣ କରିବା ସକାଶେ କେନ୍ଦ୍ରମନ୍ତ୍ରୀଙ୍କୁ ସେ କହିଥିଲେ । ମାତ୍ର କେନ୍ଦ୍ରମନ୍ତ୍ରୀ କିଛି କହି ନଥିଲେ । ଏଥିଲାଗି ସେ ଗଭୀର ଦୁଃଖିତ ଥିଲେ ।

ଏବେ ସମାନ ଢଙ୍ଗରେ ସ୍ବର୍ଗତ ନବକିଶୋର ଦାସଙ୍କ ଚରିତ୍ର ସଂହାର କରିବା ଲାଗି ବିଜେପି ବାରମ୍ବାର ଉଦ୍ୟମ କରୁଛି ବୋଲି ବର୍ଷା କହିଛନ୍ତି । ବିଜେପି ନେତାଙ୍କ ଏହି ଅମାନବିକ କାଣ୍ଡ ଯୋଗୁ ନବକିଶୋର ଦାସଙ୍କ ଝିଅ ଓ ତାଙ୍କ ପରିବାରର ସଦସ୍ୟମାନେ କେତେ ଯେ ମାନସିକ ଆଘାତ ପାଉଥିବେ, ତାହା ସ୍ପଷ୍ଟ ବୋଲି ବର୍ଷା କହିଛନ୍ତି । ଏପରି ଅକ୍ଷମଣୀୟ ମନ୍ତବ୍ୟରୁ ବିରତ ରହିବା ଲାଗି କେନ୍ଦ୍ରମନ୍ତ୍ରୀଙ୍କୁ ବର୍ଷା ଅନୁରୋଧ କରିବା ସହ ଦଳର ନେତାଙ୍କୁ ଏହି ଧରଣର ହୀନ ମନ୍ତବ୍ୟ ଦେବାରୁ କ୍ଷାନ୍ତ ରହିବା ଲାଗି କହିଛନ୍ତି ବର୍ଷା ।