କେନ୍ଦ୍ର ସରକାରଙ୍କ ତାଳଟୁଳ ନୀତି ବିରୋଧରେ ବର୍ଷିଲେ ବର୍ଷା ସିଂ ବରିହା
ଭୁବନେଶ୍ବର: କେନ୍ଦୁପତ୍ର ତୋଳାଳିଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ତାଳଟୁଳ ନୀତି ବିରୋଧରେ ବର୍ଷିଲେ ପଦମପୁର ବିଧାୟିକା ବର୍ଷା ସିଂ ବରିହା । ବର୍ଷାଙ୍କ ଅଭିଯୋଗ ଅନୁସାରେ, ପଦମପୁର ଉପନିର୍ବାଚନ ପ୍ରଚାର ପାଇଁ ଯାଇଥିବାବେଳେ କେନ୍ଦୁପତ୍ର ଉପରୁ ୧୮ ପ୍ରତିଶତ ଜିଏସଟି ଛାଡ଼ ପାଇଁ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ କେନ୍ଦ୍ରମନ୍ତ୍ରୀ । ମାତ୍ର ଏନେଇ ସେ କୌଣସି ପଦକ୍ଷେପ ନେଇନାହାନ୍ତି । ନିର୍ବାଚନ ସମୟରେ କେନ୍ଦୁପତ୍ର ତୋଳାଳିଙ୍କୁ ନେଇ ରାଜନୀତି କରାଯାଉଛି । ପଶ୍ଚିମ ଓଡ଼ିଶାରୁ ୫ ଜଣ ବିଜେପି ସାଂସଦ ନିର୍ବାଚିତ ହୋଇଛନ୍ତି । ହେଲେ କେନ୍ଦୁପତ୍ରରୁ ଜିଏସଟି ହଟାଇବାକୁ କାହିଁକି ସଂସଦରେ ଦାବି କରୁନାହାନ୍ତି ।
ବିଜେପିର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ କେନ୍ଦୁପତ୍ର ତୋଳାଳି ସଂଘର ସଭାପତି ଥାଇ କଣ କରିଛନ୍ତି ବୋଲି ବର୍ଷା ପ୍ରଶ୍ନ କରିଛନ୍ତି । କେନ୍ଦୁପତ୍ର ଉପରେ ୧୦ ଲକ୍ଷ ହିତାଧିକାରୀ ନିର୍ଭରଶୀଳ । ଏଣୁ ଏହା ଉପରୁ ଜିଏସଟି ହଟାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର କେନ୍ଦ୍ରକୁ ଚିଠି ଲେଖିଛନ୍ତି । ରାଜ୍ୟ ସରକାର କେନ୍ଦୁପତ୍ର ତୋଳାଳିଙ୍କୁ ସହୟତା ଦେଉଛନ୍ତି । ତିନୋଟି ପର୍ଯ୍ୟାୟରେ ୨୫୦କୋଟି ଟଙ୍କା ପ୍ରଦାନ କରାଯଇଛି । ସେପଟେ ପଦମପୁର ଜିଲ୍ଲା ହେବା ପ୍ରସଙ୍ଗରେ ବର୍ଷା କହିଛନ୍ତି, ମୁଖ୍ୟମନ୍ତ୍ରୀ ଯାହା କୁହନ୍ତି ତାହା ପାଳନ କରନ୍ତି । ଡିସେମ୍ବର ସୁଦ୍ଧା ପଦମପୁରକୁ ଜିଲ୍ଲା ମାନ୍ୟତା ପ୍ରଦାନ କରାଯିବ । ଜିଲ୍ଲା ମାନ୍ୟତା ନେଇ ମୁଖ୍ୟମନ୍ତ୍ରୀଙ୍କ ଉପରେ ପୂର୍ଣ୍ଣ ବିଶ୍ବାସ ରହିଛି ବୋଲି ବର୍ଷା କହିଛନ୍ତି ।