ସରକାର ବଦଳିବା ପରେ ବ୍ୟାରେଜ କାମ ବନ୍ଦ : ବାତିଲ ହେଲା ISS ପ୍ରୋଜେକ୍ଟ ଫେରିଗଲା ୧୨ ଶହ କୋଟି ଟଙ୍କା

ବଲାଙ୍ଗୀର: ଟିଟିଲାଗଡ଼ ନିର୍ବାଚନମଣ୍ଡଳିରେ ବହି ଯାଉଥିବା ବିଭିନ୍ନ ନଦୀ ଉପରେ ବ୍ୟାରେଜ ନିର୍ମାଣ ହେବ ଓ ଚାଷୀ ମାନଙ୍କୁ ଜଳସେଚନ ବ୍ୟବସ୍ଥା ଯୋଗାଇ ଦିଆଯିବ । ଏହି ଉଦ୍ଦେଶ୍ୟ ରଖି ପୂର୍ବ ସରକାର ୭ଟି ପ୍ରକଳ୍ପର ଟେଣ୍ଡର ଆହ୍ଵାନ କରିଥିଲେ । ହେଲେ ସରକାର ବଦଳିଯିବା ପରେ ଏବେ ପ୍ରକଳ୍ପ ବନ୍ଦ ହୋଇଯାଇଛି । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
ଟିଟିଲାଗଡ଼ ନିର୍ବାଚନୀମଣ୍ଡଳିର ବିଭିନ୍ନ ନଦୀ ଉପରେ ନିର୍ମାଣ ହୋଇଥାନ୍ତା ବ୍ୟାରେଜ । ଏଥିପାଇଁ ଯୋଜନା ପ୍ରସ୍ତୁତ କରି ଟେଣ୍ଡର ଆହ୍ଵାନ କରିଥିଲେ ପୂର୍ବ ସରକାର । ଚାଷ ଜମିକୁ ଜଳସେଚନ ଉଦ୍ଦେଶ୍ୟରେ ୭ଟି ଆଇଏସଏସ ପ୍ରକଳ୍ପକୁ ଅନୁମୋଦନ କରିଥିଲେ । ଗୁଡ଼ଭେଲା, କୁରଶୁଡ, ସଇଁତଳା, ଟିଟିଲାଗଡ଼ ବ୍ଲକର ବିଭିନ୍ନ ନଦୀ ଓ ନାଳ ଉପରେ ବ୍ୟାରେଜ ନିର୍ମାଣ ହୋଇ ଜଳ ସଂରକ୍ଷଣ ହୋଇଥାନ୍ତା । ହେଲେ ଏବେର ସରକାର ଏହି ସମସ୍ତ ପ୍ରକଳ୍ପ ଉପରେ ଗୁରୁତ୍ଵ ଦେଉନାହାନ୍ତି । ଯାହାପାଇଁ ପ୍ରକଳ୍ପ ଗୁଡ଼ିକ ଏକର ପ୍ରକାର ବନ୍ଦ ହୋଇଯାଇଛି । ଯାହା ଫଳରେ ଚାଷୀ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।
ବ୍ୟାରେଜ ନିର୍ଣାଣ ହୋଇଥିଲେ ଟିଟିଲାଗଡ଼ ଚାଷୀଙ୍କ ଜଳସେଚନ ସମସ୍ୟାର ସମାଧାନ ହୋଇଥାନ୍ତା । ଫସଲକୁ ପାଣି ମିଳିପାରିଥାନ୍ତା । ହେଲେ ପ୍ରକଳ୍ପ ବନ୍ଦ ନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ବିଧାୟିକା ଟୁକୁନି ସାହୁ । ଟିଟିଲାଗଡ଼ ନିର୍ବାଚନମଣ୍ଡଳୀର ୭ଟି ସ୍ଥାନରେ ବ୍ୟାରେଜ ନିର୍ମାଣ ପାଇଁ ୧୨୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ବନ୍ଦ ଯୋଗୁଁ ଫେରିଯାଇଛି ୧୨ ଶହ କୋଟି ଟଙ୍କା । ନୂଆ ସରକାର କେବଳ ରଙ୍ଗ ବଦଳା ରାଜନୀତି କରୁଛନ୍ତି ଓ ପିସି କାରବାରରେ ଲିପ୍ତ ଅଛନ୍ତି ବୋଲି ଅଭିଯୋଗ କରିବା ସହିତ ଅଞ୍ଚଳର ବିକାଶ ଉପରେ କାର୍ଯ୍ୟ କରିବାକୁ ଆହ୍ଵାନ ଦେଇଛନ୍ତି । ଅନ୍ୟପଟେ ଯାନ୍ତ୍ରିକ ତ୍ରୁଟିରୁ ପ୍ରୋଜେକ୍ଟ ବନ୍ଦ ହୋଇଛି ବୋଲି କହିଛନ୍ତି ଅଧିକ୍ଷକ ଯନ୍ତ୍ରୀ ।
ଚାଷୀଙ୍କ ସୁବିଧା ପାଇଁ ଜମିକୁ ଜଳସେଚନ ପାଇଁ ଅନେକ ଯୋଜନା ପ୍ରସ୍ତୁତ କରିଥିଲେ ପୂର୍ବ ସରକାର । ହେଲେ ଯୋଜନାକୁ କାର୍ଯ୍ୟକାରୀ କରିବାରେ ରାଜ୍ୟ ସରକାରଙ୍କ ବିଫଳତା ଯୋଗୁଁ ଜଳସେଚନ ସୁବିଧାରୁ ବଞ୍ଚିତ ରହିଛନ୍ତି ଟିଟିଲାଗଡ଼ ଚାଷୀ ।