ଡାହାଣୀ ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: ମୟୂରଭଞ୍ଜ ଜିଲ୍ଲାର ବିଶୋଇ ଅଞ୍ଚଳରେ ଡାହାଣୀ ସନ୍ଦେହରେ ଦମ୍ପତିକୁ କୁରାଢ଼ିରେ ଛେଚି ହତ୍ୟା । ଘଟଣାରୁ ବର୍ତ୍ତିଲେ ମୃତ ଦମ୍ପତ୍ତିଙ୍କ ପୁତ୍ରବଧୁ ଓ ନାତୁଣୀ । ଅନ୍ଧବିଶ୍ୱାସର ଏକ କରୁଣ ପରିଣତି ଘଟଣା ପୁଣି ଥରେ ଦେଖିବାକୁ ମିଳିଛି । ଡାହାଣୀ ସନ୍ଦେହରେ ବିଶୋଇ ଥାନା ଅନ୍ତର୍ଗତ କିତାବେଡା ଗାଁର ଡୁଙ୍ଗୁରିସାହିର ୭୦ ବର୍ଷୀୟ ବୃଦ୍ଧ ଦେବେନ୍ଦ୍ର ନାଏକ ଓ ତାଙ୍କ ସ୍ତ୍ରୀ ୪୮ ବର୍ଷୀୟ ଚମ୍ପାଙ୍କୁ ସେହି ଗାଁର ୨୩ ବର୍ଷୀୟ ଯୁବକ ଅଜୟ ନାଏକ କୁରାଢ଼ୀରେ ଛେଞ୍ଚି ଅତି ନିର୍ମମ ଭାବରେ ହତ୍ୟା କରିଛି । ଘଟଣାରୁ ମୃତକର ପୁତ୍ରବଧୂ ସୁମିତ୍ରା ନାଏକ ଓ ଅଢ଼େଇ ବର୍ଷର ନାତୁଣୀ ମେଘନା ନାଏକ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି । ଗତ ରାତି ପ୍ରାୟ ୮ଟା ବେଳେ ଅଜୟ କୁରାଢ଼ୀରେ ଦେବେନ୍ଦ୍ରଙ୍କ ମୁଣ୍ଡକୁ ଛେଞ୍ଚି ହତ୍ୟା କରିଥିଲା । ପରେ ଦେବେନ୍ଦ୍ରଙ୍କ ଘରେ ପଶି ଅଜୟ ଶୋଇଥିବା ଅବସ୍ଥାରେ ଦେବେନ୍ଦ୍ରଙ୍କ ସ୍ତ୍ରୀ ଚମ୍ପାଙ୍କ ମୁଣ୍ଡକୁ କୁରାଢ଼ୀରେ ଛେଞ୍ଚି ହତ୍ୟା କରିଥିଲା ।
ଖବର ପାଇ ରାବେନ୍ଦ୍ର ଘରେ ପହଞ୍ଚି ବିଶୋଇ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ବିଶୋଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦେବେନ୍ଦ୍ର ଓ ତାଙ୍କ ସ୍ତ୍ରୀ ଚମ୍ପାଙ୍କ ଗୁଣି ଗାରେଡ଼ି ବିଦ୍ୟା ପ୍ରଭାବରେ ଅଭିଯୁକ୍ତ ଅଜୟଙ୍କ ଶିଶୁପୁତ୍ର ଓ ବାପା ସୁରେନ୍ଦ୍ରଙ୍କ ବାରମ୍ବାର ଦେହ ଖରାପ ହୋଉଥିବାର ସନ୍ଦେହ କରି ଆସୁଥିଲା । ଡାହାଣୀ ସନ୍ଦେହ ଅଜୟ ଏହିପରି ଉନ୍ମକ୍ତ କାଣ୍ଡ ଘଟାଇଛି ବୋଲି ମୃତ ଦମ୍ପତ୍ତିର ପରିବାର ଲୋକେ ଅଭିଯୋଗ କରିଛନ୍ତି ।