spot_img

Latest Posts

ଆଦିବାସୀ ମହିଳାଙ୍କ ରଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟକୁ ବିଜେଡିର ନିନ୍ଦା

ବାରିପଦା : ଆଦିବାସୀ ମହିଳାଙ୍କ ପ୍ରତି ମୁଖ୍ଯମନ୍ତ୍ରୀଙ୍କ ଅଶୋଭନୀୟ ଟିପ୍ପଣୀର କଡ଼ା ନିନ୍ଦା କରିଛନ୍ତି ମୟୂରଭଞ୍ଜ ଜିଲ୍ଲାର ଆଦିବାସୀ ମହିଳା । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜଣେ ଆଦିବାସୀ ସମ୍ପ୍ରଦାୟର ହୋଇଥିବା ସତ୍ତ୍ଵେ ଆଦିବାସୀ ମହିଳାଙ୍କ ପ୍ରତି ଯେଉଁ କଳା ଗୋରା ମନ୍ତବ୍ୟ ଦେଇଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ ବୋଲି ସେମାନେ କହିଛନ୍ତି । ଆଜି ବାରିପଦା ଜିଲ୍ଲା ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତ୍ରୀ ତଥା ପୂର୍ବତନ ମନ୍ତ୍ରୀ ସରୋଜିନୀ ହେମ୍ବ୍ରମ୍ ମୁଖ୍ୟମନ୍ତ୍ରୀଙ୍କ ଏପ୍ରକାର ଉକ୍ତିର ଦୃଢ଼ ନିନ୍ଦା କରିବା ସହିତ ଆଜି ରାଜ୍ୟରେ ଆଦିବାସୀ ମହିଳାମାନେ ଅତ୍ୟାଚାରର ଶିକାର ହୋଇ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି ବୋଲି କହିଛନ୍ତି । ସେହିପରି ମୟୂରଭଞ୍ଜ ଜିଲ୍ଲାର ଅନ୍ୟତମ ବରିଷ୍ଠ ଆଦିବାସୀ ମହିଳା ନେତ୍ରୀ ତଥା ମୟୂରଭଞ୍ଜ ଜିଲ୍ଲା ପରିଷଦର ଅଧ୍ୟକ୍ଷ ଭାରତୀ ହାଁସଦା ତାଙ୍କ ପ୍ରତିକ୍ରିୟାରେ ମୁଖ୍ୟମନ୍ତ୍ରୀଙ୍କ ବୟାନକୁ ସମାଲୋଚନା କରି ବିଜେପି ଯେଉଁ ପ୍ରସଙ୍ଗ କଥା ଉଠାଇ ନିର୍ବାଚନ ଜିତିଥିଲା ତାକୁ ସେ ଭୁଲି ଗଲେଣି ବୋଲି କହିଛନ୍ତି । ଓଡିଆ ଅସ୍ମିତା ହେଉ କିମ୍ବା ପୋଲାଭରମ ପ୍ରକଳ୍ପ, ସବୁ କ୍ଷେତ୍ରରେ ସେ ନିରବ ରହିବା ଅତ୍ୟନ୍ତ ହାସ୍ୟାସ୍ପଦ କଥା । ପୂର୍ବ ସରକାର ରାଜ୍ୟରେ ଆଦିବାସୀମାନଙ୍କର କଳା ସଂସ୍କୃତି ସାହିତ୍ୟ ଏଵଂ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରି ଅନେକ କଲ୍ୟାଣମୂଳକ ଯୋଜନା କାର୍ଯ୍ୟକାରୀ କରିଥିଲେ। ଆଜିର ବିଜେପି ସରକାର ତାକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇ ଆଦିବାସୀ ସମ୍ପ୍ରଦାୟ ପ୍ରତି ଅବହେଳା କରିଛନ୍ତି। ଅନୁରୂପ ଭାବରେ ଓଡ଼ିଆ ସଂସ୍କୃତିର ପ୍ରତୀକ ତଥା ଜଗତରନାଥ ଜଗନ୍ନାଥଙ୍କୁ ମଧ୍ୟ କଳା ଠାକୁର କୁହାଯାଇଥାଏ। ଏପରି କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଜଣେ ଆଦିବାସୀ ସମ୍ପ୍ରଦାୟର ହୋଇଥିବା ସତ୍ତ୍ଵେ ସେ ଆଦିବାସୀ ମହିଳାମାନଙ୍କ ରଙ୍ଗକୁ ନେଇ ଯେଉଁ ବକ୍ତବ୍ୟ ରଖିଛନ୍ତି ତାକୁ ବିଜୁ ଜନତା ଦଳ ପକ୍ଷରୁ ନିନ୍ଦା କରାଯାଇଛି ବୋଲି ସେ କହିଛନ୍ତି ।

Latest Posts

Don't Miss