ପୂର୍ବ କାମ ଉପରେ ପତଳା ପିଚୁ ଢଳାଯାଇ ଅର୍ଥ ହଡ଼ପ

ବରୀ : ରାସ୍ତା ସମ୍ପ୍ରସାରଣ କାର୍ଯ୍ୟରେ ଚଞ୍ଚକତା । ପୂର୍ବ କାମ ଉପରେ ପତଳା ପିଚୁ ଢଳାଯାଇ ଅର୍ଥ ହଡ଼ପ । ଲାଗିନି ସୂଚନା ଫଳକ । ବିଭାଗୀୟ ଅଧିକାରୀଙ୍କ ସହ  ଠିକାଦାରଙ୍କ ମଧୁଚନ୍ଦିକା ଅଭିଯୋଗ । ପୂର୍ତ୍ତ ବିଭାଗ ପକ୍ଷରୁ ବରୀ ମାଉଣ୍ଡ ଠାରୁ ଵିଦୃପା ପର୍ଯ୍ୟନ୍ତ ନିର୍ମାଣ ଚାଲିଛି ରାସ୍ତା କାମ। ଏହି ରାସ୍ତା ଦେଇ ପ୍ରତିଦିନ ହଜାର ହଜାର ସଂଖ୍ୟକ ଭାରି ଯାନ ଯାତାୟତ କରିଥାଏ । ଏପରି କି ଏହି ରାସ୍ତା ଦେଇ ନିତିଦିନ ସ୍କୁଲ, କଲେଜ, ବରୀ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର, ବରୀ ବ୍ଲକ ଓ ବୌଦ୍ଧ ପୀଠ ରତ୍ନଗିରିକୁ ଶତାଧିକ ପର୍ଯ୍ୟଟକ ଯାତାୟତ କରିଥାନ୍ତି। ଯାହାକୁ ଆଖି ଆଗରେ ରଖି ସରକାରଙ୍କ ପୂର୍ତ୍ତ ବିଭାଗ ପକ୍ଷରୁ ଏହି ରାସ୍ତା ସମ୍ପ୍ରସାରଣ ନିମନ୍ତେ 21 କୋଟି ରୁ ଅଧିକ ଟଙ୍କା ମଞ୍ଜୁର କରାଯାଇ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା। କିନ୍ତୁ ନିୟମ ଅନୁଯାୟୀ ନିର୍ମାଣ କାର୍ଯ୍ୟ ଆରମ୍ଭ ପୂର୍ବରୁ ସେଠାରେ ସୂଚନା ଫଳକ ଲଗାଯାଇନାହିଁ । ସମ୍ପୃକ୍ତ ଠିକାଦାର ନିୟମର ଖୋଲା ଖୋଲି ଉଲଘଂନ କରିଥିବା ଅଭିଯୋଗ ହୋଇଛି।

୭ ମାସ ପୂର୍ବରୁ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ପ୍ରକାର ଅଗ୍ରଗତି ହୋଇନାହିଁ । କାମର ଯାଞ୍ଚ ପାଇଁ  ବିଭାଗୀୟ ଅଧିକାରୀ ଆସୁନଥିବା ଅଭିଯୋଗ ହୋଇଛି । ଅଧିକାରୀ ମାନଙ୍କ ଲାଞ୍ଚ ଖୋର ମନୋଭାବ ଯୋଗୁଁ କାମର ମାନ ଅତି ନିମ୍ନମାନର ହେଉଥିବା ସ୍ଥାନୀୟ ଗ୍ରାମବାସୀ ମାନେ କହିଛନ୍ତି। ଏ ବିଷୟରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଙ୍କୁ ପଚାରିବାରୁ ସେ  କିଛି ଜାଣିନାହାନ୍ତି ବୋଲି କହିଛନ୍ତି । ଏହି କାର୍ଯ୍ୟ ପ୍ରତି ବିଭାଗୀୟ ଉପରିସ୍ଥ ଅଧିକାରୀ ମାନେ ନଜର ଦେବା ସହିତ ଯାଜପୁର ଜିଲ୍ଲାପାଳ ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି ।