‘ଲାଞ୍ଚ ନଦେଲେ ଜମିରୁ ଆଖୁ ଉଠୁନାହିଁ’
1 min read
ବୁରୀ : ଲାଞ୍ଚ ନ ଦେଲେ ବିଲରୁ ଉଠୁନାହିଁ ଆଖୁ । ଲାଞ୍ଚ କାରବାର ପାଇଁ କ୍ଷତି ସହୁଛନ୍ତି ଆଖୁଚାଷୀ । ବିଲରେ ପଡ଼ି ପଡ଼ି ଶୁଖି ଜାଳ ହୋଇଯାଉଛି ଆଖୁ । ଏଭଳି ଅଭିଯୋଗ କରିଛନ୍ତି ଯାଜପୁର ଜିଲ୍ଲାର ବରୀ ଅଞ୍ଚଳର ଆଖୁଚାଷୀ । ଏଠାକାର ସଂଖ୍ୟାଧିକ ଲୋକେ ଚାଷ କାର୍ଯ୍ୟ ଉପରେ ନିର୍ଭର କରିଥାନ୍ତି। ତେବେ ବନ୍ୟା ପ୍ଲାବିତ ଅଞ୍ଚଳ ହୋଇଥିବାରୁ ଏଠାକାର ଚାଷୀ ଆଖୁ ଚାଷକୁ ପ୍ରାଧାନ୍ୟ ଦେଇଆସୁଛନ୍ତି । ବିଗତ ଦିନରେ ଶକ୍ତି ସୁଗାର କମ୍ପାନୀ ଦାୟିତ୍ଵ ନେଇ ବରୀ ଅଞ୍ଚଳରେ ଆଖୁ ଚାଷ ଆରମ୍ଭ ହୋଇଥିଲା । କୃଷକମାନେ ଆଖୁ ଚାଷ କରି ଲାଭବାନ ହେଉଥିଲେ। ଆଇପିଏଲ୍ ନାମକ କମ୍ପାନୀ ଦାୟିତ୍ଵ ନେବା ପରେ ଲାଞ୍ଚ କାରବାର ହେଉଥିବା ଅଭିଯୋଗ କରିଛନ୍ତି ଚାଷୀ । ବିଭାଗୀୟ ଅଧିକାରୀଙ୍କୁ ଯିଏ ଲାଞ୍ଚ ଦେଉଛି ତା ଆଖୁ ଆଗ ଗାଡ଼ିରେ ଲୋଡ ହୋଇ ମିଲକୁ ଯାଉଛି । ଲାଞ୍ଚ ନଦେଲେ ଜମିରୁ ଆଖୁ ଉଠୁନାହିଁ । ଅଧିକାରୀ ମାନଙ୍କର ଲାଞ୍ଚ କାରବାର ପାଇଁ ଚାଷୀମାନେ କ୍ଷତି ସହୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।
ଆଖୁ କାଟିବାର ୧୫ରୁ ୨୦ ଦିନ ପରେ ମଧ୍ୟ ଜମିରୁ ଆଖୁ ଉଠୁନାହିଁ । ଦୀର୍ଘ ଦିନ ଧରି ଆଖୁ ଜମିରୁ ଉଠିନପାରି ପଡ଼ି ପଡ଼ି ଶୁଖିଯାଉଛି । ଆଉ ଶୁଖିଯାଉଥିବା ଆଖୁକୁ ଚାଷୀ ଜାଳି ଦେଉଥିବା ଦେଖିବାକୁ ମିଳୁଛି । ଅର୍ଥକାରୀ ଫସଲ ହୋଇଥିଲେ ମଧ୍ୟ ଲାଞ୍ଚ କାରବାର ଓ ଆଖୁ ଶୁଖିଯାଉଥିବାରୁ ପରିଶ୍ରମ ତୁଳନାରେ ଆଖୁ ଚାଷରେ ଚାଷୀକୁ କ୍ଷତି ସହିବାକୁ ପଡୁଛି । ପୂର୍ବ ବର୍ଷ ମାନଙ୍କରେ ବରୀ ଅଞ୍ଚଳରେ ଆଖୁ ଚାଷ ବହୁଳ ଭାବରେ ହେଉଥିଲା l ଏପରି ସମସ୍ୟା ଯୋଗୁଁ ଓ ମୁନାଫାଖୋର ଅଧିକାରୀଙ୍କ ପାଇଁ ଆଖୁ ଚାଷୀ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବାଧ୍ୟହୋଇ ଚାଷୀ ଚଳିତ ବର୍ଷ ହଜାର ହଜାର ହେକ୍ଟର ଜମିକୁ ପଡ଼ିଆ ପକାଇ ଦେଇଛନ୍ତି । ଚାଷୀଙ୍କ ସମସ୍ୟା ନେଇ ଆମ ପ୍ରତିନିଧି ଆଇପିଏଲ୍ ବରୀ ଡିଭିଜନର ବରିଷ୍ଠ ଅଧିକାରୀଙ୍କ ସହିତ କଥା ହେବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ କ୍ୟାମେରାକୁ ଏଡ଼ାଇ ଚାଲିଯାଇଥିଲେ । ଆଖୁ ଚାଷ ପ୍ରତି ସରକାରୀ ଅଣଦେଖା ଓ ବିଭାଗୀୟ ଅଧିକାରୀଙ୍କ ଅବହେଳା ପାଇଁ ଆଖୁ ଚାଷ ପ୍ରଭାବିତ ହେଉଛି । ଗତ ଦୁଇ ବର୍ଷ ହେବ ଆଖୁ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛନ୍ତି । ଉପରିସ୍ଥ ଅଧିକାରୀ ସମସ୍ୟା ପ୍ରତି ଧ୍ଯାନ ଦେଇ ତଦନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଖୁ ଚାଷୀମାନେ ଦାବି କରିଛନ୍ତି।