ବରୀ ଅଞ୍ଚଳରେ ବାଉଁଶ କାରିଗରଙ୍କ ବେଉସା ବୁଡ଼େଇ ଦେଲାଣି ପ୍ଲାଷ୍ଟିକ ସାମଗ୍ରୀ

ବରୀ : ବୁଡ଼ିଲାଣି କୌଳିକ ବୃତ୍ତି । ପେଟ ପୋଷିବାକୁ ଏବେ ଦାଦନ ଭରସା । ଯାଜପୁର ବରୀ ଅଞ୍ଚଳରେ ବାଉଁଶ କାରିଗରଙ୍କ ଏପରି ଦଶା । ଦିନ ଥିଲା ବାଉଁଶ ପାତିଆକୁ ଛନ୍ଦି କୁଲା, ପାଛିଆ, ଚାଙ୍ଗୁଡ଼ି, ବିଞ୍ଚଣା, ଝୁଡ଼ି, ଡାଲା ଆଦି ତିଆରି କରି ଗୁଜରାଣ ମେଣ୍ଟାଉଥିଲେ । କିନ୍ତୁ ସମୟ ବଦଳିବା ସହିତ ପ୍ଲାଷ୍ଟିକ ସାମଗ୍ରୀ ବାଉଁଶ କାରିଗରଙ୍କ ବେଉସାକୁ ବୁଡ଼େଇ ଦେଲାଣି । ଆଉ ଦେଖିବାକୁ ମିଳୁନି କାରିଗରଙ୍କ ହାତ ତିଆରି ବାଉଁଶ ଜିନିଷ । ବିଭିନ୍ ବାଉଁଶ ତିଆରି ସାମଗ୍ରୀ କାରିଗର ପ୍ରସ୍ତୁତ କଲେ ବି ଲୋକେ କିଣୁନାହାନ୍ତି । ସ୍ଥିତି ଏମିତି ହୋଇଛି ଜିଲ୍ଲାର ବାଉଁଶ କାରିଗର ଏବେ ପେଟ ପୋଷିବାକୁ ଅନ୍ୟ ଉପାୟ ନ ପାଇ ଦାଦନ ଖଟିବାକୁ ବାଧ୍ୟ ହୋଇଛନ୍ତି । ସେପଟେ ବାଉଁଶ କାରିଗରଙ୍କ ପାଇଁ ସରକାରଙ୍କ ପକ୍ଷରୁ କିଛି ପ୍ରୋତ୍ସାହନ ନ ମିଳିବାରୁ ପାରମ୍ପରିକ କୁଟୀର ଶିଳ୍ପ ଏବେ ବିଲୁପ୍ତ ହେବାକୁ ବସିଛି ।

ପୂର୍ବରୁ ବରୀ ଅଞ୍ଚଳର ବିଭିନ୍ନ ସ୍ଥାନରେ ଯଥେଷ୍ଟ ପରିମାଣର ବାଉଁଶ ମିଳୁଥିଲା। ଘରକରଣା ସାମଗ୍ରୀ ଭାବେ ବାଉଁଶରେ ତିଆରି ବିଭିନ୍ନ ଘରକରଣା ଜିନିଷ ବଜାରରେ ମିଳୁଥିଲା । ତିଆରି ହୋଇଥିବା ବାଉଁଶ ଗୋରଡ଼ା । ଚାଳଛପର ଘର କିମ୍ବା କଚ୍ଚାଘର ଘର ସଂଖ୍ୟା କମିଯିବାରୁ ବାଉଁଶରୁ ପ୍ରସ୍ତୁତ ସାମଗ୍ରୀର ଚାହିଦା କମିଯାଇଛି । ଏପରିକି ବାଉଁଶ ଚାଷ କରିବାକୁ ମଧ୍ୟ ଗାଁ ଲୋକଙ୍କ ଭିତରେ ଆଗ୍ରହ ଦେଖାଯାଉନି । ବାଉଁଶ କାରୀଗରଙ୍କ ଉନ୍ନତି ପାଇଁ ସରକାରୀ ସ୍ତରରେ ପ୍ରୋତ୍ସାହନ ସହିତ ବାଉଁଶ ଜଙ୍ଗଲ ସୃଷ୍ଟି ଓ ବାଉଁଶରେ ତିଆରି ସାମଗ୍ରୀ ବିକ୍ରିବଟା ପାଇଁ ବଜାର ସୁବିଧା ଓ ପରିଶ୍ରମ ଅନୁସାରେ ପାରିଶ୍ରମିକ ବ୍ଯବସ୍ଥା କରିବାକୁ ଦାବି କରିଛନ୍ତି ବାଉଁଶ କାରୀଗର ।