ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ଦୁର୍ନୀତିର ଗନ୍ଧ, ରାସ୍ତା ନିର୍ମାଣ ନସରୁଣୁ ଉଠିଯାଉଛି ଗୋଡି

1 min read

ନନ୍ଦିଘୋଷ ବ୍ୟୁରୋ: ସରକାର ଗମନାଗମନର ସୁବିଧା ପାଇଁ କୋଟିକୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରୁଛନ୍ତି ରାସ୍ତା । ମାତ୍ର ଦାୟିତ୍ୱରେ ଥିବା ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ରାସ୍ତା ନିର୍ମାଣ ନ ସରୁଣୁ ଉଠିଯାଉଛି ଗୋଡି । ଯାହାର ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବରୀ ବ୍ଲକରେ ।

ନିମ୍ନମାନର ରାସ୍ତା କାମକୁ ନେଇ ତାତିଲେ ଗ୍ରାମବାସୀ । ଅଧାରୁ ବନ୍ଦ କଲେ ରାସ୍ତା କାମ । ଏଭଳି ଘଟଣା ସାମ୍ନାକୁ ଆସିଛି ଯାଜପୁର ଜିଲ୍ଲା ବରୀ ବ୍ଲକ ରତ୍ନଗିରି ପଞ୍ଚାୟତରୁ । ଆଲିଆବାଦ ଶିବମନ୍ଦିର ଠାରୁ ପଟଣା ହନୁମାନ ଛକ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ରାସ୍ତା ନିର୍ମାଣ ଚାଲିଛି । ହେଲେ ନିର୍ମାଣଧୀନ ରାସ୍ତାରେ ବ୍ୟବହୃତ ହେଉଥିବା ସାମଗ୍ରୀ ଅତି ନିମ୍ନମାନର ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ । ପତଳା ବାଲି, ନିମ୍ନମାନର ଚିପ୍ସ ସହିତ ନିମ୍ନ ମାନର ସିମେଣ୍ଟ ବ୍ୟବହାର ହେଉଥିବା ଅଭିଯୋଗ । ଏପରି କି ନିର୍ମାଣ ପରେ ଢ଼ଳାଇରେ ପାଣି ଦିଆ ଯାଉନାହିଁ । ଫଳରେ ରାସ୍ତା ଫାଟିବା ସହିତ ଗୋଟି ଉଠିଯିବା ଆଶଙ୍କା କରି ରାସ୍ତା କାମ ବନ୍ଦ ରଖିଛନ୍ତି ଗ୍ରାମବାସୀ ।

ସରକାରୀ ନିୟମ ମୁତାବକ ରାସ୍ତା କାମ ସମୟରେ ଦାୟିତ୍ୱରେ ଥିବା ଅଧିକାରୀ ମାନେ କାର୍ଯ୍ୟ ତଦାରଖ କରିବା କଥା। କିନ୍ତୁ କାର୍ଯ୍ୟ ହେଉଥିବା ବେଳେ ଏଠି କୌଣସି ଅଧିକାରୀ ତଦାରଖ କରିବାକୁ ଆସୁନାହାନ୍ତି । ଏଥି ସହିତ କେତେ ଟଙ୍କା ବ୍ୟୟ ଅଟକଳରେ ରାସ୍ତା ନିର୍ମାଣ ହେଉଛି । ଏବଂ କି କି ପ୍ରକାର କାର୍ଯ୍ୟ କରାଯିବ ବୋଲି ସୂଚନା ଫଳକରେ ଉଲ୍ଲେଖ କରାଯିବା କଥା । ହେଲେ ତାହା ସୂଚନା ଫଳକରେ ଲେଖାଯାଇ ନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ଏଠି ପ୍ରଶ୍ନ ଉଠୁଛି- ନିମ୍ନମାନର ରାସ୍ତା ନିର୍ମାଣ ହେଉଥିଲେ ବି କାହିଁକି ଚୁପ ବିଭାଗୀୟ ଅଧିକାରୀ ? ସଂପୃକ୍ତ ଠିକାଦାରଙ୍କ ବିରୋଧରେ କଣ ପାଇଁ ନେଉନାହାଁନ୍ତି କାର୍ଯ୍ଯାନୁଷ୍ଠାନ ? ଗ୍ରାମବାସୀଙ୍କ ଅଭିଯୋଗକୁ କାହିଁକି ଅଣଦେଖା କରୁଛନ୍ତି ବିଭାଗୀୟ ଅଧିକାରୀ ? ନା ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ସଲାସୁତରାରେ ଚାଲିଛି ହରିଲୁଟ୍ । ତାହା ତଦନ୍ତ ସାପେକ୍ଷ ।