ବରଗଡ଼ ପୋଲିସକୁ ସଫଳତା; ଡକାୟତି ଘଟଣାରେ ଅଭିଯୁକ୍ତମାନେ ଗିରଫ

କଟକ: ବରଗଡ଼ ପୋଲିସକୁ ବଡ଼ ସଫଳତା । ଦୁଇଟି ଡକାୟତି ଘଟଣାର ଦୁର୍ବୁର୍ତ୍ତଙ୍କୁ କାବୁଲ କରିଛି ପୋଲିସ । କଟକ ତିଗିରିଆ ଅଞ୍ଚଳର ଜଣେ ଟ୍ରକ୍ ଡ୍ରାଇଭରଙ୍କ ଠାରୁ ଡକାୟତି ଘଟଣାରେ ପୋଲିସ ଚାରିଜଣଙ୍କୁ ଗିରଫ କରିଛି । ଟ୍ରକ୍ ଡ୍ରାଇଭର ସୁଶାନ୍ତ ନାୟକଙ୍କ ଅଭିଯୋଗ ଆଧାରରେ ଟାଉନ ଥାନା ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ୪ହଜାର ଟଙ୍କା, ଏକ ସ୍ୱିଫ୍ଟ ଡିଜେୟାର କାର, ଛୁରୀ, ରିଭଲଭର, ଆଇରନ କଟର ଏବଂ ମୋବାଇଲ ଓ ସିମ ପୋଲିସ ଜବତ କରିଛି । ଅଭିଯୁକ୍ତମାନେ ହେଲେ ସୋନୁ ପ୍ରଧାନ (୨୦ବର୍ଷ), ବିକାଶ ବାଗ (୨୨ବର୍ଷ), ଆଶିଷ ଗହିର (୨୦ବର୍ଷ), ନବୀନ ସାହୁ (୨୩ବର୍ଷ)  । ସମସ୍ତ ଅଭିଯୁକ୍ତଙ୍କ ଘର ବରଗଡ଼ ଜିଲ୍ଲାରେ  ।

ସେହିପରି ଅନ୍ୟ ଏକ ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି । ଡକାୟତି ପାଇଁ ଯୋଜନା କରୁଥିଲେ ଡକାୟତ । ସୂଚନା ପାଇ ଅଚାନକ ଚଢାଉ କରି ତିନି ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ  । ବରଗଡ ଜିଲ୍ଲା ଅତାବିରା ନିକଟ ଏନଏଚ୍ ୫୩ରୁ ଡକାୟତି ଯୋଜନା ପସ୍ତୁତ ପାଇଁ ଏକାଠି ହୋଇଥିଲେ ଡକାୟତ  । ପୋଲିସ ଏନେଇ ସୂଚନା ପାଇ ତିନି ଡକାୟତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଗିରଫ ଅଭିଯୁକ୍ତମାନେ ହେଲେ ସମ୍ବଲପୁର  ଗୋସଲା ଗାଁର ସାଗର ସୁନା, ଖେତରାଜପୁରର ତେଜରାଜ କନ୍ଧ ଏବଂ ମୋଦିପଡାର ରାଜକପୁର କନ୍ଧ  । ଅଭିଯୁକ୍ତଙ୍କ ଠାରୁ ଗୋଟିଏ ଅଟେମେଟିକ ପିସ୍ତଲ, ଦୁଇଟି ଜୀବନ୍ତ ଗୁଳି, ଡକାୟତିରେ ବ୍ୟବହାର ପାଇଁ ରଖିଥିବା ଲଙ୍କାଗୁଣ୍ଡ, ଗୋଟିଏ ଭୁଜାଲି ଓ ୧ ହଜାର ୨୭୦ ଟଙ୍କା ଜବତ କରାଯାଇଛି  । ସୂଚନାଥାଉକି, ବରଗଡ଼ ଏସପି ଅପରାଧୀଙ୍କ ବିରୋଧରେ ଜିରୋ ଟଲେରାନ୍ସ ନୀତି ଆପଣାଇଛନ୍ତି । ସବୁ ଥାନାକୁ ପେଟ୍ରୋଲିଂ ବଢାଇବା ସହ ଅପରାଧୀଙ୍କ ବିରୋଧରେ କଠୋର କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି  ।