spot_img

Latest Posts

ଗୋଟିଏ କ୍ବିଣ୍ଟାଲ ଧାନରେ କଟିବ କିଲେ; କଟନୀ ଛଟନୀରେ ସରକାର ସାମିଲ, ବୁଝାମଣା ପତ୍ରରେ ମୋହର ମାରିଛି ବରଗଡ ଜିଲ୍ଲା ପ୍ରଶାସନ !

ଗୋଟିଏ କ୍ବିଣ୍ଟାଲ ଧାନରେ କଟିବ କିଲେ; କଟନୀ ଛଟନୀରେ ସରକାର ସାମିଲ, ବୁଝାମଣା ପତ୍ରରେ ମୋହର ମାରିଛି ବରଗଡ ଜିଲ୍ଲା ପ୍ରଶାସନ !

ନନ୍ଦିଘୋଷ ବ୍ୟୁରୋ: ଗୋଟିଏ କ୍ବିଣ୍ଟାଲ ଧାନରେ କଟିବ ୧ କିଲୋ । ବୁଝାମଣା ପତ୍ରରେ ମୋହର ମାରିଛି ଖୋଦ ବରଗଡ ଜିଲ୍ଲା ପ୍ରଶାସନ । ଟୋକନ ସମସ୍ୟାକୁ ନେଇ ଜୋର ଧରିଛି ଚାଷୀ ଅସନ୍ତୋଷ । ଗୋଡ଼ଭଗାଠାରେ ଧାନ ବସ୍ତା ପକାଇ ଆନ୍ଦୋଳନ କରିଥିଲେ ଅନ୍ନଦାତା । ସୃଷ୍ଟି ହୋଇଥିଲା ଟ୍ରାଫିକ୍ ସମସ୍ୟା । ଅନ୍ଦୋଳନରତ ଚାଷୀ ଓ ପ୍ରଶାସନର ବୈଠକ ବେଳେ ହୋଇଥିବା ବୁଝାମଣା ପତ୍ରରୁ ସରକାର କଟନୀ ଛଟନୀରେ ସାମିଲ ଥିବା ସ୍ପଷ୍ଟ ପ୍ରମାଣିତ ହୋଇଥିବା ଅଭିଯୋଗ ହୋଇଛି ।

ଆଗରୁ ବିରୋଧୀ ଓ ଚାଷୀ ଅଭିଯୋଗ କରୁଥିଲେ । ମିଲର୍ସଙ୍କ ଦ୍ବାରା ମଣ୍ଡିରେ କଟନୀ ଛଟନୀର ଚାଷୀ ଶିକାର ହେଉଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ହେଲେ ଏବେ ସାମ୍ନାକୁ ଆସିଲାଣି ଏଥିରେ ସରକାର ସାମିଲ । ଆଉ ଧାନ କଟନୀ ଛଟନୀକୁ ମୋହର ମାରିଛି ଖୋଦ ଜିଲ୍ଲା ପ୍ରଶାସନ । ଏଣିକି ପ୍ରତି ମଣ୍ଡିରେ ସରକାରୀ ଭାବେ କ୍ବିଣ୍ଟାଲ ପିଛା କଟିବ ଗୋଟିଏ କିଲୋ ।

ବରଗଡ଼ ଜିଲ୍ଲା ଗୋଡ଼ଭଗାଠାରେ ଆନ୍ଦୋଳନରତ ଚାଷୀ ଓ ପ୍ରଶାସନର ମିଳିତ ବୈଠକରେ ହୋଇଥିବା ବୁଝମଣା ପତ୍ରରେ ସ୍ବାକ୍ଷର କରିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ । ସିଧା ସିଧା ଲେଖା ହୋଇଛି ଚାଷୀ ଆଣିଥିବା ଧାନରୁ କ୍ବାଲିଟି ଟେଷ୍ଟ ନାଁରେ କଟା ଯିବ ୧ କିଲୋ । ମିଲର ଓ ପ୍ରଶାସନର ମଧୁଚନ୍ଦ୍ରିକା ଯୋଗୁଁ ଚାଷୀ ତ ହଇରାଣ ହେଉଥିବା ଅଭିଯୋଗ ହେଉଥିଲା । ବିଧାନସଭା ଭିତରେ ଓ ବାହାରେ ସରକାର ପ୍ରତିଶ୍ରୁତି ରଖିଥିଲେ । ମଣ୍ଡିକୁ ଚାଷୀ ଆଣୁଥିବା ଧାନରୁ କିଛି ବି କଟନୀ ଛଟନୀ ହେବନି । ଏବେ ଏ କ’ଣ ? ବରଗଡ଼ ଜିଲ୍ଲାରେ ଚାଷୀ ଓ ପ୍ରଶାସନର ବୁଝାମଣା ପତ୍ର ଦର୍ଶାଉଛି କଟନୀ ଛଟନୀରେ ସାମିଲ ସରକାର ! ମଣ୍ଡି ଖୋଲିଛି, ହେଲେ ଚାଷୀଙ୍କୁ ବିକ୍ରି କରିବାକୁ ଟୋକନ ମିଳିନି । ଧର୍ଯ୍ୟର ସବୁ ସୀମା ପାର ହେବା ପରେ ମଙ୍ଗଳବାର ଗୋଡ଼ଭଗା ମାର୍କେଟ ସମୁଖରେ ଧାନ ବସ୍ତା ପକାଇ ଚାଷୀ ୫୩ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ । କିଲୋମିଟର କିଲୋମିଟର ଧରି ରାସ୍ତାଜାମ ହେଲା । ସ୍ଥିତି ଏମିତି ହେଲା ଯେ ଚାଷୀ ନିଜ ଜିଦରେ ଅଟଳ ରହିଲେ । ଶେଷରେ ନଇଁଲା ପ୍ରଶାସନ । ପରେ ଆନ୍ଦୋଳନରତ ଚାଷୀ ଓ ଜିଲ୍ଲା ପ୍ରଶାସନର ବସିଲା ମିଳିତ ବୈଠକ । ଆସନ୍ତା ଡିସେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଟୋକନ୍ ଦିଆଯିବ । ୨୦୨୬  ଜାନୁୟାରୀ ୧୫ ତାରିଖ ମଧ୍ୟରେ ପଞ୍ଜୀକୃତ ଚାଷୀଙ୍କ ସବୁ ଧାନ କିଣାଯିବ ବୋଲି ପ୍ରଶାସନର ପ୍ରତିଶ୍ରୁତି ପରେ ରାସ୍ତାରୋକ ହଟିଥିଲା ।

ସେପଟେ କିନ୍ତୁ ଏଭଳି କିଛି ବୁଝାମଣା ପତ୍ର ସମ୍ପର୍କରେ ଜାଣି ନଥିବା କହିଛନ୍ତି ଉପଜିଲ୍ଲାପାଳ । ଅର୍ଥାତ ପ୍ରଶାସନର ଗୋଟିଏ ହାତ କ’ଣ କରୁଛି ଆର ହାତ ପାଖରେ ଖବର ନାହିଁ । ବରଗଡ଼ ଜିଲ୍ଲାରେ ଧାନ କିଣା ଆରମ୍ଭରୁ ହିଁ ଚାଷୀଙ୍କୁ ଟୋକନ୍ ଟେନସନ ଘାରିଛି । ଫଳରେ ଦିନ ଦିନ ଧରି ମଣ୍ଡିରୁ ଚାଷୀଙ୍କ ଧାନ ଉଠୁନି। ମଣ୍ଡି ଗୁଡ଼ିକରେ ଏବେ ବି ହଜାର ହଜାର ବସ୍ତା ଧାନ ପଡ଼ି ରହିଛି । ଧାନ ମଣ୍ଡିରେ କଟନୀ ଛଟନୀ ନେଇ ଖୋଦ ବିରୋଧୀ ଦଳରେ ଥିବାବେଳେ ସ୍ବର ଉଠାଇଆସୁଥିବା ବିଜେପି, ଏବେ କ୍ଷମତାକୁ ଆସିବା ପରେ କାଗଜକଲମରେ ନିୟମ କଲା କି ବୋଲି ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଛନ୍ତି ।

Latest Posts

Don't Miss