ଆଜିଠୁ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା, ଦ୍ବାପର ଯୁଗକୁ ଫେରିଯିବ ବରଗଡ଼
ବରଗଡ: ଆଜିଠାରୁ ଆରମ୍ଭ ବରଗଡ଼ର ବିଶ୍ବପ୍ରସିଦ୍ଧ ଧନୁଯାତ୍ରା । ମହାରାଜ କଂସଙ୍କ ଅଟ୍ଟହାସ୍ୟରେ ପ୍ରକମ୍ପିତ ହେବ ବରଗଡ଼ ସହର । ଆରମ୍ଭ ହେବ ବିଶ୍ବର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ ବରଗଡ଼ ଧନୁଯାତ୍ରା ମହୋତ୍ସବ । ଚଳଚଞ୍ଚଳ ହୋଇଉଠିଛି ସହର । ବରଗଡ଼ ମଥୁରା ନଗରୀ ପାଲଟିଥିବା ବେଳେ ଅମ୍ବାପାଲି ପାଲଟିଛି ଗୋପପୁର । ସେହିପରି ଜୀରାନଦୀ ପାଲଟିଛି ଯମୁନା ନଦୀ । ବିଶ୍ଵ ଦରବାରର ଏହି ମହାମଞ୍ଚ ପାଇଁ କଳାକାର ମାନେ ନିଜ ନିଜର ଅଭ୍ୟାସ ଶେଷ କରିଦେଇଛନ୍ତି । କଂସ ମହାରାଜ ଭୂମିକାରେ ଅଭିନୟ କରୁଥିବା କଳାକାର ଭୁବନେଶ୍ବର ପ୍ରଧାନ ମଧ୍ୟ ନିଜର ସଂଳାପ ସହିତ ପ୍ରସ୍ତୁତ ରହିଛନ୍ତି ।
ମଥୁରାନଗରୀରେ ଚାଲିବ ମହାରାଜ କଂସଙ୍କ ରାଜୁତି । କଂସଙ୍କ ନିର୍ଦ୍ଦେଶରେ ଶାସିତ ହେବ ମଥୁରା । କୃଷ୍ଣ ବଳରାମ ଓ ଗୋପୀ ଗୋପାଳଙ୍କ ବାଲ୍ୟଲୀଳାରେ ଉତ୍ସବମୁଖର ହୋଇ ଉଠିବ ଗୋପପୁର । ଗୋପପୁରର କୃଷ୍ଣ ବଳରାମ ଓ ରାଧାଙ୍କ ସହ ହାତୀ , ଘୋଡା ପ୍ରସ୍ତୁତ ରହିଛନ୍ତି। ଏ ବର୍ଷ ଧନୁଯାତ୍ରାକୁ ଆହୁରି ଆକର୍ଷଣୀୟ କରିବା ପାଇଁ ରଙ୍ଗମହଲକୁ ରାଜସ୍ଥାନ ଜୟପୁରର ଆଲବର୍ଟ ହଲ ମ୍ୟୁଜିୟମ ମଡେଲରେ ପ୍ରସ୍ତୁତ କରଯାଇଛି। ବରଗଡ଼ ଧନୁଯାତ୍ରା ଦେଖିବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଲୋକଙ୍କ ଭିଡ଼ ଜମିବ । ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।