ବାରଙ୍ଗରେ ମାତିଛନ୍ତି ମୋରମ ମାଫିଆ
1 min read
ନନ୍ଦିଘୋଷ ବ୍ୟୁରୋ: ବାରଙ୍ଗରେ ସକ୍ରିୟ ମୋରମ ମାଫିଆ, ନିଷ୍କ୍ରିୟ ପୋଲିସ । ବେଧଡକ ଲୁଟୁଛନ୍ତି ଲଘୁ ଖଣିଜ ସଂପଦ । ରାଜସ୍ଵ ହରାଉଛନ୍ତି ସରକାର । ପ୍ରଶାସନ ନିକଟରେ ଅଭିଯୋଗ ପରେ ବି ହେଉନି କାର୍ଯ୍ଯାନୁଷ୍ଠାନ । ସେପଟେ ଖଣି ବନ୍ଦ କରିବା ପରିବର୍ତ୍ତେ ମାଫିଆଙ୍କୁ ବାରଙ୍ଗ ପୋଲିସ ସୁରକ୍ଷା ଦେଉଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଲୋକେ ।
ବାରଙ୍ଗରେ ମାତିଛନ୍ତି ମୋରମ ମାଫିଆ । ବେଧଡକ ଲୁଟୁଛନ୍ତି ଲଘୁ ଖଣିଜ ସଂପଦ । ଦିନ ରାତି ଶହ ଶହ ଟ୍ରିପ ମୋରମ ଓ ମାଟି, ବାଲି ଖୁଲମଖୁଲା ଚୋରା ଚାଲାଣ ହେଉଛି । ରାଜସ୍ଵ ହରାଉଛନ୍ତି ସରକାର । ହେଲେ ସବୁ ଜାଣି ଚୁପ ବସିଛି ପ୍ରଶାସନ । କଟକ ଜିଲ୍ଲା ବାରଙ୍ଗ ତହସିଲ ଅନ୍ତର୍ଗତ ରାମଦାସପୁର , ଗୋବିନ୍ଦପୁର , ତ୍ରିଶୂଳିଆ , ବେଲଗଛିଆ ଆଦି ବିଭିନ୍ନ ଅଞ୍ଚଳରୁ ପ୍ରତ୍ଯେକ ଦିନ ମୋରମ, ମାଟି ଓ ବାଲି ଲୁଟୁଛନ୍ତି ମାଫିଆ । ଥରେ ନଜର ପକାନ୍ତୁ ଏହି ଦୃଶ୍ୟ ଉପରେ କିଭଳି ରାତିରେ ବେଆଇନ ଭାବେ ମେସିନ ଲଗାଇ ଉଠାଯାଉଛି ମୋରମ । ସେପଟେ ମୋରମ ନେବା ପାଇଁ ଧାଡ଼ି ବାନ୍ଧି ଛିଡା ହୋଇଛି ହାଇୱା । ଏହି ଚିତ୍ରରୁ ଆପଣମାନେ ସ୍ପଷ୍ଟ ଜାଣିପାରୁଥିବେ କିଭଳି ଚାଲିଛି ମୋରମ ଚୋରା ଚାଲାଣ ।
ବାରଙ୍ଗ ଅଞ୍ଚଳରେ ଲଘୁ ଖଣିଜ ସମ୍ପଦ ଚୋରା ଚାଲାଣ ହେଉଥିବା ନେଇ ସ୍ଥାନୀୟ ଲୋକମାନେ ବାରମ୍ବାର ଜିଲ୍ଲା ପ୍ରଶାସନ, ଖଣି ବିଭାଗ, ବାରଙ୍ଗ ତହସିଲ ଓ ଥାନାରେ ଅଭିଯୋଗ କରିଛନ୍ତି ହେଲେ ଫଳ ଶୂନ । ଏଠି ପ୍ରଶ୍ନ ଉଠୁଛି- କାହିଁକି ହେଉନି ମାଫିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ? ଖଣି ମାଫିଆଙ୍କ ପଛରେ ରହିଛି କି ପ୍ରଭାବଶାଳୀ ବ୍ୟକ୍ତିଙ୍କ ହାତ ? ଯଦିବି କେହି ପ୍ରଭାବଶାଳୀ ବ୍ୟକ୍ତି ଅଛନ୍ତି ତେବେ କିଏ ସେହି ବ୍ୟକ୍ତି ? କାହିଁକି ଚୁପ ବସିଛି ପୋଲିସ । ଏସବୁର ତଦନ୍ତ କରାଯାଇ ଲଘୁ ଖଣିଜ ସଂପଦ ଲୁଟ ଉପରେ ରୋକ ଲଗାଇବାକୁ ଦାବି ହୋଇଛି । ଏପଟେ ଜିଲ୍ଲାପାଳ କହିଛନ୍ତି, ଅଭିଯୋଗ ଆସିଲେ ତା ଉପରେ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ ।
ରାଜ୍ୟରେ ବିଭିନ୍ନ ସ୍ଥାନରେ ଲଘୁ ଖଣିଜ ସମ୍ପଦ ଚୋରା ଚାଲାଣ ହେଉଥିବାରୁ, ଚୋରିରେ ରୋକ ଲଗାଇବାକୁ କିଛି ଦିନ ପୂର୍ବରୁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଓ ପୋଲିସ ଡ଼ିଜି Y.B ଖୁରାନିଆ ବେଆଇନ ଖଣି ଉପରେ ଚଢାଉ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ବାରଙ୍ଗରେ ତାହା ପାଳନ ହେଉନି । ବେଆଇନ ଖଣି ଉପରେ କେବେ ଚଢ଼ାଉ କରାଯାଉଛି ତାହା ଦେଖିବାକୁ ବାକି ରହିଲା ।