ବାବା ସାହେବ ଭୀମରାଓ ଆମ୍ବେଦର ବସ୍ ଟର୍ମିନାଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
1 min readଭୁବନେଶ୍ବର: ଲୋକାର୍ପିତ ହେଲା ବାବା ସାହେବ ଭୀମ ରାଓ ଆମ୍ୱେଦକର ବସ୍ ଟର୍ମିନାଲ। ଏହି ଅତ୍ଯାଧୁନିକ ବସ ଟର୍ମିନାଲର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟର ସବୁଠାରୁ ବଡ଼ ବସ୍ ଟର୍ମିନାଲ ଉଦଘାଟିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସହ ଏହି ଉଦଘାଟନୀ ସମାରୋହରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଉପସ୍ଥିତ ରହିଥିଲେ । ଲୋକାର୍ପଣ ପରେ ବସ ଟର୍ମିନାଲ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ । ଆହାର କେନ୍ଦ୍ରକୁ ଯିବା ସହ ଖାଦ୍ୟ ମଧ୍ୟ ପରଶିଥିଲେ ।
କହି ରଖୁଛୁ କି, ଯାତ୍ରୀଙ୍କୁ ଏଠାରେ ବିମାନ ବନ୍ଦର ଭଳି ଅନୁଭୂତି ମିଳିବ। ନବୀନ ଓଡ଼ିଶାର ନୂଆରୂପ ଭାବେ ଅନ୍ତଃରାଜ୍ୟ ବରମୁଣ୍ଡା ବସ୍ ଟର୍ମିନାଲ୍ ଉଭା ହେଉଛି। BSABT ବରମୁଣ୍ଡାର କୋଣ ଅନୁକୋଣରେ ହାଇଟେକ୍ ବ୍ୟବସ୍ଥା କରାଯାଇଛି। ଫୁଡ୍ କୋର୍ଟ ସହ ବୈଦ୍ୟୁତିକ ସିଡ଼ି, ଲିଫ୍ଟ ଲଗାଯାଇଛି। ଯାତ୍ରୀଙ୍କୁ ସୂଚନା ଲାଗି ଅତ୍ୟାଧୁନିକ ଏଲ୍ଇଡି ସ୍କ୍ରିନରେ ବସ୍ ସମ୍ପର୍କିତ ସବିଶେଷ ତଥ୍ୟ ମିଳିବ। ଗାଁଠାରୁ ଆରମ୍ଭ କରି ପଞ୍ଚାୟତ, ବ୍ଲକ ଓ ସଦର ମହକୁମାକୁ ଯିବା ପାଇଁ ବସ୍ର ସମସ୍ତ ବିବରଣୀ ଏହି ଏଲ୍ଇଡି ସ୍କ୍ରିନରେ ପ୍ରଦାନ କରାଯିବ। ଲିଫ୍ଟ, ଏସ୍କାଲେଟରରେ ଗୋଟିଏ ମହଲାରୁ ଅନ୍ୟ ମହଲାକୁ ସହଜରେ ଯା’ଆସ ଲାଗି ବ୍ୟବସ୍ଥା ରହିଛି। ଯାତ୍ରୀଙ୍କ ଲାଗି ଶୀତତାପ ନିୟନ୍ତ୍ରିତ କୋଠରୀ ରହିଛି।। ଗୋଟିଏ ଛାତ ତଳେ ଯାତ୍ରୀଙ୍କୁ ଫ୍ରଣ୍ଟ ଅଫିସରୁ ଆରମ୍ଭ କରି ମେଡିକାଲ୍, ଏଟିଏମ୍, ଆହାର କେନ୍ଦ୍ର ଭଳି ସେବା ମିଳିବ। ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଆହାର ପ୍ଲସ୍ କେନ୍ଦ୍ର ତିଆରି ହୋଇଛି। ସାଧାରଣ ଆହାର କେନ୍ଦ୍ର ତୁଳନାରେ ଏହା ଯଥେଷ୍ଟ ଉନ୍ନତମାନର ରହିବ।ସେହିପରି ଶୀତତାପ ନିୟନ୍ତ୍ରିତ କୋଠରୀରେ ଷ୍ଟାର୍ ହୋଟେଲ୍ ଭଳି ସୁବିଧା ମିଳିବ।
ଏହାସାଙ୍ଗକୁ ଯାତ୍ରୀଙ୍କୁ ମିଶନଶକ୍ତି କାଫେ, ଓର୍ମାସ ଓ ମିଲେଟ୍ କାଫେରେ ମା’ ହାତ ତିଆରି ଖାଦ୍ୟ ଖାଇବାକୁ ମିଳିବ। ଏହାସହ ଅପେକ୍ଷାରତ ଶିଶୁଙ୍କ ପାଇଁ କ୍ରୀଡ଼ାଙ୍ଗନ ରହିଥିବାବେଳେ ବାବା ସାହେବ ଭୀମ ରାଓ ଆମ୍ୱେଦକରଙ୍କ ଖୋଦେଇ ପ୍ରତିମୂର୍ତ୍ତି ରହିଛି। କାନ୍ଥବାଡ଼ରେ କଳା ସଂସ୍କୃତିର ଝଲକ ଦେଖିବାକୁ ମିଳିବ। ଯାତ୍ରୀଙ୍କ ସୁରକ୍ଷା ପାଇଁ ପୋଲିସ ଫାଣ୍ଡି ତିଆରି ହୋଇଛି। ବେସମେଣ୍ଟରେ ୧୧୫ କାର୍ ପାର୍କିଂ ପାଇଁ ସ୍ଥାନ ସଂରକ୍ଷିତ ରହିଛି। ଟର୍ମିନାଲରେ ୫୦ ବସ୍ ବେ ସହ ୨୦୦ ବସ୍ ରହଣି ପାଇଁ ପାର୍କିଂ ସ୍ପେସର ବ୍ୟବସ୍ଥା ହୋଇଛି। ସିଟିବସ୍ ପାଇଁ ୫ସ୍ଥାନ ସଂରକ୍ଷିତ ରଖାଯିବାର ବ୍ୟବସ୍ଥା ହୋଇଛି। ଦୁଇଚକିଆ ଯାନ ପାର୍କିଂ ପାଇଁ ମଧ୍ୟ ସ୍ୱତନ୍ତ୍ର ସ୍ଥାନ ରହିଛି। ସ୍ୱତନ୍ତ୍ର ରାସ୍ତା ସହ ବସ୍ ପ୍ରବେଶ ଓ ପ୍ରସ୍ଥାନ ଗେଟ୍ ଅଲଗା ଅଲଗା କରାଯାଇଛି। ଗତମାସ ଦ୍ବିତୀୟ ସପ୍ତାହରେ ଫାଇଭ ଟି ଅଧ୍ୟକ୍ଷ ଭୁବନେଶ୍ବର ବସ ଟର୍ମିନାଲ ନବୀକରଣ କାମର ସମୀକ୍ଷା କରିଥିଲେ। ପେବୃଆରୀ ସୁଦ୍ଧା କାମ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶ ମୁତାବକ ଠିକ୍ ସମୟରେ ଏହି ବସ ଟର୍ମିନାଲର କାମ ସମ୍ପନ୍ନ ହୋଇଛି। ବିଡିଏ ଦ୍ୱାରା ସାଢେ ୧୫ ଏକରରୁ ଅଧିକ ଜମିରେ ରହିଛି ଏହି ବସ୍ ଟର୍ମିନାଲ।…