ବରଗଡ଼ରେ ଚାଲିଛି କଂସଙ୍କ ରାଜୁତି, ଆଜି ପୁତନା ବଧ କରିବେ ଶ୍ରୀକୃଷ୍ଣ

ବରଗଡ଼: ବରଗଡ଼ର ବିଶ୍ୱ ପ୍ରସିଦ୍ଧ ମୁକ୍ତାକାଶ ରଙ୍ଗ ମଂଚର ତୃତୀୟ ଦିନରେ ନନ୍ଦରାଜା ଓ ନନ୍ଦରାଣୀ ଶ୍ରୀକୃଷ୍ଣଙ୍କୁ ପାଇ ଆତ୍ମବିଭୋର ହୋଇପଡିଛନ୍ତି ସେଥିପାଇଁ ଆୟୋଜନ କରିଛନ୍ତି ନନ୍ଦୋତ୍ସବ । ଏପଟେ ମହାରାଜା କଂସ ଦେବକୀଙ୍କ ଅଷ୍ଟମ ଗର୍ଭର ସନ୍ତାନକୁ ଦର୍ପଣଶୀଳାରେ ପ୍ରହାର କରିବାକୁ ଯିବାବେଳେ ଶୂନ୍ୟରେ ଆର୍ବିଭାବ ହୋଇ ବିଜୁଳି କନ୍ୟା ଦେଇଛନ୍ତି ଦୈବବାଣୀ । ଏହାପରେ ମହାରାଜ କଂସ ଅତ୍ୟନ୍ତ ବିବ୍ରତ ହୋଇପଡ଼ିଥିବା ବେଳେ କୃଷ୍ଣଙ୍କୁ ମାରିବା ପାଇଁ ଗୋପପୁରକୁ ପଠାଇଛନ୍ତି ଷଢ଼ ମଲ୍ଲ ସହ ପୁତୁନା ରାକ୍ଷସୀଙ୍କୁ।

କୃଷ୍ଣ ଜନ୍ମ ପରେ ସାରା ଗୋପପୁର ହୋଇପଡ଼ିଛି ଉତ୍ସବ ମୁଖର । ପୁତ୍ର ସନ୍ତାନ ଲାଭ କରି ନନ୍ଦରାଜା ଓ ରାଣୀ ଖୁସୀରେ ଆତ୍ମବିଭୋର ହୋଇପଡ଼ିଛନ୍ତି । ଏହା ସହ କୃଷ୍ଣଙ୍କ ଆଗମନରେ ସମସ୍ତ ଗୋପୀ ଓ ଗୋପାଳ ଉତ୍ସାହିତ ହୋଇ ଥିବା ବେଳେ ନନ୍ଦଭବନରେ ବଡ଼ ଧୁମଧାମରେ ଆୟୋଜନ କରାଯାଇଛି ନନ୍ଦୋତ୍ସବ। ନନ୍ଦରାଜାଙ୍କ ନିମନ୍ତ୍ରଣ ପାଇ ସମସ୍ତ ଗୋପ, ଗୋପାଳ ନନ୍ଦୋତ୍ସବରେ କୃଷ୍ଣଙ୍କ ଦୋଳିଝୁଲା ସହ ରାସନୃତ୍ୟରେ ମାତିଯାଇଛନ୍ତି । କୃଷ୍ଣଙ୍କୁ ଦର୍ଶନ କରି ଗୋପପୁରବାସୀ ଆତ୍ମବିଭୋର ହୋଇପଡ଼ିଥିବା ବେଳେ ଧୂପ, ଦୀପ ନୈବେଦ୍ୟ ଦେଇ କୃଷ୍ଣଙ୍କୁ ପୂଜାର୍ଚ୍ଚନା କରିବା ସହ ଘଣ୍ଟବାଦ୍ୟ, ସଙ୍କୀର୍ତ୍ତନରେ ଉଛୁଳି ପଡ଼ୁଛି ଗୋପପୁର ଏବଂ ନନ୍ଦରାଜାଙ୍କ କୋଳରେ ଶ୍ରୀକୃଷ୍ଣ। ଏହି ଅବସରରେ ଗୋପପୁରରେ ଥିବା ନନ୍ଦଦରବାର ଉଦ୍ ଘାଟନ କରିଥିଲେ ବରଗଡ ଆରକ୍ଷୀ ଅଧିକ୍ଷକ ।

ଏପଟେ ମଥୁରାରେ ମହାରାଜ କଂସଙ୍କ ରାଜୁତି ଜୋରସୋରରେ ଚାଲିଛି। ପ୍ରଥମେ ଶ୍ୟାମେଶ୍ୱର ମହାଦେବଙ୍କୁ ପୂଜାର୍ଚ୍ଚନା କରି ସାରିବା ପରେ ଦେବକୀଙ୍କ ଅଷ୍ଟମ ଗର୍ଭ ସନ୍ତାନ ଜନ୍ମ ନେଇଥିବା ସୂଚନା ମିଳିଛି ମହାରାଜ କଂସଙ୍କୁ। ଏହାପରେ ମହାରାଜ କଂସ କାରାଗୃହକୁ ଯାଇ ବିଜୁଳି କନ୍ୟାଙ୍କୁ ଛଡ଼ାଇଆଣିଛନ୍ତି ଦେବକୀଙ୍କ କୋଳରୁ । ଦେବକୀ ବାସୁଦେବ ଶୁଶୁ କନ୍ୟାକୁ ଛାଡ଼ିଦେବା ପାଇଁ ବହୁ କାକୁତି ମିନତୀ କରିଥିଲେ ମଧ୍ୟ ମାନି ନାହିଁ କଂସ । ଶେଷରେ ଶିଶୁକନ୍ୟାକୁ ପଥର ଶିଳାରେ କଚାଡ଼ିବା ବେଳେ କଂସର ହାତରୁ ଅର୍ନ୍ତଧ୍ୟାନ ହୋଇଛନ୍ତି ବିଜୁଳି କନ୍ୟା  । ଏଥିରେ ବ୍ୟତିବସ୍ତ ହୋଇ ମହାରାଜ କଂସ ରାଜଦରବାରକୁ ଫେରିଆସି ମନ୍ତ୍ରୀ ପରିଷଦ ବର୍ଗଙ୍କ ସହ ମନ୍ତ୍ରଣା କରିଛନ୍ତି । ଏହି ସମୟରେ ନାରଦ ପହଂଚି କଂସ ମହାରାଜଙ୍କୁ ବିଜମନ୍ତ୍ର ପ୍ରଦାନ କରିଥିବା ବେଳେ କୃଷ୍ଣଙ୍କୁ ମାରିବା ପାଇଁ କଂସ ଆହ୍ୱାନ କରିଛନ୍ତି ଷଢ଼ମଲ୍ଲ ସହ ପୁତୁନା ରାକ୍ଷସୀଙ୍କୁ । ପୁତନା, ତୃଣା, ବକା ସକଟା, ଷଣ୍ଡା ଆଦି ରାକ୍ଷସ ରାକ୍ଷସୀ କଂସ ଙ୍କ ଆଦେଶରେ ବାହାରି ପଡ଼ିଛନ୍ତି ଗୋପପୁରକୁ । ଏହି ଅବସରରେ ମହାରାଜ କଂସ ଆୟୋଜନ କରିଛନ୍ତି ରାଜ୍ୟ ତଥା ରାଜ୍ୟବାହାରୁ ଆସିଥିବା କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ।