ଗୋପରେ ପହଞ୍ଚଲେଣି ଭଗବାନ ଶ୍ରୀକୃଷ୍ଣ, ତୃତୀୟ ଦିନରେ ବରଗଡ଼ ଧନୁଯାତ୍ରା

ମଥୁରା: ବଢୁଛି କଂସର ଅତ୍ୟାଚାର । ସେପଟେ ଗୋପରେ ପହଞ୍ଚିଛନ୍ତି ଭଗବାନ ଶ୍ରୀକୃଷ୍ଣ । କଂସ ମହାରାଜ କାରଗାରକୁ ଯାଇ ଦେବକୀଙ୍କ ଅଷ୍ଟମ ଗର୍ଭରେ କନ୍ୟା ସନ୍ତାନ ଜନ୍ମ ହୋଇଥିବା ଶୁଣି ଆଶ୍ଚର୍ଯ୍ୟ ହୋଇଛନ୍ତି । ତେବେ ଦୈବୀବାଣୀ ସତ ହେବା ଭୟରେ ମାଆ କୋଳରୁ ବିଜୁଳିକନ୍ୟାଙ୍କୁ ଆଣି ପାଷାଣରେ ଛେଚି ହତ୍ୟା କରିବାକୁ ଉଦ୍ୟମ କରିବାରୁ ହାତରୁ ଖସିଯାଇ ଦୈବୀ ରୂପରେ ପ୍ରକଟ ହୋଇଛନ୍ତି ବିଜୁଳିକନ୍ୟା । କଂସର ମୃତ୍ୟୁ ଗୋପରେ ବଢୁଛି କହି ଅନ୍ତର୍ଧ୍ୟାନ ହୋଇଛନ୍ତି ।

ବରଗଡ଼ ଧନୁଯାତ୍ରାର ଆଜି ତୃତୀୟ ଦିନରେ ଆଜି ଏମିତି କିଛି ଦୃଶ୍ୟ ଦେଖିବାକୁ ପାଇବେ ଦର୍ଶକ । ଏହାସହ ରାଜ ଦରବାରରେ କଂସର ମନ୍ତ୍ରଣା, ନାରଦଙ୍କ ଉପଦେଶ ପରେ ଷଡମଲ୍ଲକୁ ଆବାହନ କରି ଗୋପକୁ ପ୍ରେରଣ କରିବ କଂସାସୁର । ସେପଟେ ବସୁଦେବ କୃଷ୍ଣଙ୍କୁ ଯଶୋଦାଙ୍କ କୋଳରେ ଛାଡ଼ି ଆସିବା ପରେ ସକାଳୁ ସକାଳୁ ଗୋପରେ ଆରମ୍ଭ ହୋଇଛି ଉତ୍ସବ ।

ଆଜି ଗୋପପୁରରେ ନନ୍ଦ ଦରବାର ଉଦଘାଟନ ସହ ନନ୍ଦ ଉତ୍ସବ ଓ ନଗର ସଂକୀର୍ତ୍ତନ ମଞ୍ଚସ୍ଥ ହେବ । ଗତକାଲି କାରାଗାରରେ କୃଷ୍ଣ ଜନ୍ମ ପରେ ତାଙ୍କୁ ନେଇ ଗୋପରେ ଛାଡ଼ି ବିଜୁଳି କନ୍ୟାଙ୍କୁ ନେଇ ଆସିଥିଲେ ବସୁଦେବ । ଏହାସହ କଂସ ରଙ୍ଗମହଲ ଉଦଘାଟନ, କଂସ ମହାରାଜାଙ୍କ ନଗର ଭ୍ରମଣ ଦୃଶ୍ୟ ଅଭିନିତ ହୋଇଥିଲା । ଦୁଇଦିନ ହେଲା ମଥୁର ସାଜିଥିବା ବରଗଡ଼ରେ ବିଭିନ୍ନ ଦୃଶ୍ୟ ଅଭିନିତ ହୋଇଥିବେଳେ ଆଜିଠାରୁ ଗୋପପୁର ସାଜିଥିବା ଅମ୍ବାପାଲିରେ ଆରମ୍ଭ ହେବ କୃଷ୍ଣଲୀଳା ।