ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରାର ଆଜି ଅଷ୍ଟମ ଦିନ, କଂସର ଚିଟାଉ ନେଇ ଅକ୍ରୂରଙ୍କ ଗୋପପୁର ଗମନ
ବରଗଡ଼ : ସାରା ଗୋପପୁର ହୋଇପଡ଼ିଛି କୃଷ୍ଣମୟ । କୃଷ୍ଣ ପ୍ରେମରେ ରାଧାଙ୍କ ସହ ଷୋହଳ ସହସ୍ର ଗୋପୀ ହୋଇପଡ଼ିଛନ୍ତି ଆତ୍ମବିଭୋର । ଗୋଟିଏ ପରେ ଗୋଟିଏ ଲିଳା କରିଚାଲିଛନ୍ତି ନଟଖଟିଆ କାହ୍ନୁ । କେତେବେଳେ ଗୋପୀଙ୍କ ଦଧିହାଣ୍ଡି ଭାଗୁଛନ୍ତି ତ ଆଉ କେତେବେଳେ ବସ୍ତ୍ରହରଣ କରୁଛନ୍ତି । ପ୍ରତିଦିନ ଭଳି ରାଧା ଓ ଗୋପୀମାନେ ମଥୁରାକୁ ଦଧି ବିକି ଗୋପପୁର ଫେରିବା ବାଟରେ ଯମୁନା ପାରି ହୋଇ ଆସିଲା ବେଳେକୁ କୃଷ୍ଣ ନାଉରିଆ ବେଶରେ ଜଗି ରହିଥାନ୍ତି । ତା ପରେ ହୋଇଥାଏ ରାଧାକୃଷ୍ଣଙ୍କ ନାବକେଳି । ସପ୍ତମ ଦିନର ଏହି ମନୋରମ ଦୃଶ୍ୟ ସ୍ଥାନୀୟ ମନାବନ୍ଧ ଠାରେ ଦେଖିବାକୁ ହଜାର ହଜାର ଦର୍ଶକଙ୍କ ଭିଡ଼ ଜମିଥିଲା । ଯାହାକୁ ଦେଖି ଆତ୍ମବିଭୋର ହୋଇପଡ଼ିଥିଲେ ଦର୍ଶକ ।
ଏପେଟ କୃଷ୍ଣ ବଳରାମଙ୍କୁ ମାରିବା ପାଇଁ ମହାରାଜ କଂସ କରିଚାଲିଛନ୍ତି ଷଢ଼ଯନ୍ତ୍ର । କଳେବଳେ କୌଶଳେ କିପରି କୃଷ୍ଣ ବଳରାମଙ୍କୁ ନିଧନ କରିବେ ସେ ନେଇ ଚିନ୍ତିତ ହୋଇପଡ଼ିଛନ୍ତି । ଠିକ ଏତିକି ବେଳେ ଦେବର୍ଷି ନାରଦ ଧନୁଯାତ୍ରା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏବଂ ମଥୁରାରେ ଆୟୋଜିତ ଏହି ଧନୁଯାତ୍ରା ଦେଖିବାକୁ କୃଷ୍ଣ ବଳରାମଙ୍କୁ ନେଇ ଆସିବା ପାଇଁ ମନ୍ତ୍ରୀ ଅକ୍ରୂରଙ୍କ ହାତରେ ଏକ ଚିଟାଉ ଦେଇ ପଠାଇଛନ୍ତି ଗୋପପୁରକୁ । ଏହା ସହ ମଥୁରା ପହଂଚିବା ପରେ ଯେପରି କୃଷ୍ଣ ବଳରାମ ଗୋପପୁରକୁ ଫେରି ନପାରିବେ ସେନେଇ ମହାରାଜ କଂସ ସମସ୍ତ ପ୍ରହାରୀମାନଙ୍କୁ ସଜାଗ କରିଛନ୍ତି । ଏବଂ କୃଷ୍ଣ ବଳରାମଙ୍କୁ ମାରିବା ପାଇଁ ଶଙ୍ଖଚୁଡ ସାପକୁ ଗୋପକୁ ପଠାଇଛନ୍ତି । ଧନୁଯାତ୍ରାର ଅଷ୍ଟମ ଦିବସରେ ଆଜି ମହାରାଜ କଂସଙ୍କ ନଗରଭ୍ରମଣ, ଇନ୍ଦ୍ରଙ୍କ ସହ ଯୁଦ୍ଧ ଓ ବନ୍ଦୀ, ଯମପୁର ଆକ୍ରମଣ ଦୃଶ୍ଯ ଅଭୀନିତ ହେବ । ତା ସାଙ୍ଗକୁ ଅକ୍ରୁରଙ୍କ ଗୋପପୁର ଗମନ ଓ ଯମୁନା ବାଲିରେ କୃଷ୍ଣପାଦ ଦର୍ଶନ , କୃଷ୍ଣ ବଳରାମ ସହ ଅକ୍ରୂରଙ୍କ ସାକ୍ଷାତ ଶ୍ରୀକୃଷ୍ଣଙ୍କ ଗୀରି ଗୋବର୍ଦ୍ଧନ ଧାରଣ, ଆଦି ଦୃଶ୍ୟ ଅଭିନୀତ ହେବ ।