ବରଗଡ଼ ଧନୁଯାତ୍ରା ପାଇଁ ଜୋରଦାର ଚାଲିଛି ଆଖଡ଼ା

ବରଗଡ:  ଧନୁଯାତ୍ରା ପାଇଁ ଚଳଚଞ୍ଚଳ ବରଗଡ । ଆରମ୍ଭ ହେଲାଣି ଅଭ୍ୟାସ । ୪ ଦିନ ଧରି ଆଖଡ଼ାଶାଳରେ କୁନି କୁନି କଳାକାର ନିଜ ନିଜର ଚମତ୍କାର ଅଭିନୟ ପାଇଁ ଅଭ୍ୟାସ ଜାରି ରଖିଛନ୍ତି । ଅଭିଜ୍ଞ ବ୍ୟକ୍ତିବିଶେଷ ମାନଙ୍କ ଦ୍ଵାରା ଏହି କୁନି କୁନି କଳାକାରଙ୍କୁ ଶ୍ଳୋକ, ଗୀତ ଓ ଅଭିନୟ ପାଇଁ ପ୍ରସ୍ତୁତ କରାଯାଉଛି ।

ବରଗଡରେ ଧନୁଯାତ୍ରା ପାଇଁ ଆରମ୍ଭ ହେଲାଣି ଅଭ୍ୟାସ । ୪ଦିନ ଧରି ଆଖଡ଼ାଶାଳରେ କୁନି କୁନି କଳାକାର ନିଜ ନିଜର ଚମତ୍କାର ଅଭିନୟ ପାଇଁ ଅଭ୍ୟାସ ଜାରି ରଖିଛନ୍ତି । ଗୋପପୁରରେ କୃଷ୍ଣ ଭୂମିକାରେ ଅଭିନୟ କରୁଥିବା ସମ୍ରାଟ ମହାପାତ୍ର, ରାଧା ଭୂମିକା ପାଇଁ ବୈଷ୍ଣବୀ ବିର୍ତିଆ ଓ ବଳରାମ ଭୂମିକା ପାଇଁ କିଶନ କୁମାର ବିର୍ତିଆ ସହ ଗୋପୀ, ଗୋପାଳ ଚରିତ୍ରରେ ଅଭିନୟ କରୁଥିବା କୁନି କଳାକାର ମାନେ ନିଜ ନିଜ ମଧ୍ୟରେ ଅଭିନୟର ମଧୁର ସମନ୍ଵୟ ପାଇଁ ଚେଷ୍ଟା କରୁଛନ୍ତି ।

ଅଭିଜ୍ଞ ବ୍ୟକ୍ତିବିଶେଷ ମାନଙ୍କ ଦ୍ଵାରା ଏହି କୁନି କୁନି କଳାକାରଙ୍କୁ ଶ୍ଳୋକ, ଗୀତ ଓ ଅଭିନୟ ପାଇଁ ପ୍ରସ୍ତୁତ କରାଯାଉଛି । ତେବେ ଗତବର୍ଷ କୃଷ୍ଣ, ବଳରାମ ଓ ରାଧା ଭୂମିକାରେ ଅଭିନୟ କରିଥିବା କଳାକାରଙ୍କୁ ପରିବର୍ତ୍ତନ ନକରାଯାଇ ସେହି କଳାକାର ମାନେ ଏ ବର୍ଷର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାରେ ପୁନର୍ବାର ଅଭିନୟ କରିବେ । ତେବେ ପୌରାଣିକ କଥାବସ୍ତୁ ଉପରେ ଆଧାରିତ ବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ ନିଜ ନିଜର ଉତ୍କୃଷ୍ଟ କଳା ପ୍ରଦର୍ଶନ ପାଇଁ ଗୋପପୁରର କୁନି ଅଭିନେତା ମାନେ ଅଣ୍ଟା ଭିଡି ସାରିଛନ୍ତି । ଗୋପପୁରର ଗୋପୀ ଗୋପାଳ, କୃଷ୍ଣ ବଳରାମ ଓ ରାଧା ଆଦି କଳାକାରଙ୍କ ଆଖଡ଼ାଶାଳରେ କଠିନ ପରିଶ୍ରମ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାକୁ ଆହୁରି ଆକର୍ଷଣୀୟ କରିବ।