ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ଚଳଚଞ୍ଚଳ ହେଲାଣି ବରଗଡ଼

ବରଗଡ଼: ଜାନୁୟାରୀ ୧୫ ତାରିଖରେ ଆରମ୍ଭ ହେବାକୁ ଯାଉଛି ବିଶ୍ୱର ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ୭୬ ବର୍ଷକୁ ପଦାର୍ପଣ କରିଥିବା ଧନୁଯାତ୍ରା ପାଇଁ ଚଳଚଂଚଳ ହୋଇପଡିଛି ବରଗଡ। ମଥୁରା ସାଜିଥିବା ବରଗଡ଼ ସହର ଓ ଗୋପପୁର ସାଜିଥିବା ଅମ୍ବାପାଲିର ଲୋକେ ଉତ୍ସାହିତ।

ଆରମ୍ଭ ହେବାକୁ ଯାଉଛି ପ୍ରସିଦ୍ଧ ଧନୁଯାତ୍ରା । ଦୁଲୁକିବ ବରଗଡ ସହର । ଶୁଭିବ କଂସଙ୍କ ଅଟହାସ୍ୟ । ଧନୁଯାତ୍ରା ପାଇଁ ଏବେଠୁ ସଜେଇ ହେଲାଣି ମଥୁରା ଓ ଗୋପପୁର। ଅମ୍ବାପାଲିର ଘରର କାନ୍ଥରେ ତିଆରି ହେଉଛି ପୌରାଣିକ ଚିତ୍ର । ଗତ ୨୨ ତାରିଖରେ ମଥୁରା ନଗରୀରେ ଶୁଭସ୍ତମ୍ଭ ସ୍ଥାପନ କରାଯାଇଥିବା ବେଳେ ଗୋପପୁରରେ ଶୁଭସ୍ତମ୍ଭ ସ୍ଥାପିତ କରାଯାଇ ଉଭୟ ସ୍ଥାନର ଅଭ୍ୟାସ ଆଖଡା ଶାଳରେ କଳାକାର ମାନଙ୍କର ଅଭ୍ୟାସ ଜାରି ରଖିଛନ୍ତି । ସେପଟେ ନାଟ୍ୟ ଗୁରୁ  ଅଶୋକ ବେହେରାଙ୍କ ନିର୍ଦେଶନା କ୍ରମେ ସମସ୍ତ କଳାକାର ନିଜ ନିଜର ଅଭିନୟର ଅଭ୍ୟାସ ଆରମ୍ଭ କରିଦେଇଛନ୍ତି ।

ସେପଟେ ବରଗଡ ହାଟପଦା ଠାରେ ମହାରାଜ କଂସଙ୍କର ରାଜଦରବାରର କାର୍ଯ୍ୟ ମଧ୍ୟ ଯୁଦ୍ଧ କାଳୀନ ଭିତ୍ତିରେ ଆରମ୍ଭ ହୋଇଯାଇଛି | ୮୦ ଫୁଟ ଚଉଡା ଓ ୯୦ ଫୁଟ ଉଚ୍ଚତା ବିଶିଷ୍ଟ କଂସ ମହାରାଜଙ୍କ ରାଜଦରବାର ନିର୍ମାଣ କାର୍ଯ୍ୟରେ ଲାଗିପଡିଛନ୍ତି ବଙ୍ଗାଳରୁ ଆସିଥିବା ୨୫ ଜଣ କାରିଗର । ଦର୍ଶକଙ୍କ ମନମୋହିବା ପାଇଁ ବିରାଟ ତୋରଣର ବ୍ୟବସ୍ଥା କରାଯାଇଛି । ସ୍ଥାନୀୟ ଲୋକକଳା ଓ ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ଲୁଚି ଯାଉଥିବା କଳା ଗୁଡିକୁ  ସ୍ଥାନ ଦେବା ସହିତ ଲୋକଙ୍କ ମନୋରଞ୍ଜନ ପାଇଁ ମଧ୍ୟ ଭିନ୍ନ ଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ରାଜଦରବାରରେ ରଖାଯାଇଛି ।