ବରଗଡ : ଧନୁଯାତ୍ରା ପାଇଁ କମ୍ପୁଛି ବରଗଡ଼ ଓ ଅମ୍ବାପାଲ୍ଲୀ । ଚାଲିଛି ମହାପ୍ରତାପୀ କଂସଙ୍କ ରାଜୁତି । ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରାର ପଞ୍ଚମ ଦିନରେ ଗୋପପୁରରେ ଶ୍ରୀକୃଷ୍ଣଙ୍କ ଲୀଳାଖେଳା ଦୃଶ୍ୟ ଥିଲା ଅତ୍ୟନ୍ତ ମନରୋମ । କେତେବେଳେ କଳାକାହ୍ନୁ ଲହୁଣୀ ଚୋରି କରୁଥିଲେ ତ କେତେବେଳେ ଗୋପାଳ ବାଳକଙ୍କ ସହ ବଣ ଭୋଜି କରୁଥିଲେ । ଏମିତି ଦିନେ ଲହୁଣୀ ଚୋରି କରି ଖାଉଥିବା ବେଳେ ମାଆ ଯଶୋଦାଙ୍କ ହାତରେ ଧରାପଡିଥିଲେ କୃଷ୍ଣ । ମାଆ ଯଶୋଦା ଦଉଡ଼ିରେ ବାନ୍ଧି ଦେଇଥିବା ବେଳେ ନଟଖଟିଆ କାହ୍ନା ଯାମଳାର୍ଜ୍ଜୁନ ଭଞ୍ଜନ କରି ଶ୍ରାପ ଗ୍ରସ୍ତ ଦୁଇଭାଇଙ୍କୁ ଉଦ୍ଧାର କରିଥିଲେ । ଏହି ଅବସରରେ ସୃଷ୍ଟିକର୍ତ୍ତା ବ୍ରହ୍ମା ଗୋପୀ ତଥା ରାଧାଙ୍କୁ ବିମୋହିତ କରିବା ପାଇଁ କୃଷ୍ଣଙ୍କୁ ମୋହନ ବଂଶୀ ପ୍ରଦାନ କରିଛନ୍ତି । ଏହାପରେ କାଳୀୟ ନାଗ ଦଳନ ହୋଇଥିଲା ।
ଅନ୍ୟପଟେ ମହାରାଜ କଂସ ଦିଗବିଜୟରେ ବାହାରି ମଗଧ ରାଜ୍ୟ ଉପରେ ଆକ୍ରମଣ କରିଥିବା ବେଳେ ମଗଧ ରାଜା ଜରାସନ୍ଧକୁ ପରାସ୍ତ କରିଛନ୍ତି । ତାଙ୍କର ଦୁଇ ଝିଅ ହେତୀ ଓ ପ୍ରହେତୀଙ୍କୁ ବିବାହ କରିଛନ୍ତି । ଠିକ ଏତିକି ବେଳେ କାଳୀୟ ନାଗର ଦର୍ପଦଳନ ଖବର ଆସିଥିଲା ଗୋପପୁରରୁ । ସେଥିରେ ବ୍ୟଥିତ ନହୋଇ କଳେବଳେ କୌଶଳେ କେମିତି କୃଷ୍ଣ ବଳରାମଙ୍କୁ ହତ୍ୟା କରିବେ ସେନେଇ ଷଡଯନ୍ତ୍ର କରିଛନ୍ତି ପ୍ରବଳପ୍ରତାପୀ କଂସ ଏବଂ ରଂଗସଭାର ଆୟୋଜନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଯାତ୍ରାର ଷଷ୍ଠ ଦିନରେ କୃଷ୍ଣଙ୍କୁ ମାରିବାକୁ ଶଙ୍ଖଚୂଡ଼କୁ ପ୍ରେରଣ କରିବେ ମହାରାଜା କଂସ। ମଥୁରାରେ ଆସନ୍ନ ଯୁଦ୍ଧ ପ୍ରସ୍ତୁତି ନେଇ ପାତ୍ରମନ୍ତ୍ରୀଙ୍କ ସହ କରିବେ ମନ୍ତ୍ରଣା । ଏହାସହ ପ୍ରଶାସନିକ ଅଧିକାରୀଙ୍କ ସହ ହେବ ଜନତା ଦରବାର । ସେପଟେ ଗୋପପୁର ସାଜିଥିବା ଅମ୍ବାପାଲ୍ଲୀରେ ଦେଖିବାକୁ ମିଳିବ ଗୋପୀଙ୍କ ଦହି ବିକା ଦୃଶ୍ଯ । ଯମୁନା ପାଲଟିଥିବା ଜିରା ନଦୀରେ ଗୋପୀଙ୍କ ବସ୍ତ୍ର ହରଣ କରିବେ ଶ୍ରୀକୃଷ୍ଣ ।

