ବାରବାଟୀ ଟି-୨୦ ପ୍ରସ୍ତୁତି, ୯ ତାରିଖ ସକାଳ ୯ଟାରୁ ଅଫଲାଇନରେ ମିଳିବ ଟିକେଟ୍

1 min read

କଟକ: ବଢ଼ୁଛି ବାରବାଟୀ ଉତ୍କଣ୍ଠା । ୧୨ ତାରିଖରେ ହେବ ହାଇଭୋଲଟେଜ୍ ମ୍ୟାଚ । ଏହି ଟି-୨୦ ମ୍ୟାଚ ପାଇଁ ୯ରୁ ଅଫଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ ହେବ । ସାଧାରଣ ଦର୍ଶକଙ୍କ ପାଇଁ କାଉଣ୍ଟରରେ ମିଳିବ ୧୨ ହଜାର ଟିକେଟ୍ । ଦୀର୍ଘ ବର୍ଷ ପରେ ମ୍ୟାଚ ହେଉଥିବାରୁ ଅଧିକ ଭିଡ ହେବା ଆଶଂକା କରାଯାଉଛି । ଏଥିପାଇଁ ଷ୍ଟାଡିୟମ ପରିସରରେ ୨ଟି କାଉଣ୍ଟର ସହ ଅସ୍ଥାୟୀ ଭାବେ ୫ଟି କାଉଣ୍ଟର କରିବାକୁ ନିଷ୍ପତ୍ତି ନେଇଛି ଓସିଏ । ପ୍ରତି ଦର୍ଶକଙ୍କୁ ସର୍ବାଧିକ ୨ଟି ଟିକେଟ୍ ମିଳିବ । ନିଜର ଫଟୋ ପରିଚୟପତ୍ର ଦେଖାଇ ଟିକେଟ୍ କିଣିବେ ଦର୍ଶକ ।

୯ ତାରିଖ ଦିନ ସକାଳ ୯ଟାରୁ ଆରମ୍ଭ ହେବ ଟିକେଟ୍ ବିକ୍ରି । ଷ୍ଟାଡିୟମରେ ୪୪ ହଜାର ୨୩୪ ଜଣ ଦର୍ଶକ ଏଥର ମ୍ୟାଚ ଦେଖିବେ । ଚଳିତବର୍ଷ ୧୮ ପ୍ରତିଶତ GST ସହ ଟିକେଟ ଦର ବୃଦ୍ଧି ହୋଇଛି । ଗ୍ୟାଲେରି ନମ୍ବର ୧, ୩ ଓ ୫ ପାଇଁ ଟିକେଟ ଦର ୯ ଶହ ଟଙ୍କା ରଖାଯାଇଥିବା ବେଳେ, ଗ୍ୟାଲେରି ନମ୍ବର ୨ ଓ ୪ ପାଇଁ ୭ ଶହ ଟଙ୍କା, ୭ ନମ୍ବର ଗ୍ୟାଲେରି ଦର ୬ ଶହ ଟଙ୍କା, କେବଳ ଖେଳାଳିଙ୍କ ପାଇଁ ଉଦ୍ଦିଷ୍ଟ ୬ ନମ୍ବର ଗ୍ୟାଲେରି ଦର ୩ ଶହ ଟଙ୍କା, ସ୍ପେଶାଲ ଏନକ୍ଲୋଜର ପାଇଁ ୫ ହଜାର ଟଙ୍କା, AC ବକ୍ସ ପାଇଁ ୭ ହଜାର ଟଙ୍କା, ନ୍ୟୁ ପାଭିଲିଅନ ପାଇଁ ୮ ହଜାର ଟଙ୍କା ଓ କର୍ପୋରେଟ ବକ୍ସ ପାଇଁ ୧୨ ହଜାର ଟଙ୍କା ଦର ଧାର୍ଯ୍ୟ କରାଯାଇଛି । ଟିକେଟ ବିକ୍ରି ସମୟରେ ଶୃଙ୍ଖଳା ରକ୍ଷା କରିବାକୁ ୧୦ ପ୍ଲାଟୁନ ଫୋର୍ସ ମୁତୟନ ରହିବେ । ସେପଟେ ଟିକେଟ କଳାବଜାରୀ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଥିବାବେଳେ ପୂର୍ବଦିନ ରାତିରୁ କାଉଣ୍ଟର ଆଗରେ ଭିଡ଼ ନ ଜମାଇବାକୁ ପରାମର୍ଶ ଦେଇଛନ୍ତି ଡିସିପି ।