ବାରବାଟୀ ଷ୍ଟାଡିୟମକୁ ଦିଆଯିବ ନୂଆ ରୂପ: ଓସିଏ ବାର୍ଷିକ ସାଧାରଣ ପରିଷଦ ବୈଠକରେ ପ୍ରସ୍ତାବ

କଟକ: ଓଡିଶା କ୍ରିକେଟ ଆସୋସିଏସନର ବାର୍ଷିକ ସାଧାରଣ ପରିଷଦ ବୈଠକରେ ବାରବାଟୀ ଷ୍ଟାଡିୟମକୁ ନୂଆ କରି ଗଢିବାକୁ ପ୍ରସ୍ତାବ ଗ୍ରହଣ କରାଯାଇଛି । ସଭାପତି ପ୍ରଣବ ପ୍ରକାଶ ଦାସ, ସମ୍ପାଦକ ସଞ୍ଜୟ ବେହେରାଙ୍କ ଉପସ୍ଥିତରେ ଅନୁଷ୍ଠିତ ଏହି ବୈଠକରେ ୭୦ରୁ ଅଧିକ ସଦସ୍ଯ ଉପସ୍ଥିତ ଥିଲେ । ବାରବାଟୀ ଷ୍ଟାଡିୟମକୁ ନୂଆ କରି ଗଢିବାକୁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ପ୍ରସ୍ତାବ ରଖାଯିବ ବୋଲି ଏଥିରେ ନିଷ୍ପତ୍ତି ନିଆଯାଇଛି । ଏହାସହ ବାରବାଟୀରେ ଶୀଘ୍ର ଟେଷ୍ଟ ମ୍ୟାଚ୍ ଆୟୋଜନ ନେଇ ବିସିସିଆଇକୁ ପ୍ରସ୍ତାବ ଦିଆଯାଇଛି ବୋଲି କହିଛନ୍ତି ଓସିଏ ସମ୍ପାଦକ ।

ନୂଆ ରୂପ ପାଇବ କଟକ ଐତିହାସିକ ବାରବାଟୀ ଷ୍ଟାଡିୟମ । ଶୀଘ୍ର ଆୟୋଜିତ ହେବ ଟେଷ୍ଟ ମ୍ୟାଚ୍ । ବାର୍ଷିକ ସାଧାରଣ ପରିଷଦ ବୈଠକରେ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ । ବାରବାଟୀ ଷ୍ଟାଡିୟମ ବହୁ ବର୍ଷର ପୁରୁଣା ଷ୍ଟାଡିୟମ ହୋଇ ଥିବାରୁ ଏହାକୁ ନୂଆ କରି ଗଢି ତୋଳିବାକୁ ପ୍ରସ୍ତାବ ଗ୍ରହଣ କରାଯାଇଛି । ସଭାପତି ପ୍ରଣବ ପ୍ରକାଶ ଦାସ, ସମ୍ପାଦକ ସଞ୍ଜୟ ବେହେରାଙ୍କ ଉପସ୍ଥିତିରେ ଅନୁଷ୍ଠିତ ବୈଠକରେ ଏନେଇ ହୋଇଛି ବିସ୍ତୃତ ଆଲୋଚନା । ଷ୍ଟାଡିୟମର ୪, ୫, ୬ ଓ ୭ ନମ୍ବର ଗ୍ୟାଲେରୀ ପୁରୁଣା ହେଲାଣି । ତେଣୁ ପୁରା ଷ୍ଟାଡିୟମକୁ ନୂଆ କରି ଗଢି ତୋଳିବାକୁ ଶୀଘ୍ର ଏକ ରିପୋର୍ଟ ପ୍ରସ୍ତୁତ କରାଯାଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦିଆଯିବ । ଏହାସହ ବାରବାଟୀ ଷ୍ଟାଡିୟମ ଜମି ଲିଜ ଅବଧୀ ସରି ଯାଇଥିବାରୁ ଏହାର ନବୀକରଣ ସହ ଉଭୟ ଓଡିଶା ଅଲିମ୍ପିକ ଆସୋସିଏସନ ଓ ଓସିଏକୁ ହସ୍ତାନ୍ତର କରିବାକୁ ସରକାରଙ୍କୁ ଅନୁରୋଧ କରାଯିବ ।

ଏହାଛଡା ବାରବାଟୀ ଷ୍ଟାଡିୟମରେ ଶୀଘ୍ର ଟେଷ୍ଟ ମ୍ୟାଚ୍ ହେବା ନେଇ ବିସିସିଆଇକୁ ପ୍ରସ୍ତାବ ଦିଆଯାଇଛି । ଆଗକୁ ଆଇସିସିର ଏକ ଟିମ ବାରବାଟୀ ଷ୍ଟାଡିୟମ ବୁଲି ଏଠାକାର ସ୍ଥିତି ଓ ବ୍ଯବସ୍ଥା ସମ୍ପର୍କରେ ରିପୋର୍ଟ ଦେବାପରେ ମ୍ୟାଚ ନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ।

ଆଗାମୀ ଦିନରେ ଓସିଏ ଅନ୍ତ କ୍ଲବ, ଇଣ୍ଟର ସ୍କୁଲ, ଇଣ୍ଟର କଲେଜ ଟୁର୍ଣ୍ଣାମେଣ୍ଟ ଅଧିକରୁ ଅଧିକ କରି ପ୍ରତିଭା ବାହାର କରାଯିବ ବୋଲି ବୈଠକରେ ସ୍ଥିର ହୋଇଛି ।