ନୂଆ ରୂପରେ ଚମକିବ ଐତିହାସିକ ବାରବାଟୀ ଷ୍ଟାଡିୟମ

1 min read

କଟକ: ଆଗାମୀ ୪୦ ବର୍ଷ ପାଇଁ ବାରବାଟୀ ଷ୍ଟାଡିୟମ ଜମି ନବୀକରଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁର ମିଳିବା ପରେ ଷ୍ଟାଡିୟମ ପରିସରରେ ଖୁସିର ଲହରି ଖେଳିଯାଇଥିଲା। ବିଭିନ୍ନ କ୍ରୀଡା ସଂଗଠନର କର୍ମକର୍ତ୍ତା ଏଥି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଓ ଓସିଏ ସଭାପତି ପ୍ରଣବ ପ୍ରକାଶ ଦାସଙ୍କୁ କୃତଜ୍ଞତା ଜଣାଇଥିଲେ। ଜମି ଲିଜ ମଞ୍ଜୁର ହେବା ପରେ ଆଗକୁ ବାରବାଟୀ ଷ୍ଟାଡିୟମର ନବୀକରଣ ଏବଂ ଏହା ନିକଟରେ ଏକ ଅତ୍ୟାଧୁନିକ ସ୍ପୋର୍ଟସ କମ୍ପ୍ଲେକ୍ସ କରିବା ପାଇଁ ରାଜ୍ଯ ସରକାର ଓ ଓସିଏର ଯୋଜନା ଶୀଘ୍ର ସାକାର ହୋଇ ପାରିବ।

ନୂଆ ରୂପରେ ଚମକିବ ଐତିହାସିକ ବାରବାଟୀ ଷ୍ଟାଡିୟମ । କ୍ରୀଡାବିତଙ୍କ ପାଇଁ ଭତ୍ତିଭୂମିର ହେବ ସୁଦୃଢିକରଣ । ସୃଷ୍ଟିହେବେ ଦକ୍ଷ ଖେଳାଳି । ବିଶ୍ବରେ ବଢିବ ଓଡ଼ିଶାର ଗୌରବ । ଏଭଳି ଲକ୍ଷ୍ୟ ନେଇ ମୁଖ୍ୟମନ୍ତ୍ରୀ ନେଉଛନ୍ତି ଗୋଟିଏ ପରେ ଗୋଟିଏ ପଦକ୍ଷେପ ।  ବିସିସିଆଇ, ଓସିଏ ଓ ରାଜ୍ଯ ସରକାର ମିଳିତ ଭାବେ ବାରବାଟୀକୁ ଏକ ଅତ୍ୟାଧୁନିକ ତଥା ବିଶ୍ବସ୍ତରୀୟ ଷ୍ଟାଡିୟମର ରୂପ ଦେବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି । ଏନେଇ  ରାଜ୍ୟ ସରକାର ଓଡିଶା ଅଲିମ୍ପିକ ଆସୋସିଏସନ ଅଧୀନରେ ଥିବା ବାରବାଟୀ ଷ୍ଟାଡିୟମର ୨୦ ଏକର ଜମିର ଲିଜ୍ ନବୀକରଣ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ଆଗାମୀ 40 ବର୍ଷ ପାଇଁ ଷ୍ଟାଡିୟମ ଜମିକୁ ସରକାର ଅଲିମ୍ପିକ ଆସୋସିଏସନକୁ ପ୍ରଦାନ କରିଛନ୍ତି। ଏଥିରେ ୭୦୦ କୋଟି ଟଙ୍କା ବ୍ୟୟରେ ଏକ ଅତ୍ୟାଧୁନିକ ଷ୍ଟାଡିୟମ ନିର୍ମାଣ ହେବ। ସେହିପରି ବାରବାଟୀ ପରିସରରେ ଏକ ବହୁମୁଖୀ ଅତ୍ୟାଧୁନିକ ସ୍ପୋର୍ଟସ କମ୍ପ୍ଲେକ୍ସ ନିର୍ମାଣ ହେବା ପାଇ ପ୍ରସ୍ତାବ ରହିଛି ।

୧୯୯୪ ମସିହାରେ ପ୍ରଥମେ ରାଜ୍ଯ ସରକାର ବାରବାଟୀ ଷ୍ଟାଡିୟମ ପାଇଁ ଏକର ପିଛା ଏକ ଟଙ୍କା ହିସାବରେ ୪୦ ବର୍ଷ ପାଇଁ ୨୬ ଏକର ଜମି ଲିଜ ଦେଇଥିଲେ। ପରେ 1୯୮୯ ମସିହାରେ ଲିଜ ସରିବା ପରେ ଆଉ ଲିଜ ବଢିବା ନେଇ ବିଭିନ୍ନ ସମସ୍ୟା ଉପୁଜିଥିଲା। ତେବେ ରାଜ୍ଯ ସରକାର ବାରବାଟୀର ନବୀକରଣ ଗୁରୁତ୍ୱକୁ ବିଚାର କରି ପୁଣି ତ୍ବରିତ ପ୍ରକ୍ରିୟାରେ ୨୦ ଏକର ଜମିର ଲିଜ ମଞ୍ଜୁରୀ ଦେଇଛନ୍ତି । ଏ ଖବର ମିଳିବା ପରେ କ୍ରୀଡା ସଂଗଠନର କର୍ମକର୍ତ୍ତା ଏକାଠି ହୋଇ ବାଜା ବଜାଇ ବାଣ ଫୁଟାଇ ଖୁସି ମନାଇଛନ୍ତି । ଏହା ସହ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଓ ଓସିଏ ସଭାପତି ପ୍ରଣବ ପ୍ରକାଶ ଦାସଙ୍କୁ ଧନ୍ୟବାଦ ଦେଇଛନ୍ତି।