ବାରବାଟୀ ବିଭ୍ରାଟ: ଆଉ ମିଳିବ ତ ମ୍ୟାଚ୍, କଟିଯିବ କି ଅନ୍ତର୍ଜାତୀୟ ଷ୍ଟାଡ଼ିୟମ ମାନ୍ୟତା ?

1 min read

କଟକ: ବାରବାଟୀରେ ଅଧାମ୍ୟାଚରେ ଲିଭିଗଲା ଫ୍ଲଡଲାଇଟ । ନିମିଷକରେ ଧୂଳିସାତ ହୋଇଗଲା ବର୍ଷ ବର୍ଷ ଧରି ଓଡ଼ିଶା ସାଉଁଟିଥିବା କ୍ରାଡ଼ା ଜଗତରେ ସୁନାମ । ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚରେ ବାରବାଟୀ ଅନ୍ଧାର ଘଟଣାକୁ ନେଇ ଉଠିଛି ଅନେକ ପ୍ରଶ୍ନ । ଗଣମାଧ୍ୟମଠାରୁ ଆରମ୍ଭ କରି ସାଧାରଣ ଦର୍ଶକ ଓଡ଼ିଶା କ୍ରିକେଟ୍ ଆସୋସିଏସନ (ଓସିଏ) ଉପରେ ଲଦୁଛନ୍ତି ଦୋଷ । କାହା ଉପରେ ନିଆଯିବ କାର୍ଯ୍ୟାନୁଷ୍ଠାନ ତାହା ଉପରେ ସମସ୍ତଙ୍କ ରହିଛି ନଜର ।

ବାରବାଟୀକୁ ଆଉ ମିଳିବ ତ ଏକ ଦିବସୀୟ ମ୍ୟାଚ୍ ? ଅନ୍ତର୍ଜାତୀୟ ଷ୍ଟାଡିୟମ ତାଲିକାରୁ ବାରବାଟୀ ବାଦ୍ ପଡିବ ନାହିଁ ତ ? ଭାରତ- ଇଂଲଣ୍ଡ ଦିନିକିଆ ମ୍ୟାଚ ବେଳେ ଷ୍ଟାଡିୟମ ଅନ୍ଧାର ହୋଇଯିବା ଘଟଣାକୁ ନେଇ ଏବେ ଏମିତି ଆଶଙ୍କାରେ ଓଡ଼ିଶାବାସୀ । ଓସିଏ ପାଇଁ ଓଡ଼ିଶା ହୋଇଛି ବଦନାମ । ୪ଟି ବଡ଼ ବଡ଼ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ଆୟୋଜନ କରି ଓଡ଼ିଶା ଯେଉଁ ସୁନାମ ଅର୍ଜନ କରିଥିଲା ତାହା ନୂଆ ସରକାର ଆସିବା ପରେ ଧ୍ବଂସ ହୋଇଯାଇଛି । ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍ ଚାଲିଥିବା ବେଳେ ଲାଇଟ୍ ଲିଭି ଯିବା ଘଟଣାରେ ଓଡ଼ିଶା ଯେତିକି ଦୁର୍ନାମ ମୁଣ୍ଡାଇଛି ଦେଶ ଓ ଭାରତୀୟ କ୍ରିକେଟ୍ ବୋର୍ଡ଼ର ନାମ ସେତିକି ତଳକୁ ଯାଇଛି।

ଓସିଏର ପୂର୍ବତନ କୋଷାଧ୍ୟକ୍ଷ ଉଠାଇଛନ୍ତି ଅନେକ ଯୁକ୍ତିଯୁକ୍ତ ପ୍ରଶ୍ନ । ୨୦୦୧ରେ ଫ୍ଲଡ ଲାଇଟ ସହ ଡିଜି ସେଟର ବ୍ୟବସ୍ଥା ହୋଇଥିଲା । ସେହି ପୁରୁଣା ଡିଜି ସେଟକୁ ୨୦ ବର୍ଷ ପରେ କିପରି ଏକ ଅନ୍ତର୍ଜାତୀୟ ମ୍ୟାଚରେ ବ୍ୟବହାର କରାଗଲା ? ଯଦି ବ୍ୟବହାର କରାଗଲା ତେବେ ସେହି ସେଟ ପାଖରେ ବ୍ୟାକଅପ ଡିଜି ସେଟ କାହିଁକି ରଖାଗଲା ନାହିଁ ?

ଦୀର୍ଘ ୫ ବର୍ଷ ପରେ ବାରବାଟୀକୁ ଏକ ଦିବସୀୟ ଫେରିଥିଲା । ହେଲେ ଏବେ ଭବିଷ୍ୟତର ଆଶା ଚୂରମାର ହେବା ଆଶଙ୍କା କରାଯାଉଛି । ସେପଟେ ପୂର୍ବତନ ବିଧାୟକ ପ୍ରକାଶ ବେହେରା କହିଛନ୍ତି, କେବଳ ଡିଜି ସେଟ ଅପରେଟରଙ୍କୁ ଦୋଷ ଦେଇ ଓସିଏ ଖସି ଯାଇପାରିବ ନାହିଁ । ସବୁ ଅବ୍ୟବସ୍ଥାର ତଦନ୍ତ ହେବା ଉଚିତ । ଓସିଏ କମିଟିକୁ ଭାଙ୍ଗି ତଦନ୍ତ କରାଗଲେ ଘଟଣାର ସତ୍ୟାସତ୍ୟ ପଦାକୁ ଆସିବ । ଟିକେଟ ବିକ୍ରିରେ ଅବ୍ୟବସ୍ଥା, ପାସ କେଳେଙ୍କାରୀ, ଟିକେଟ କଳାବଜାରୀ ନେଇ ମଧ୍ୟ ସେ ସ୍ବର ଉଠାଇଛନ୍ତି ।