କୋହଲି … କୋହଲି ନାରାରେ କମ୍ପୁଥିଲା ଅଞ୍ଚଳ

କଟକ : କଟକକୁ କ୍ରିକେଟ ଫିଭର । ବାରବାଟୀରେ ଚାଲିଛି ବ୍ୟାଟେଲ, ବାହାରେ ଚିଅରଅପ୍ । ଭିତରକୁ ପ୍ରବେଶ ପାଇଁ କ୍ରୀଡା ପ୍ରେମୀଙ୍କ ଲମ୍ବା ଲାଇନ୍ । ଘଣ୍ଟା ଘଣ୍ଟା ଧରି ଖରାରେ ଛିଡାହୋଇଥିଲେ ବି କ୍ରିକେଟ୍ କ୍ରେଜ ଆଗରେ ସବୁ କଷ୍ଟ ମଳିନ ପଡିଥିଲା  । କୋହଲି … କୋହଲି ସ୍ଲୋଗାନରେ କମ୍ପୁଥିଲା ଅଞ୍ଚଳ । ତ୍ରିରଙ୍ଗାରେ ରଙ୍ଗୀନ ହୋଇଥିଲା ପୁରା ପରିବେଶ । ସମସ୍ତଙ୍କ ଗାଲରେ ଅଙ୍କା ଯାଇଥିଲା ଜାତୀୟ ପତାକା ।  ଦେହରେ ରହିଥିଲା ଭାରତୀୟ ଟିମର ପୋଷାକ ।  ନିଜ ନିଜ ପସନ୍ଦର ଖେଳାଳିଙ୍କୁ ଉତ୍ସାହିତ କରିବାକୁ ସାରା ରାଜ୍ୟରୁ ଛୁଟି ଆସିଥିଲେ ଫ୍ୟାନ।  ଟିକେଟ୍ ଧରି ଲମ୍ବା ଲାଇନରେ ଷ୍ଟାଡିୟମରେ ସମସ୍ତେ ପ୍ରବେଶ କରିଥିଲେ । ଏଥିରୁ ବାଦ ପଡିନଥିଲେ କୁନି କୁନି କ୍ରିକେଟ ପ୍ରଶଂସକ ।  ଆଜି ଭାରତ ଓ ଇଂଲଣ୍ଡ ମ୍ୟାଚ ବେଳେ ବାରବାଟୀ ବାହାରେ ଦେଖିବାକୁ ମିଳିଥିଲା ଏଭଳି ଉତ୍ସାହର ମାହୋଲ ।

ସେପଟେ କ୍ରିକେଟ ଉତ୍ସାହ ଭିତରେ ଲୋକଙ୍କୁ ସଚେତନତାର ବାର୍ତ୍ତା ବାଣ୍ଟିଥିଲେ ଗଞ୍ଜାମର ବ୍ରହ୍ମାନନ୍ଦ । ସେ ଦେହରେ ପିସ୍ ଆଣ୍ଡ ଲଭ ର ଲେଖାଥିବା ପୋଷାକ ପରିଧାନ କରିବା ସହ ହାତରେ ଧରିଥିଲେ ଗୋଲାପ ଫୁଲ ଏବଂ ପକ୍ଷୀର କଣ୍ଢେଇ । ଶାନ୍ତି ଓ ପ୍ରେମରେ ସଂସାରର ମଙ୍ଗଳ ହୋଇଥାଏ ବୋଲି ସମସ୍ତଙ୍କୁ ବାର୍ତ୍ତା ଦେଉଥିଲେ ବ୍ରହ୍ମାନନ୍ଦ । ସେହିଭଳି ସଙ୍ଗୀତର ତାଳେ ତାଳେ ନାଚୁଥିଲେ ଜଣେ ବ୍ୟକ୍ତିଙ୍କ ସହ ଦୁଇ କଣ୍ଢେଇ । ଦେହରେ ଖଞ୍ଜା ଯାଇଥିବା ଦୁଇ କଣ୍ଢେଇ ଧରି ସେ ନାଚି ନାଚି ଦର୍ଶକଙ୍କୁ ଉତ୍ସାହିତ କରୁଥିଲେ, ଖେଳାଳିଙ୍କୁ ଚିଅରଅପ୍ କରୁଥିଲେ ।  ଭିଡ଼କୁ ଦୃଷ୍ଟିରେ ରଖି ବାରିକେଡର ବ୍ୟବସ୍ଥା ସହ ବାରବାଟୀ ବାହାରେ ପୋଲିସ ଛାଉଣି ହୋଇଥିଲା । ଭିତରକୁ ପାଣି ବୋତଲ, କଏନ୍ ଏବଂ ମେଟାଲ ସାମଗ୍ରୀ ଭିତରକୁ ନେବାକୁ ଦର୍ଶକଙ୍କୁ ବାରଣ କରାଯାଇଥିଲା ।