ନନଷ୍ଟପ୍ ୧୩ ହଜାର କିମି ଉଡ଼ି ନିଜ ରେକର୍ଡ ଭାଙ୍ଗିଲା ଏ ପକ୍ଷୀ

ଓ୍ବାସିଂଟନ: ବିଜ୍ଞାନ ଆଜି ବହୁତ ଅଗ୍ରଗତି କରିଛି । ଆମେ ଚନ୍ଦ୍ର ଓ ମଙ୍ଗଳରେ ପହଞ୍ଚି ସାରିଲେଣି । ଦୂର ଦୂରାନ୍ତକୁ ଯାଇ ପାରୁଥିବା ବିମାନ ମଧ୍ୟ ତିଆରି କରିଛନ୍ତି । ହେଲେ ଏହି ଦୂରଗାମୀ ବିମାନ ଯାତ୍ରା ବେଳେ କେଉଁଠି ନା କେଉଁଠି ଇନ୍ଧନ ଭରିବାକୁ ଓହ୍ଲାଇଥାନ୍ତି । କାରଣ ଆମେ ସିନା ଦୂରଗାମୀ ବିମାନ ତିଆରି କରିଛନ୍ତି, ହେଲେ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ଆବଶ୍ୟକ ଇନ୍ଧନ ଏକଥରେ ଭରିବା ଆଜି ପର୍ଯ୍ୟନ୍ତ ସମ୍ଭବ ହୋଇନାହିଁ । ଆଜି ଆମେ ଏମିତି ଏକ ପକ୍ଷୀ ବିଷୟରେ କହିବାକୁ ଯାଉଛୁ, ଯାହାର ଉଡ଼ିବା କ୍ଷମତା ଆଗରେ ଆମର ସବୁ ପ୍ରକାର ବିଜ୍ଞାନ ଫେଲ୍ ମରିଯାଇଛି । ଦୁଇ ଦୁଇ ଥର ଏହି ପକ୍ଷୀ ଦୂରକୁ ଉଠିବାରେ ବିଶ୍ବ ରେକର୍ଡ କରି ନିଜ ଉଡ଼ିବା କ୍ଷମତାକୁ ପ୍ରତିପାଦିତ କରିପାରିଛି । ଆସନ୍ତୁ ଜାଣିବା ଏହି ପକ୍ଷୀ ବିଷୟରେ ।

ଓ୍ବାର ଟେଲ୍ଡ ଗଡଓ୍ବିଟ୍ । ନାଁ ଟା ଯେମିତି ଦମଦାର ଉଡ଼ାଣ କ୍ଷମତା ବି ସେମିତି ଲାଜଓ୍ବାବ । ଜାଣି ଆଶ୍ଚର୍ଯ୍ୟ ହେବେ ଆମେରିକାର ଅଲାସ୍କାରୁ ଗଡଓ୍ବିଟ୍ ନନଷ୍ଟପ ଉଡ଼ାଣ ଆରମ୍ଭ କରି ଅଷ୍ଟ୍ରେଲିଆରେ ପହଞ୍ଚି ଯାଇଛି । ଅର୍ଥାତ ବିନା କୌଣସି ସ୍ଥାନରେ ରହି ୧୨ ହଜାର ୮୭୪ କିମି ଦୂରତା ଅତିକ୍ରମ କରିଛି ।

ଗଡଓ୍ବିଟ୍ ଉଡ଼ିବା ବେଳେ ଏକ ଫାଇଟର ଜେଟ୍ ଭଳି ଦିଶିଥାଏ । କେଉଁଠି ନରହି ଗଡଓ୍ବିଟ୍ ପାଖାପାଖି ୧୩ ହଜାର କିମି ଉଡ଼ି ନିଜ ନାଁରେ ଥିବା ରେକର୍ଡ ଭାଙ୍ଗିଛି । ଗତବର୍ଷ ଅଲାସ୍କାରୁ ନ୍ୟୁଜିଲାଣ୍ଡକୁ ଉଡ଼ି ଗଡଓ୍ବିଟ୍ ବିଶ୍ବ ରେକର୍ଡ କରିଥିଲା ।

ସୂଚନାଯୋଗ୍ୟ, ଗଡଓ୍ବିଟ୍ ଶରୀରରେ ତା’ର ଗତି ଓ ଦୂରତା ମାପିବାକୁ ଏକ ଟ୍ରାକର ଲଗାଯାଇଥିଲା । ଏହା ବହୁତ ଛୋଟ ଆକାରର ସୌରଚାଳିତ ଉପଗ୍ରହ ଟ୍ରାକର । ପକ୍ଷୀଟି ସେପ୍ଟେମ୍ବର ୧୭ରୁ ଅଲାସ୍କାରୁ ଯାତ୍ରା ଆରମ୍ଭ କରି ୧୦ ଦିନ ପରେ ଅଷ୍ଟ୍ରେଲିଆରେ ପହଞ୍ଚିଥିଲା । ଏହି ୧୦ଦିନରେ ସେ ୨୩୯ ଘଣ୍ଟା ଅନବରତ ଉଡିଥିଲା ।

ମାତ୍ର ୪୦୦ ଗ୍ରାମର ଗଡଓ୍ବିଟ୍ ଲମ୍ବା ଦୂରତା ଅତିକ୍ରମ କରିବା ପାଇଁ ଜଣାଯାଏ । କୀଟପତଙ୍ଗକୁ ଏହା ଖାଦ୍ୟ ଭାବେ ବ୍ୟବହାର କରିଥାଏ । ବୈଜ୍ଞାନିକଙ୍କ ଅନୁସାରେ ଉଡ଼ିବା ବେଳେ ପକ୍ଷୀଟି ଫାଇଟର ପ୍ଲେନ୍ ଭଳି ଦିଶିଥାଏ । ଲମ୍ବା ଡେଣା ଏହାକୁ ଦ୍ରୁତଗତିରେ ଉଡ଼ିବାରେ ସହାୟ ହୋଇଥାଏ । ଲକ୍ଷ୍ୟସ୍ଥଳକୁ ଉଡ଼ିବା ଆରମ୍ଭ କରିବା ପରେ ଏ ପକ୍ଷୀ ନା କିଛି ଖାଇଥାଏ ନା ପିଇଥାଏ । ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପରେ ହିଁ ଖାଇବା ପିଇବା କରିଥାଏ ।

Leave a Reply