କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ବାର୍ଥ ଡେ’ ପାର୍ଟି, ସିଲ୍ ହେଲା ବାର୍….

ଇନଫୋସିଟି: ରାଜଧାନୀରେ କୋଭିଡ୍ ନିୟମ କୋହଳ ହେବା ପରେ ସାମାଜିକ ଦୂରତ୍ୱ ନିୟମ କ୍ରମାଗତ ଭାବେ ଭାଙ୍ଗୁଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି, ଇନଫୋସିଟି ସ୍ଥିତ ଇକୋସ୍ ବାରରେ । କୋଭିଡ୍ କଟକଣାର ଉଲଂଘନ ହୋଇଥିବା ଅଭିଯୋଗରେ କମିଶନରେଟ୍ ପୋଲିସ୍ ଉକ୍ତ ବାରକୁ ସିଲ୍ କରିଛି । ତେବେ ବାରରେ ଏକ ଜନ୍ମଦିନ ପାର୍ଟି ପାଳନ କରାଯାଉଥିଲା । ପାର୍ଟିରେ ଅଧିକ ସଂଖ୍ୟକ ଲୋକ ସାମିଲ ହେବା ସହ ସାମାଜିକ ଦୂରତ୍ୱକୁ ପାଳନ କରିନଥିଲେ । କମିଶନରେଟ୍ ପୋଲିସ ଏନେଇ ସୂଚନା ଦେଇଛି ।

ଉଲ୍ଲେଖଯୋଗ୍ୟ ଯେ ଏହି ଜନ୍ମଦିନ ପାର୍ଟି ଗତକାଲି ବିଳମ୍ୱିତ ରାତ୍ରିରେ ପାଳନ କରାଯାଉଥିଲା । ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ସେଠାରେ ପହଞ୍ଚିଥିଲା । ଏହାପରେ ବାରକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସିଲ୍ କରାଯାଇଥିବା ବେଳେ କାହାରିକୁ ଗିରଫ କରାଯାଇନାହିଁ । ତେବେ ଯେଉଁମାନେ ଜନ୍ମଦିନ ପାର୍ଟିରେ ଯୋଗ ଦେଇଥିଲେ ସେମାନଙ୍କୁ ଜରିମାନା ଦେବାକୁ ପଡିବ । ସେହିଭଳି ଅନ୍ୟ କାର୍ଯ୍ୟାନୁଷ୍ଠାନ ମଧ୍ୟ ହୋଇପାରେ । ସେହିଭଳି ପୋଲିସ ରାଜଧାନୀର ସବୁ ବାର୍ ଓ ହୋଟେଲକୁ ଏଭଳି ଅଚାନକ ଗସ୍ତ କରି କୋଭିଡ କଟଣାଜନିତ ସ୍ଥିତି ପରଖିବା ଉପରେ ଗୁରୁତ୍ୱ ଦେଉଛି ବୋଲି ସୂଚନା ଦେଇଛି ।

Leave a Reply