୪୦୦ ମିଟର ହଡଲସରେ ବାପିଙ୍କୁ ପ୍ରଥମ ସ୍ଥାନ

ଭୁବନେଶ୍ବର: ଓଡ଼ିଶା କ୍ରୀଡ଼ା ଇତିହାସର ଜୋଡ଼ି ହେଲେ ଆଉ ଜଣେ ଉଦୟମାନ କ୍ରୀଡ଼଼ାବିତ । ନାଁ ବାପି ହାଁସଦା । ଘର ବାଲେଶ୍ବର । ନିକଟରେ ଏକ ଜାତୀୟ ପ୍ରତିଯୋଗିତାରେ ୪୦୦ ମିଟର ହଡଲସରେ ପ୍ରଥମ ସ୍ଥାନ ଅଧିକାର କରିବା ସହ ୫୧.୯୦ ସେକେଣ୍ଡରେ ଏହାକୁ ଅତିକ୍ରମ କରି ନୂଆ ଇତିହାସ ସୃଷ୍ଟି କରିଛନ୍ତି ବାପି । ଏହାସହ ବାପି ୪୦୦ ମିଟର ହଡଲସରେ ବିଶ୍ୱର ନମ୍ବର ଓ୍ୱାନ ରାଙ୍କଡ୍ ପ୍ଲେୟାର ମାନ୍ୟତା ମଧ୍ୟ ପାଇଛନ୍ତି । ଆଗମୀ ଦିନରେ ଏହି ସଫଳତା ବଜାୟ ରଖିବା  ସହ ରାଜ୍ୟ ତଥା ଦେଶ ପାଇଁ ସୁନାମ ଆର୍ଜନ କରିବା ନେଇ ଲକ୍ଷ୍ୟ ରଖିଛନ୍ତି ବାପି ।

ଦୃଢ ଇଚ୍ଛା ଶକ୍ତି ବଳରେ ମାତ୍ର ୧୭ ବର୍ଷ ବୟସରେ ବାପି ଏହି ସଫଳତା ପାଇଛନ୍ତି । ରାଜ୍ୟ ସରକାରଙ୍କ ସହାୟତାରେ କଳିଙ୍ଗ ଷ୍ଟାଡ଼ିୟମରେ ଥିବା ଏଚପିସିରେ ରହି ଅଭ୍ୟାସ ଜାରି ରଖିଛନ୍ତି ବାପି । ଏଚପିସି ତାଙ୍କ ପ୍ରତିଭାକୁ ଚିହ୍ନି ପାରି ୨୦୧୯ରେ କଳିଙ୍ଗ ଷ୍ଟାଡିୟମରେ ସାମିଲ କରିଥିଲା । ଅଳ୍ପ ସମୟ ମଧ୍ୟରେ ତାଙ୍କ ଅସାଧାରଣ ପ୍ରତିଭା ପ୍ରଶିକ୍ଷକମାନଙ୍କୁ ପ୍ରଭାବିତ କରିଥିଲା । ସେବେଠାରୁ ରିଲାଏନ୍ସ ଫାଉଣ୍ଡେସନ ହାଇପରଫରମାନ୍ସ ସେଣ୍ଟରରେ ରହି ପ୍ରଶିକ୍ଷଣ ନେଇଆସୁଛନ୍ତି ବାପି । ମୁଖ୍ୟ ପ୍ରଶିକ୍ଷକ ମାର୍ଟିନ ଓ୍ବେନ୍ସଙ୍କ ତତ୍ତ୍ବାବଧାନରେ ବାପି ଏଚପିସିରେ ପ୍ରଶିକ୍ଷଣ ଜାରି ରଖିଛନ୍ତି ।

ବାପି ପ୍ରଥମେ ୪୦୦ ମିଟର ହଡଲ୍ସ ଖେଳୁ ନଥିଲେ । ସେ ୮୦୦ ମିଟର ରେସରେ ଅଶଂଗ୍ରହଣ କରିଆସୁଥିବା ବେଳେ ସେଥିରେ ଏତେଟା ସଫଳତା ମିଳୁ ନଥିଲା । ହେଲେ କୋଚ ଏବଂ ନିଜ ବଡ ଭାଇଙ୍କ କଥାରେ ସେ ୮୦୦ ମିଟର ପରିବର୍ତ୍ତେ ୪୦୦ ମିଟର ହଡଲ୍ସ ଖେଳିବା ଆରମ୍ଭ କରିଥିଲେ । ଆଗକୁ  ରାଜ୍ୟ ଗୋଷ୍ଠୀକ୍ରୀଡ଼ାରେ ସ୍ବର୍ଣ୍ଣପଦକ ହାସଲ ଲକ୍ଷ୍ୟ ରହିଥିବା ବେଳେ ଭାରତ ତଥା ଓଡ଼ିଶା ପାଇଁ ଅଲିମ୍ପିକରେ ବ୍ୟକ୍ତିଗତ ଇଭେଣ୍ଟରେ ସ୍ୱର୍ଣ୍ଣ ଆଣିବା ତାଙ୍କର ସ୍ୱପ୍ନ ରଖିଛନ୍ତି ।

ବିଶ୍ବର ଏକ ନମ୍ବର ସ୍ଥାନରେ ରହିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ୨୫ ଲକ୍ଷର ପୁରସ୍କାର ରାଶି ପ୍ରଦାନ କରିଛନ୍ତି । ଏମିତିକି ୫ଟି ସଚିବ ଭିକେ ପାଣ୍ଡିଆନ୍ ବାପିଙ୍କ ସହ ସ୍ବତନ୍ତ୍ର ସାକ୍ଷାତ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।