Bihar Election: ଅମାନତ ହରାଇଲେ ପୁଷ୍ପମ ପ୍ରିୟା, ଶତ୍ରୁଘ୍ନଙ୍କ ପୁଅ ଲବ ବି ବିଫଳ
ପାଟଣା: ବିହାର ବିଧାନସଭା ନିର୍ବାଚନରେ ବାଙ୍କୀପୁର ଆସନର ଭୋଟ୍ ଗଣନା ସରିଛି । ଏଠାରେ ବିଜେପି ପ୍ରାର୍ଥୀ ନୀତିନ ନବୀନ ବିଜୟ ଲାଭ କରିଛନ୍ତି । ରାଜନୀତିରେ ପରିବର୍ତ୍ତନ ଆଣିବାକୁ ଦାବି କରୁଥିବା ପୁଷ୍ପମ ପ୍ରିୟା ଚୌଧୁରୀଙ୍କୁ ଏହି ଆସନରେ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । ଏପରିକି ଭୋଟ୍ ଗଣନା ବେଳେ ପୁଷ୍ପମ କୌଣସି ରାଉଣ୍ଡରେ ଥରେ ବି ରେସକୁ ଆସିନଥିଲେ । ପୁଷ୍ପମଙ୍କୁ ୧୬୪୪ ଖଣ୍ଡ ଭୋଟ୍ ମିଳିଛି ।
ବିଜେପିର ନୀତିନ ନବୀନ ୨୭ ହଜାର ୩୪୦ ଭୋଟ୍ ପାଇଥିବା ବେଳେ ଦ୍ୱିତୀୟ ସ୍ଥାନରେ ଥିବା କଂଗ୍ରେସ ପ୍ରାର୍ଥୀ ଶତ୍ରୁଘ୍ନ ସିହ୍ନାଙ୍କ ପୁଅ ଲବ ସିହ୍ନାଙ୍କୁ ମିଳିଛି ୧୨ ହଜାର ୭୦୨ ଭୋଟ୍ । ପୁଷ୍ପମଙ୍କୁ ମିଶାଇ ଏହି ଆସନରେ ୨୨ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ । ପୁଷ୍ପମ ବାଙ୍କୀପୁର ସହ ବିସ୍ଫି ଆସନରୁ ଲଢ଼ୁଥିଲେ । ସେଠାରେ ବି ତାଙ୍କୁ ପରାଜୟର ମୁହଁ ଦେଖିବାକୁ ମିଳିଛି । ତେବେ ବାଙ୍କୀପୁରରେ ନୋଟାରେ ପଡ଼ିଥିବା ଭୋଟ୍ ଠାରୁ ପୁଷ୍ପମଙ୍କୁ ଅଢ଼େଇ ଗୁଣା ଭୋଟ୍ ମିଳିଠି । ନୋଟାରେ ୪୦୪ ଖଣ୍ଡ ଭୋଟ୍ ପଡ଼ିଥିବା ବେଳେ ପୁଷ୍ପମ ୧୬୪୪ ଭୋଟ୍ ପାଇଛନ୍ତି ।
ବିହାର ନିର୍ବାଚନରେ ପୁଷ୍ପମ ପ୍ରିୟା ଚୌଧୁରୀ ସମସ୍ତଙ୍କ ଧ୍ୟାନ ଆକର୍ଷିତ କରିଥିଲେ । ଲଣ୍ଡନରୁ ଫେରିଥିବା ପୁଷ୍ପମ ବିହାର ରାଜନୀତିରେ ବେଶ୍ ଚର୍ଚ୍ଚିତ ଚେହେରା ଥିଲେ । ତାଙ୍କ ବାପା ଜେଡିୟୁରେ ଥିବାବେଳେ ପୁଷ୍ପମ ଏକ ଦଳ (ପ୍ଲୁରାଲ୍ସ) ଗଢ଼ି ନିର୍ବାଚନକୁ ଓହ୍ଲାଇଥିଲେ । ସେ ନିଜେ ନିର୍ବାଚନ ଲଢ଼ିବା ସହ ଦଳ ପକ୍ଷରୁ ଅନ୍ୟ ଆସନରେ ପ୍ରାର୍ଥୀ ଦେଇଥିଲେ । ତାଙ୍କ ଦଳରୁ ସମାଜରେ ଭଲ ଛବି ଥିବା ସାମାଜିକ କାର୍ଯ୍ୟକର୍ତ୍ତା, ଶିକ୍ଷକ, ଡକ୍ଟର ପ୍ରଭୃତି ପ୍ରଫେସନାଲ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ମଧ୍ୟ ସଫଳତା ମିଳିନାହିଁ ।