ଚାରି ମାସ ହେଲା ଜଳଘେରରେ ଦେଢ ଶହ ପରିବାର…

ବାଙ୍କୀ : ଯୁଆଡେ ଦେଖିବେ ଖାଲି ପାଣି । ବୁଡିଯାଇଛି ଗାଁ ଦାଣ୍ଡ । ଘରେ ଓ ବାହାରେ ଲହଡ଼ି ମାରୁଛି ସଢା ପାଣି । ଘରୁ ବାହାରିବା ହୋଇପଡିଛି ମୁସ୍କିଲ । ଆଉ ଏହି ଜଳଘେରରେ ଜୀବନ ବିତାଉଛନ୍ତି ଦେଢ଼ ଶହ ପରିବାର । ଏହା କୌଣସି ଉପାନ୍ତ ଅଞ୍ଚଳର ଚିତ୍ର ନୁହେଁ । ଖୋଦ ରାଜଧାନୀ ଭୁବନେଶ୍ଵର ଓ କଟକ ମଧ୍ୟରେ ଥିବା ବାରଙ୍ଗ ବ୍ଲକ ଦାଢାପାଟଣା ପଞ୍ଚାୟତ ବଙ୍ଗାଳୀସାହିର ଦୃଶ୍ୟ । ବଙ୍ଗାଳୀସାହି ବାସିନ୍ଦା ଦୀର୍ଘ ଚାରି ମାସ ହେଲା ଜଳଘେରରେ ରହିଛନ୍ତି । ଦୀର୍ଘ ଦିନ ହେଲା ଗାଁରେ ପାଣି ଜମିରହିବାରୁ ପାଣିରେ ସାପ, ପୋକ, ଜୋକ ଅବାଧରେ ବିଚରଣ କରୁଛନ୍ତି । ଛୋଟ ପିଲା ଘରୁ ବାହାରିବାକୁ ଭୟ କରୁଛନ୍ତି । ଅନେକ ଲୋକଙ୍କ ଗୋଡ ହାତରେ ଘା’ ହେବା ସହ କିଛି ଲୋକଙ୍କୁ ଡେଙ୍ଗୁ ହେଇଗଲାଣି । ଖାଲି ଏତିକି ନୁହେଁ ଗାଁ ମୁଣ୍ଡରେ ଥିବା ନଳକୂପଟି ପାଣିରେ ବୁଡି ରହିଥିବାରୁ ପାନୀୟ ଜଳ ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଲୋକେ । କିଛି ଲୋକ ଘର ଛାଡ଼ି ଭଡ଼ା ଘରେ ରହୁଛନ୍ତି।

ବଙ୍ଗାଳୀସାହିରେ ପ୍ରତିବର୍ଷ ଏହିଭଳି ସମସ୍ୟା ଦେଖାଦିଏ । ବର୍ଷା ଦିନେ ନନ୍ଦନକାନନର କିଆକଣି ହ୍ରଦର ପାଣି ଫୁଲିଉଠେ । ଫଳରେ ଗ୍ରାମ ରାସ୍ତା ଜଳମଗ୍ନ ହେବା ସହ କିଛି ଘରେ ପାଣି ପଶିଯାଏ । ଚଳିତ ବର୍ଷ ବର୍ଷା ଲାଗି ରହୁଥିବାରୁ ଗାଁରୁ ପାଣି କମିବାର ନାଁ ଧରୁନାହିଁ । ପୂର୍ବରୁ ଥିବା ଜଳ ନିଷ୍କାସନ ବାଟ ମାଇନର କେନାଲ ଓ ନାଳ ସବୁକୁ ପୋତି ଦିଆଯାଇଛି । ବହୁ ଜମି ମାଫିଆ ଜଳ ନିଷ୍କାସନ ବାଟକୁ ଜବରଦଖଲ କରି ଅବୈଧ ନିର୍ମାଣ କରି ପକାଇଛନ୍ତି । ତେଣୁ କାଞ୍ଜିଆ ଓ କିଆକଣି ହ୍ରଦର ପାଣି ନିଷ୍କାସନ ହୋଇପାରୁନାହିଁ । ସମସ୍ୟା ସଂପର୍କରେ ଗ୍ରାମବାସୀ ଅନେକ ଥର ସ୍ଥାନୀୟ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ବି କୌଣସି ସ୍ଥାୟୀ ସମାଧାନ ହୋଇପାରିନାହିଁ । ଏପଟେ କଟକ ଜିଲ୍ଲାପାଳ କହିଛନ୍ତି , ବଙ୍ଗାଳୀସାହିର ଜଳ ନିଷ୍କାସନ ସମସ୍ୟାର ସମାଧାନ ପାଇଁ ଡ୍ରେନେଜ୍ ପ୍ଳାନିଂ ପ୍ରସ୍ତୁତ ହେଉଛି । ବଙ୍ଗାଳୀସାହି ଲୋକଙ୍କ ଯନ୍ତ୍ରଣା କେବେ ଦୂର ହେଉଛି ତାହା ଦେଖିବାକୁ ବାକି ରହିଲା ।