ଜଙ୍ଗଲ ଭିତରୁ ମଣିଷ ଖପୁରି ଓ କଙ୍କାଳ ଉଦ୍ଧାର

ବାଙ୍କୀ: ଜଙ୍ଗଲ ଭିତରୁ ମଣିଷ ଖପୁରି ଓ କଙ୍କାଳ ଉଦ୍ଧାର। ବାଙ୍କୀ ଥାନା ଅନ୍ତର୍ଗତ ଡମପଡା ଅଗ୍ନିଶମ ବିଭାଗ ପଛପଟ କାଜୁ ଜଙ୍ଗଲରୁ କଙ୍କାଳ ଜବତ କରିଛି ପୋଲିସ । କିଛି ବ୍ଯକ୍ତି ଜଙ୍ଗଲ ଜଗିବାକୁ ଯାଇଥିବାବେଳେ ଖପୁରି ଓ କଙ୍କାଳ ଦେଖିବାକୁ ପାଇ ପୋଲିସକୁ ଖବର ଦେଇଥିଲେ। କଙ୍କାଳ ନିକଟରୁ ଗୋଟିଏ ବ୍ୟାଗ, କିଛି ଚିରା କପଡା ଓ ଜଣେ ଯୁବତୀଙ୍କର ପରିଚୟ ପତ୍ର ଜବତ ହୋଇଛି । ପରିଚୟ ପତ୍ରଟି ସ୍ଥାନୀୟ ଡମପଡ଼ା ଗାଁର ନିଖୋଜ ଯୁବତୀ ଝୁନା ଜେନାଙ୍କର ବୋଲି ସୂଚନା ମିଳିଛି। କଙ୍କାଳ ଓ ଖପୁରି ସେହି ଯୁବତୀଙ୍କର ହୋଇଥିବା ସନ୍ଦେହ କରାଯାଉଛି। ଯୁବତୀ ଜଣଙ୍କ ନିକଟସ୍ଥ ଏକ ଘରୋଇ ମସଲା କମ୍ପାନୀରେ କାର୍ଯ୍ୟ କରୁଥିଲେ । ମାତ୍ର ବର୍ଷେ ତଳୁ ସେ ନିଖୋଜ ହୋଇଥିବା ନେଇ ଥାନାରେ ପରିବାର ଲୋକ ଅଭିଯୋଗ କରିଥିଲେ । ମାତ୍ର ଏଯାଏଁ ତାଙ୍କର ପତ୍ତା ମିଳିନାହିଁ । ଯୁବତୀଙ୍କୁ କେହି ଅପହରଣ ପରେ ହତ୍ଯା କରିଥିବା ଅଭିଯୋଗ ହୋଇଛି। କଙ୍କାଳକୁ ଜବତ କରି ପୋଲିସ ତଦନ୍ତ ଜାରି ରଖିଛି।